ଏଥର ପାଟକୁରାରେ ହେବ ଘମାଘୋଟ୍‌ ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ଆସନରେ ମଇ ୧୯ ତାରିଖରେ ଭୋଟଗ୍ରହଣ ପାଇଁ ଆଜି ତାରିଖ ଘୋଷଣା ହେବାପରେ ଏହା ଓଡ଼ିଶା ଇତିହାସର ଏପର୍ଯ୍ୟନ୍ତର ସବୁଠୁ କଡ଼ା ଓ ସଙ୍ଗିନ ମୁକାବିଲା ହେବ ବୋଲି କୁହାଯାଉଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଏହି ଆସନରେ ନିର୍ବାଚନ ଏପ୍ରିଲ ୨୯ ପରିବର୍ତ୍ତେ ମଇ ୧୯ରେ ହେବ। ରାଜ୍ୟରେ ସାଧାରଣ ନିର୍ବାଚନ ଶେଷ ହେବାର ପ୍ରାୟ ୨୦ଦିନ ପରେ ହେବାକୁ ଥିବା ଏହି ଆସନକୁ ଜିଣିବା […]

bijay-mohapatra

bijay-mohapatra

Manoranjan Sial
  • Published: Wednesday, 24 April 2019
  • Updated: 24 April 2019, 07:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ଆସନରେ ମଇ ୧୯ ତାରିଖରେ ଭୋଟଗ୍ରହଣ ପାଇଁ ଆଜି ତାରିଖ ଘୋଷଣା ହେବାପରେ ଏହା ଓଡ଼ିଶା ଇତିହାସର ଏପର୍ଯ୍ୟନ୍ତର ସବୁଠୁ କଡ଼ା ଓ ସଙ୍ଗିନ ମୁକାବିଲା ହେବ ବୋଲି କୁହାଯାଉଛି। ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ଯୋଗୁ ଏହି ଆସନରେ ନିର୍ବାଚନ ଏପ୍ରିଲ ୨୯ ପରିବର୍ତ୍ତେ ମଇ ୧୯ରେ ହେବ। ରାଜ୍ୟରେ ସାଧାରଣ ନିର୍ବାଚନ ଶେଷ ହେବାର ପ୍ରାୟ ୨୦ଦିନ ପରେ ହେବାକୁ ଥିବା ଏହି ଆସନକୁ ଜିଣିବା ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ପାଲଟିବାକୁ ଯାଉଛି। ଏହା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କର ରାଜନୀତିକ ଅସ୍ତିତ୍ୱ ଓ ମର୍ଯ୍ୟାଦା ରକ୍ଷାର ମଧ୍ୟ ଲଢ଼େଇ ହେବ। ଏହି ପାଟକୁରା ବିଧାନସଭା ଆସନକୁ ଜିଣିବା ପାଇଁ ଉଭୟ ବିଜେଡି ଓ ବିଜେପି ନିଜର ପୁରା ଦମ୍ ଲଗାଇବେ, ଏଥିରେ ସନ୍ଦେହ ନାହିଁ। ତେଣୁ ଉଭୟ ଦଳ କୌଣସି ପ୍ରକାରର ସୁଯୋଗକୁ ହାତଛଡ଼ା କରିବେ ନାହିଁ।

ସୂଚନା ଅନୁସାରେ, ମଇ ୧୯ତାରିଖରେ ପାଟକୁରା ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ ବିଜେଡି ନିଜର କଳବଳକୌଶଳ ଲଗାଇବାକୁ ରଣନୀତି ପ୍ରସ୍ତୁତ କରିବା ସହ ମଇ ପହିଲାରୁ ହିଁ ସମଗ୍ର ନିର୍ବାଚନମଣ୍ଡଳୀରେ ଦଳୀୟ ନେତାଙ୍କୁ ଡେରା ପକାଇବା ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇସାରିଲାଣି। ବିଜେପି ମଧ୍ୟ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ସମେତ ଜାତୀୟସ୍ତରର ନେତାମାନଙ୍କୁ ଆଣି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେପିର ପ୍ରାର୍ଥୀ ଭାବେ ବିଜୟ ମଇଦାନରେ ରହିଥିବାବେଳେ ସହାନୁଭୂତି ଭୋଟ ସାଉଁଟିବାକୁ ବିଜେଡି ସମ୍ଭବତଃ ଦିବଂଗତ ବେଦପ୍ରକାଶଙ୍କ ପତ୍ନୀ କିମ୍ବା ପୁତ୍ରଙ୍କୁ ପ୍ରାର୍ଥୀ କରିପାରେ। ତେବେ ବେଦପ୍ରକାଶଙ୍କ ମୃତ୍ୟୁକୁ ନେଇ ସମଗ୍ର ନିର୍ବାଚନମଣ୍ଡଳୀରେ ଯେଭଳି ରାଜନୀତିକ ଅନୁକମ୍ପା ତାଙ୍କ ପରିବାର ପ୍ରତି ରହିବା କଥା, ତାହା ଏପର୍ଯ୍ୟନ୍ତ ଅନୁଭୂତ ହେଉନଥିବାରୁ ବିଜେଡି ମଧ୍ୟ ସେଠାରେ ଅନ୍ୟ କିଛି କାର୍ଡ ଖେଳିବାର ସମ୍ଭାବନା ରହିଛି।

ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ହେବା ପାଇଁ ଯୁବନେତା ତେଜେଶ୍ୱର ପରିଡ଼ା, ଅମ୍ରେଶ ପତ୍ରୀ ଓ ରବି ସାମିଲ ପ୍ରମୁଖ ଆଶାୟୀ ଥିଲେ। କିନ୍ତୁ ଏମାନଙ୍କ ମଧ୍ୟରୁ କୌଣସି ଜଣେ ନେତା ବି ବିଜୟଙ୍କ ଭଳି ହେଭିୱେଟ ନେତାଙ୍କୁ କଡ଼ା ମୁକାବିଲା ଦେବା ସମ୍ଭବପର ନୁହେଁ। କାରଣ ମହୁଫେଣା ବାକ୍ସ ଦୁର୍ନୀତି ଅଭିଯୋଗରେ ତେଜେଶ୍ୱର ବିବାଦୀୟ ହୋଇସାରି ଥିବା ବେଳେ ଅମ୍ରେଶ ଓ ରବି ସାମଲଙ୍କ ସାଧାରଣରେ ସେଭଳି ଗ୍ରହଣୀୟତା ନାହିଁ। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପୂର୍ବରୁ ଏହି ଆସନରୁ ବିଧାୟକ ରହିସାରିଥିବାବେଳେ ତାଙ୍କ ବଡ଼ଭାଇ ଶାନ୍ତନୁଙ୍କର ନିଜସ୍ୱ ସଂଗଠନ ଏବେ ବି ପାଟକୁରାରେ ରହିଛି। ଶାନ୍ତନୁଙ୍କ ସେହି ଭୋଟ୍ ବ୍ୟାଙ୍କକୁ ଆଧାର କରି ଅନେକ ସମୟରେ ଅତନୁ ନିଜର ପତିଆରା ପ୍ରଦର୍ଶନ କରିଥାନ୍ତି। ତେଣୁ ପାଟକୁରାରେ ବିଜେଡି ଯାହାକୁ ବି ପ୍ରାର୍ଥୀ କରିବ ସେଥିରେ ଅତନୁ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ସ୍ପଷ୍ଟ ଜଣାପଡ଼ୁଛି।

ବେଦୁଙ୍କ ପରିବାର ପ୍ରତି ସ୍ଥାନୀୟ ଅଞ୍ଚଳରେ ବିଶେଷ ଅନୁକମ୍ପା ନଥିବାରୁ ଅତନୁ ହୁଏତ ନିଜ ଭାଇ ଶାନ୍ତନୁଙ୍କୁ ଆଗକୁ ଆଣି ନିଜେ ପ୍ରତ୍ୟକ୍ଷ ଲଢ଼େଇକୁ ଓହ୍ଲାଇପାରନ୍ତି । ଅତନୁଙ୍କର ବିଜୟଙ୍କ ସହ ଅହି-ନକୁଳ ସମ୍ପର୍କ ଥିବାବେଳେ କେନ୍ଦ୍ରାପଡ଼ାରେ ବିଜେପିର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସଙ୍ଗେ ମଧ୍ୟ ତିକ୍ତ ସମ୍ପର୍କ ରହିଛି। ପାଟକୁରା ଆସନରେ ବୈଜୟନ୍ତଙ୍କ ପ୍ରଭାବ ରହିଥିବାରୁ ଉଭୟ ବିଜୟ ଓ ବୈଜୟନ୍ତଙ୍କ ରଣନୀତିକୁ ବିଫଳ କରିବା ପାଇଁ ବିଜେଡି ଅତନୁଙ୍କୁ ଆଗକୁ ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି। ଅତନୁ ବିଜେଡି କ୍ଷମତାକେନ୍ଦ୍ରଙ୍କ ଘନିଷ୍ଠ ଭାବେ ମଧ୍ୟ ପରିଚିତ।

ତେବେ ପାଟକୁରା ବିଧାନସଭା ଆସନରୁ ୧୯୮୦ ମସିହାରେ ଉପନିର୍ବାଚନ ଜିଣି ପ୍ରଥମଥର ବିଧାୟକ ହୋଇଥିବା ବିଜୟ ମହାପାତ୍ର କ୍ରମାଗତ ଭାବେ ୨୦୦୦ ମସିହା ପର୍ଯ୍ୟନ୍ତ ସେଠାରେ ବିଧାୟକ ଥିଲେ। ଦୀର୍ଘବର୍ଷ ଧରି ସେ ସ୍ଥାନୀୟ ରାଜନୀତି ଓ ସମୀକରଣ ସହ ସଂଶ୍ଳିଷ୍ଟ ଅଛନ୍ତି। ତା’ଛଡ଼ା ବିଜେପିର କଳବଳକୌଶଳ ମଧ୍ୟ ତାଙ୍କ ପାଇଁ ସହାୟକ ହେବ। ଦୀର୍ଘ ଦୁଇ ଦଶନ୍ଧି ଧରି ବିଜୟ ମହାପାତ୍ର ବିଜେଡିର ଚକ୍ରାନ୍ତ ଓ ଷଡ଼ଯନ୍ତ୍ରର ଶିକାର ହେଉଥିବାରୁ ପାଟକୁରାବାସୀଙ୍କ ମଧ୍ୟରେ ତାଙ୍କ ପ୍ରତି ଏଥର ସହାନୁଭୂତି ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ୨୦୦୯ରୁ ବିଧାୟକ ଥିବା ବେଦୁଙ୍କ ମୃତ୍ୟୁ ସତ୍ତେ୍ୱ ତାଙ୍କ ପରିବାର ପ୍ରତି ପାଟକୁରାରେ ଯେଭଳି ଅନୁକମ୍ପା ପ୍ରଦର୍ଶନ ହେବା କଥା, ସେପରି ହୋଇପାରୁନି। ବିଜୟ ମହାପାତ୍ରଙ୍କୁ ନବୀନ ନିଜର ପରମ ଶତ୍ରୁ ବୋଲି ବିଚାର କରୁଥିବାରୁ ତାଙ୍କୁ ହରାଇବା ପାଇଁ ସବୁ ପ୍ରକାର କୌଶଳ ପ୍ରୟୋଗ କରିବେ ନିଶ୍ଚୟ। ବିଜେପୁର ଉପନିର୍ବାଚନ ବେଳେ ବିଜେଡି ଯେଉଁଭଳି ସମରସଜ୍ଜା କରିଥିଲା ଏଠାରେ ତା ଠାରୁ ଯଥେଷ୍ଟ ଅଧିକ ଶକ୍ତି, ଯୋଜନା ଓ କୌଶଳ ଆପଣାଇବ ବୋଲି କୁହାଯାଉଛି। ତେବେ କିଭଳି ଏହି ଆସନକୁ ନିଜ ଦଖଲରେ ରଖିବ ତାହା ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos