କରୋନା ପରିଚାଳନାରେ ବିଏମସି ଫେଲ୍ : ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପରିଚାଳନାଗତ ତ୍ରୁଟି ଓ ଅବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅବଗତ କରାଇଛନ୍ତି। କରୋନା ମହାମାରୀବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଉଦାସୀନତା ଓ ଦାୟିତ୍ୱହୀନ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ ବୋଲି ନିରଞ୍ଜନ କହିବା ସହ ନିଜେ ଚାହିଁଲେ ଏହାର ସତ୍ୟାସତ୍ୟ ଜାଣିପାରିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ […]

niranjan

Tapas Behera
  • Published: Friday, 18 September 2020
  • , Updated: 18 September 2020, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ପରିଚାଳନାଗତ ତ୍ରୁଟି ଓ ଅବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚିଠି ଲେଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅବଗତ କରାଇଛନ୍ତି। କରୋନା ମହାମାରୀବେଳେ ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଉଦାସୀନତା ଓ ଦାୟିତ୍ୱହୀନ ଆଚରଣ ଅତ୍ୟନ୍ତ ନିନ୍ଦନୀୟ ଓ ଦୁଃଖଦାୟକ ବୋଲି ନିରଞ୍ଜନ କହିବା ସହ ନିଜେ ଚାହିଁଲେ ଏହାର ସତ୍ୟାସତ୍ୟ ଜାଣିପାରିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅନୁରୋଧ ରଖିଛନ୍ତି। ତାଙ୍କର ଏହି ଚିଠି ରାଜନୀତିକ ଦୃଷ୍ଟିକୋଣରୁ ଲେଖାଯାଇନି କିମ୍ବା ବର୍ତ୍ତମାନ ସମୟ ରାଜନୀତିକ କରିବାର ନୁହେଁ ବୋଲି ନିରଞ୍ଜନ ସ୍ପଷ୍ଟ ଭାବେ ଉଲ୍ଲେଖ କରିବା ସହ ୭ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି ଯେ, ସେ ଭୁବନେଶ୍ୱର ସହରର ଜଣେ ବାସିନ୍ଦା ଭାବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛନ୍ତି। ବିଏମସି ଯେଭଳି ଢଙ୍ଗରେ କରୋନା ସ୍ଥିତିର ପରିଚାଳନା କରୁଛି ତାହା ଭୁବନେଶ୍ୱରର ସବୁ ବର୍ଗ ଓ ଶ୍ରେଣୀଙ୍କୁ କ୍ଷୁବ୍ଧ କରିଛି। ସ୍ୱାଭାବିକ ସମୟ ହୋଇଥିଲେ ଲୋକଙ୍କ ରାଗ ଆନ୍ଦୋଳନର ରୂପ ନେଇଥାନ୍ତା। କିନ୍ତୁ ଏବେ ପରିସ୍ଥିତି ଭିନ୍ନ। ଲୋକେ ସହିଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି।

ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜର କ୍ଷୋଭ ବ୍ୟକ୍ତ କରି କହିଛନ୍ତି ଯେ, ବିଏମସି ଅଧିକାରୀମାନଙ୍କ ପାଖରେ ସାଧାରଣ ଲୋକ ଦରକାରବେଳେ ପହଂଚି ପାରୁନାହାନ୍ତି। ବିଏମସି ବହୁ ବିଳମ୍ବରେ ୧୯୨୯ ସହାୟତା ନମ୍ବର ଜାରି କରିଥିଲେ ବି ଏହି ଫୋନ ମାଧ୍ୟମରେ ସେଭଳି କିଛି ସହାୟତା ମିଳୁନାହିଁ। କୋଭିଡ୍ ପରୀକ୍ଷା ପାଇଁ ଯିଏ ଅନୁରୋଧ କରୁଛି ତା’ର ପରୀକ୍ଷା କରାଯାଉ ବୋଲି କେନ୍ଦ୍ର ସରକାର ପରାମର୍ଶ ଦେଉଥିବାବେଳେ ବିଏମସି କିନ୍ତୁ ଓଲଟା ସେଭଳି ଲୋକଙ୍କୁ ହଇରାଣ କରୁଛି। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦିନକୁ ଲକ୍ଷେ ପରୀକ୍ଷା କଥା କହିଥିଲାବେଳେ ଏବେ ୫୦ହଜାର ହେଉଛି, ତା’ପୁଣି ଆଣ୍ଟିଜେନ୍ ପରୀକ୍ଷା। ଏହି ପରୀକ୍ଷା ହେଲେ ବି ଫଳାଫଳ ଲୋକମାନେ ବହୁ ବିଳମ୍ବରେ ଜାଣିବାକୁ ପାଉଛନ୍ତି। ଯେଉଁମାନଙ୍କୁ ଘରେ ରଖାଯାଉଛି ସେମାନଙ୍କୁ ଅନ୍ୟ ରାଜ୍ୟ ଭଳି ମାଗଣାରେ ପଲସ୍ ଅକ୍ସିମିଟିର ଯୋଗାଇ ଦିଆଯାଉନାହିଁ।

ଘରେ ଥିଲାବେଳେ ରୋଗ ବଢ଼ିଲେ ଡାକ୍ତରଖାନାରେ ବେଡ୍ ପାଇବାକୁ ଦିନଦିନ ଅପେକ୍ଷା କରିବାକୁ ପଡ଼ୁଛି। ଯାହାଫଳରେ ରୋଗୀର ଅବସ୍ଥା ଖରାପ ହୋଇଯାଉଛି। ଏବେ ଚାରିଆଡ଼େ ଡାକ୍ତରଖାନା ବେଡ୍ ପାଇଁ ହାହାକାର ପଡ଼ିଛି । ଲୋକେ ଅସହ୍ୟ ହୋଇ ସମସ୍ତଙ୍କୁ ନେହୁରା ହେଉଛନ୍ତି । ଡାକ୍ତରଖାନା ବେଡ୍ ସଂଖ୍ୟା ଆବଶ୍ୟକତା ଅନୁସାରେ କରାଯାଇନାହିଁ। ଗୋଟିଏ ଆଇସିୟୁ ବେଡ୍ ଖାଲି ହେଲେ ଭିତରକୁ ଯିବାକୁ ୩ରୁ୫ ଜଣ ଅପେକ୍ଷା କରି ରହୁଛନ୍ତି। ତେଣୁ ଏସବୁର ସତ୍ୟାସତ୍ୟ ବୁଝି ମୁଖ୍ୟମନ୍ତ୍ରୀ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।

Related story