ପିଇଓ ଓ ଜିଆରଏସ୍‌ଙ୍କୁ ତାଲା ପକାଇଦେଲେ ହିତାଧିକାରୀ, ମିଳିଲା ୪ ମାସର ଭତ୍ତା ଟଙ୍କା

ଯୋଡ଼ା(ଦୀପକ କୁମାର ଶତପଥୀ): ଭତ୍ତା ଟଙ୍କା ନ ଦେବାରୁ ପଞ୍ଚାୟତ ଅଫିସ୍‌ରେ ପିଇଓ ଓ ଜିଆରଏସ୍‌ଙ୍କୁ ତାଲା ପକାଇ ଦେଲେ ଲୋକେ। ଯୋଡ଼ା ବ୍ଲକ୍ ଚମକପୁର ପଞ୍ଚାୟତରେ ଆଜି ଏହି ଘଟଣା ଘଟିଛି। ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ତେବେ ଲୋକଙ୍କୁ ମନାଇବାରେ ପୁଲିସ ଫେଲ ମାରିଥିଲା। ଶେଷରେ ବିଡିଓ ବକେୟା ଭତ୍ତା ଟଙ୍କା ପଠାଇବାରୁ ଉତ୍ତେଜନା ଶାନ୍ତ ପଡ଼ିଥିଲା। ସୂଚନା ମୁତାବକ, ହିତାଧିକାରୀମାନେ ପ୍ରାୟ ୪ ମାସର ବକୟା […]

penson

  • Published: Monday, 15 August 2022
  • , Updated: 15 August 2022, 06:59 PM IST

ଯୋଡ଼ା(ଦୀପକ କୁମାର ଶତପଥୀ): ଭତ୍ତା ଟଙ୍କା ନ ଦେବାରୁ ପଞ୍ଚାୟତ ଅଫିସ୍‌ରେ ପିଇଓ ଓ ଜିଆରଏସ୍‌ଙ୍କୁ ତାଲା ପକାଇ ଦେଲେ ଲୋକେ। ଯୋଡ଼ା ବ୍ଲକ୍ ଚମକପୁର ପଞ୍ଚାୟତରେ ଆଜି ଏହି ଘଟଣା ଘଟିଛି। ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ତେବେ ଲୋକଙ୍କୁ ମନାଇବାରେ ପୁଲିସ ଫେଲ ମାରିଥିଲା। ଶେଷରେ ବିଡିଓ ବକେୟା ଭତ୍ତା ଟଙ୍କା ପଠାଇବାରୁ ଉତ୍ତେଜନା ଶାନ୍ତ ପଡ଼ିଥିଲା।

ସୂଚନା ମୁତାବକ, ହିତାଧିକାରୀମାନେ ପ୍ରାୟ ୪ ମାସର ବକୟା ଭତ୍ତା ପାଇ ନ ଥିଲେ। ଆଜି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯିବା ପାଇଁ ସ୍ଥାନୀୟ ପଞ୍ଚାୟତର ହିତାଧିକାରୀମାନଙ୍କୁ ପଞ୍ଚାୟତ ଅଫିସକୁ ଡକାଯାଇଥିଲା। ହେଲେ ସେମାନଙ୍କୁ ମାତ୍ର ଗୋଟିଏ ମାସର ଭତ୍ତା ଟଙ୍କା ଦିଆଯାଉଥିଲା।

ଯାହାକୁ ନେଇ ରହିଥିବା ଅସନ୍ତୋଷ ସ୍ୱାଧୀନତା ଦିବସରେ ଉତ୍ତେଜନାର ରୂପ ନେଇଥିଲା। ଆଜି ବାର୍ଦ୍ଧକ୍ୟ ଭତ୍ତା ବାଣ୍ଟିବାକୁ ଯାଇଥିବା ପିଇଓ ବିଦ୍ୟାଧର ପାତ୍ର ଓ  ଜିଆରଏସ୍ ରମେଶ ନାଏକଙ୍କୁ ଲୋକେ ତୁରନ୍ତ ବକେୟା ବାର୍ଦ୍ଧକ୍ୟ ଭତ୍ତା ଦେବାକୁ କହିଥିଲେ। ହେଲେ ଦୁଇ କର୍ମଚାରୀ ଅସମର୍ଥତା ପ୍ରକାଶ କରିବାରୁ ସେମାନଙ୍କୁ ତାଲା ପକାଇ ଦେଇଥିଲେ ଉତ୍ତେଜିତ ଲୋକେ।

ପ୍ରାୟ ଦୁଇ ଘଂଟା ଧରି ପଞ୍ଚାୟତ ଅଫିସ୍‌ରେ ଉଭୟ ବନ୍ଦ ରହିବା ପରେ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ ହିତାଧିକାରୀମାନେ କୌଣସି ପ୍ରକାରେ ବୁଝିନଥିଲେ। ଶେଷରେ ଉପସ୍ଥିତ ପୁଲିସ ଅଧିକାରୀମାନେ ଏ ସମସ୍ୟା ନେଇ ବ୍ଲକ୍ ଉନ୍ନୟନ ଅଧିକାରୀଙ୍କ ସହ  ଆଲୋଚନା କରିଥିଲେ। ବିଡିଓ ସମସ୍ୟାର ତୁରନ୍ତ ସମାଧାନ ନିମନ୍ତେ ବକୟା ଭତ୍ତା ଟଙ୍କା ପଞ୍ଚାୟତ ଅଫିସ୍‌କୁ ପଠାଇଥିଲେ। ଟଙ୍କା ଆସିବା ପରେ ଉଭୟ ପିଇଓ  ଓ ଜିଆରଏସ ମୁକୁଳିଥିଲେ। ପରେ ଏହି ବକେୟା ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବଣ୍ଟନ କରାଯାଇଥିଲା। ଟଙ୍କା ପାଇବା ପରେ ଉତ୍ତେଜନା ହ୍ରାସ ପାଇଥିଲା।

Related story