ଉମରକୋଟ(ଓଡ଼ିଶା ରିପୋର୍ଟର): ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ। ଏଭଳି ଏକ ଅଭାବନୀୟ ଘଟଣାର ଚିତ୍ର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ବାଘଡଙ୍ଗରି ଗାଁରୁ ଆସିଛି । ବାଘଡଙ୍ଗରି ଗାଁକୁ ପକା ରାସ୍ତା ଟିଏ ନଥିବାରୁ କାଦୁଅ ରାସ୍ତା ଦେଇ ଗର୍ଭବତୀ ମହିଳାଙ୍କୁ ଖଟିଆରେ ଭାର କରି ପ୍ରାୟ ଦୁଇ କିଲୋମିଟରରୁ ଅଧିକ ଜାମଗୁଡା ଛକକୁ ଆଣିଥିଲେ ଲୋକେ । ପରେ ତାଙ୍କୁ ଜାମଗୁଡା ଛକ ଠାରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସରେ ଝରିଗାଁ ଡାକ୍ତରଖାନା ଅଣାଯାଇଥିଲା।
ସୂଚନା ଅନୁଯାୟୀ ବାଘଡଙ୍ଗରି ଗ୍ରାମର ଗଗନ ପୂଜାରୀଙ୍କ ସ୍ତ୍ରୀ ଦ୍ରୋପତୀ ପୂଜାରୀଙ୍କ ସକାଳ ପ୍ରାୟ ୧୦ ବେଳେ ପ୍ରସବ ବେଦନା ଆରମ୍ଭ ହୋଇଥିଲା । ବିଛିନ୍ନାଞ୍ଚଳ ହୋଇଥିବାରୁ ଆମ୍ବୁଲାନ୍ସକୁ ୩ ଟାବେଳେ ଜାମଗୁଡା ଛକରେ ପହଞ୍ଚି ଥିଲା। ଆଉ ଆଗକୁ ଯାଇ ପାରି ନ ଥିଲା। ବାଘଡଙ୍ଗାରି ଗାଁକୁ ପକା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଜାମଗୁଡା ଛକ ଠାରେ ଅଟକି ଯାଇଥିଲା ।
ଶେଷରେ ପରିବାର ଲୋକେ ଗର୍ଭବତୀଙ୍କୁ ଖଟିଆରେ ବୋହି ପ୍ରାୟ ଦୁଇ କିମିରୁ ଅଧିକ କାଦୁଅ ରାସ୍ତାରେ ଜାମଗୁଡା ଛକରେ ଥିବା ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ପରେ ତାଙ୍କୁ ଝରିଗାଁ ଡାକ୍ତରଖାନା କୁ ଅଣାଯାଇଥିଲା। ଡାକ୍ତରଖାନାରେ ଦ୍ରୋପତୀ ପୂଜାରୀ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଉଭୟ ମା ଓ ନବଜାତ ଶିଶୁ ସୁସ୍ଥ ଥିବାର ଡାକ୍ତରଖାନାରୁ ସୂଚନା ମିଳିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।