ପୁରୀ(ମଧୁସୂଦନ ମିଶ୍ର): ଆଜି ବି ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଗତକାଲି ଭଳି ଆଜି ମଧ୍ୟ ସ୍ଥାନୀୟ ଲୋକ ଧାଡ଼ି ଦର୍ଶନ ପାଇଁ ଅମଙ୍ଗ ହୋଇଥିଲେ।
ମଙ୍ଗଳ ଆଳତୀ ପାଇଁ ଅଲଗା ଦ୍ୱାରରେ ପ୍ରବେଶ କରାଇବା ଲାଗି ସ୍ଥାନୀୟ ଲୋକ କିଛି ସମୟ ଧରି ଜିଦ୍ ଧରିଥିଲେ। ପରେ ବ୍ୟାରିକେଡ୍ ଭାଙ୍ଗି ମନ୍ଦିର ଭିତରେ ଶ୍ରଦ୍ଧାଳୁ ପ୍ରବେଶ କରିଥିଲେ। ଆଜି ଦିବ୍ୟାଙ୍ଗ, ଭିଆଇପି ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନୂଆ ବ୍ୟାରିକେଡ୍ କରାଯାଇଥିଲା।
ଗତକାଲି ଠାରୁ ଶ୍ରୀମନ୍ଦିରରେ ପରୀକ୍ଷାମୂଳକ ଭାବେ ଧାଡ଼ିଦର୍ଶନ ଆରମ୍ଭ ହୋଇଥିଲା। ତେବେ ପ୍ରଥମ ଦିନରୁ ଏଥିରେ ବିଭ୍ରାଟ ଦେଖା ଦେଇଥିଲା। ସକାଳେ ମନ୍ଦିର ଖୋଲା ହେବା ମାତ୍ରେ ଧାଡ଼ିଦର୍ଶନରେ ବିଭ୍ରାଟ ଦେଖା ଦେଇଥିଲା।
ଧାଡ଼ିଦର୍ଶନ ପାଇଁ ଥିବା ବାରିକେଡ୍ରେ ପ୍ରବେଶ ନକରି ଶ୍ରଦ୍ଧାଳୁମାନେ ମନ୍ଦିର ଭିତରକୁ ମନଇଚ୍ଛା ପ୍ରବେଶ କରିଥିଲେ। ଧାଡ଼ି ବ୍ୟବସ୍ଥାକୁ ବିରୋଧ କରି ଶ୍ରୀଜଗନ୍ନାଥ ସେନାର କର୍ମୀ ଓ ସ୍ଥାନୀୟ ମହିଳା ଭକ୍ତ ବ୍ୟାରିକେଡ୍ ବାହାର କରି ଭିତରକୁ ପଶିଥିଲେ। କିଛି ସମୟ ଧରି ବିନା ଧାଡ଼ିରେ ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
ବ୍ୟବସ୍ଥାକୁ ସ୍ଥାନୀୟ ଲୋକ, ଭକ୍ତ, ସେବାୟତ ବିରୋଧ କରିଥିଲେ। ହେଲେ କିଛି ଘଣ୍ଟା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ଢଙ୍ଗରେ ଚାଲିଥିଲା। ଧାଡ଼ିଦର୍ଶନ ଓ ଅନ୍ୟ କେତେକ ଘଟଣାକୁ ବିରୋଧ କରି ଆସନ୍ତାକାଲି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ଦିଆଯାଇଛି।
https://www.youtube.com/watch?v=vMATpuWasCk
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।