ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ତିତ୍ଲି। ଏନେଇ ଘନ ଘନ ସୂଚନା ଦେଉଛି ପାଣିପାଗ ବିଭାଗ। ଏଣେ ସମୁଦ୍ରର ଅଶାନ୍ତ ରୂପ ଓ ତୁହାକୁ ତୁହା ବର୍ଷା ବି ହେଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି।
ତିତ୍ଲି ପାଇଁ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି। ୫ଟି ଜିଲ୍ଲାରେ ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜିଲ୍ଲା ଗୁଡ଼ିକ ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲା ରହିଛି।
ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧାରେ ସ୍ଥାନାନ୍ତରଣ ଜାରି। ଗଞ୍ଜାମ ଜିଲ୍ଲାରେ ୭୫୩ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ଜଗତସିଂହପୁର ଜିଲ୍ଲାରେ ପ୍ରାୟ ହଜାର ଜଣଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି। ଖୋର୍ଦ୍ଧା ଜିଲ୍ଲାରେ ୧୪୪ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି।