ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ରୋଗିଣା ହୋଇଯାଇଛି ସରକାରୀ ଡାକ୍ତରଖାନାର ସ୍ୱାସ୍ଥ୍ୟ ବ୍ୟବସ୍ଥା। ଯେଉଁ ଡାକ୍ତରଖାନାରେ ୧୮ ଜଣ ଡାକ୍ତର ରହିବା କଥା, ସେଠାରେ ଅଛନ୍ତି ମାତ୍ର ୬ ଡାକ୍ତର। ବିଶେଷଜ୍ଞ ଡାକ୍ତର ନ ଥିବାରୁ ଡାକ୍ତରଖାନାର ବିଭିନ୍ନ ବିଭାଗ ଅଚଳ ହୋଇପଡ଼ିଛି। ଫଳରେ ରୋଗୀମାନଙ୍କୁ ଏଠାରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ମିଳୁନି। ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଏଭଳି ସ୍ଥିତିକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହାର ପ୍ରତିବାଦରେ ରେଢାଖୋଲ ଜନକଲ୍ୟାଣ ସମିତି ପକ୍ଷରୁ ସ୍ଥାନୀୟ ଭୀମଭୋଇ ଛକରେ ଆଜି ଠାରୁ ଗଣଧାରଣା ଆରମ୍ଭ ହୋଇଛି।
ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ, ହାତଟିଏ ଭାଙ୍ଗିଗଲେ ଏହି ଡାକ୍ତରଖାନାରେ ଚିକିତ୍ସା ମିଳୁନି। ରୋଗୀଙ୍କୁ ବୁର୍ଲା ରେଫର କରାଯାଉଛି। ସାମାନ୍ୟ ଜ୍ୱର, ଝାଡ଼ା, ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଏଠାରେ ଡାକ୍ତରୀ ସେବା ମିଳୁନି। ଏହା ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ମେଡିସିନ୍ ସ୍ପେଶାଲିଷ୍ଟ ସମେତ ବିଭିନ୍ନ ବିଭାଗର ଡାକ୍ତର ନ ଥିବାରୁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅସୁସ୍ଥ ରୋଗୀମାନେ ପ୍ରତିଦିନ ଲମ୍ୱା ଧାଡ଼ିରେ ଘଣ୍ଟାଘଣ୍ଟା ଠିଆ ହେବା ପରେ ସେମାନଙ୍କୁ ଡାକ୍ତରୀ ପରାମର୍ଶ ମିଳୁଛି। ୨୪ ଘଣ୍ଟିଆ ନିରାମୟ କେନ୍ଦ୍ର ଖୋଲା ରହୁ ନ ଥିବାରୁ ଗରିବ ରୋଗୀଙ୍କୁ ଆବଶ୍ୟକ ମାଗଣା ଔଷଧ ମିଳିପାରୁନି। ଫଳରେ ସେମାନେ ଖର୍ଚ୍ଚାନ୍ତ ହେଉଛନ୍ତି। ସମ୍ବଲପୁର ଜିଲ୍ଲାରୁ ୨୨ ବର୍ଷ ଭିତରେ ୩ ଜଣ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଛନ୍ତି। ତାହା ବି ରେଢ଼ାଖୋଲ ନିର୍ବାଚନ ମଣ୍ଡଳିରୁ। ହେଲେ ଦୁର୍ଭାଗ୍ୟର ବିଷୟ ଆଜି ବି ଏଠାରେ ଡାକ୍ତର ନାହାନ୍ତି। ଛୋଟ ରୋଗଟିଏ ହେଲେ ରୋଗୀକୁ ଏଠାରୁ ଅନ୍ୟ ସ୍ଥାନକୁ ରେଫର କରି ଦିଆଯାଉଛି। ଏହି ହସ୍ପିଟାଲ ଉପରେ ୬ଟା ଜିଲ୍ଲାର ଲୋକେ ନିର୍ଭର କରନ୍ତି। ଦାନ୍ତ ଡାକ୍ତର ୨ ବର୍ଷ ହେଲା ଛୁଟିରେ ଅଛନ୍ତି। ଏଠାରେ ଡାକ୍ତର ନ ଥିବାରୁ ରୋଗୀ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର ହେବା ବାଟରେ ମୃତ୍ୟୁ ମୁଖରେ ପଡ଼ୁଛି। ଏଠାରେ ଗର୍ଭବତୀମାନଙ୍କୁ ଉଚିତ୍ ଚିକିତ୍ସା ଦିଆ ନ ଯାଇ ନିକଟସ୍ଥ ନର୍ସିଂ ହୋମ୍କୁ ପଠାଇ ଦିଆଯାଉଛି। ଏହା ପଛରେ ଏକ ଷଡ଼ଯନ୍ତ୍ର କାମ କରୁଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦିଆଯାଉନି। ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ଏକ ପ୍ରକାର ଶନିଦଶା ପଡ଼ିଛି। ତେବେ ସମସ୍ୟା ସମାଧାନ ନ ହେଲେ ଆଗକୁ ବଡ଼ ଅନ୍ଦୋଳନ କରାଯିବ ବୋଲି ଧାରଣକାରୀ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ଏହି ଡାକ୍ତରଖାନା ବହୁ ସମସ୍ୟା ଭିତରେ ଚାଲିଛି। ରୋଗୀ ହନ୍ତସନ୍ତ ହେଉଛନ୍ତି। ମେଡିକାଲର ଏସଡିଏମଓଙ୍କ ସମେତ ୫ ଜଣ ଡାକ୍ତର ଲମ୍ୱା ଛୁଟିରେ ରହିଛନ୍ତି। ମେଡିସିନି ବିଶେଷଜ୍ଞ ପୋଷ୍ଟ ଆଜିକୁ ୧୪ବର୍ଷ ହେଲାଣି ଖାଲି ପଡିଛି। ରୋଗୀ କଲ୍ୟାଣ କମିଟି ବୌଠକ ଗତ ଦୁଇ ବର୍ଷ ହେଲାଣି ବସିପାରିନି। ଏନେଇ ସ୍ଥାନୀୟ ବିଧାୟକ ଓ ଅନ୍ୟ ଜନପ୍ରତିନିଧି ରହସ୍ୟଜନକ ଭାବେ ଚୁପ୍ ରହିଛନ୍ତି। ରେଡକ୍ରସରୁ ଡ୍ରାଇଭରଙ୍କୁ ଦରମା ନ ମିଳିବାରୁ ଆଜିକୁ ଦେଢ ମାସ ହେଲାଣି ମହାପ୍ରୟାଣ ଆମ୍ୱୁଲାନ୍ସ ଗାଡି ବନ୍ଦ ହୋଇ ପଡିଛି। ନୂତନ ଶବ ବ୍ୟବଚ୍ଛେଦ ଗୃହର ବ୍ୟବସ୍ଥା ହୋଇପାରିନି। ମେଡିକାଲର ପରିଚାଳନା ବ୍ୟବସ୍ଥା କେବଳ ନାମକୁମାତ୍ର ଖାତାପତ୍ରରେ ଚାଲିଛି। ଯାହାକୁ ନେଇ ଜନଅସନ୍ତୋଷ ବଢ଼ି ଚାଲିଛି।
[caption id="attachment_771887" align="aligncenter" width="650"]
ଏ ସବୁ ସମସ୍ୟାର ସମାଧାନ ଦାବି ନେଇ ରେଢାଖୋଲ ଜନକଲ୍ୟାଣ ସମିତି ପକ୍ଷରୁ ଭୀମଭୋଇ ଛକରେ ଗଣଧାରଣା ଆରମ୍ଭ ହୋଇଛି। ତେବେ ଏନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କିମ୍ବା ଜନପ୍ରତିନିଧିମାନଙ୍କ ପ୍ରତିକ୍ରିୟା ମିଳିପାରିନି।