ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ଆଜି ସନ୍ଧ୍ୟା ସାଢେ ୫ଟାରେ ବନ୍ଦେ ଉତ୍କଳ ଜନନୀର ସମୂହ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ଏମିତିକି କୋଭିଡ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ସହ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ବିଦେଶରେ ଥିବା ସବୁ ଓଡିଆ ମଧ୍ୟ ଏହାକୁ ସାମୁହିକ ଭାବେ ଗାଇବା ପାଇଁ ଅନୁରୋଧ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଓଡିଆ ଭାଉଭଉଣୀମାନେ ଯେଉଁଠି ବି ଥାଆନ୍ତୁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ଅନୁରୋଧ କରାଯାଇଛି । ସବୁ ଟ୍ରାଫିକ ବନ୍ଦ ରଖିବା ପାଇଁ ବି ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପାଳନ କରିବା ଲାଗି ଗତ କାଲିଠୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କମିଶନରେଟ୍ ପୁଲିସ୍।
ଏଥିପାଇଁ ଗତକାଲି କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତର ଅଭ୍ୟାସ କରାଯାଇଥିଲା । କମିଶନରେଟ୍ ପୁଲିସ୍ ବ୍ୟାଣ୍ଡ ପକ୍ଷରୁ ଏହି ଗୀତ ଅଭ୍ୟାସ କରାଯାଇଥିଲା । ଏହି ଅବସରରେ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ପୂର୍ବତଟ ରେଲୱେ ପକ୍ଷରୁ ମଧ୍ୟ ଏଥିନିମନ୍ତେ ପ୍ରସ୍ତୁତି କରାଯାଇଛି । ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଳ କାର୍ଯ୍ୟାଳୟ, ରେଳ କଲୋନୀରେ ସମବେଦ ଭାବେ ଏହାକୁ ଗାନ କରିବା ନିମନ୍ତେ ରେଲେଓ୍ୱ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।