ପ୍ଲାଜମା ଥେରାପୀ: ଫେଲ୍ ମାରିଲେ ନବୀନଙ୍କ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପ୍ଲାଜମା ଥେରାପୀ ମାଧ୍ୟମରେ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ମାରିଛି। ବିଶେଷକରି କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରବର୍ତ୍ତାଇ ପ୍ଲାଜମା ଦାନ ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିଜର ସମସ୍ତ ମନ୍ତ୍ରୀଙ୍କୁ ଜୁଲାଇ ୨୪ତାରିଖରେ ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରିଥିଲେ, ତାହା ଏବେ ମନ୍ତ୍ରୀମାନଙ୍କ ପାରିବାପଣିଆକୁ ପଦାରେ ପକାଇଛି। ଏପଟେ ପ୍ଲାଜମା ଥେରାପୀ ମାଧ୍ୟମରେ ରୋଗୀ ସୁସ୍ଥ ହେଉଛନ୍ତି ବୋଲି […]

PLAZMA-1-1

PLAZMA-1-1

Tapas Behera
  • Published: Wednesday, 16 September 2020
  • Updated: 16 September 2020, 08:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ପ୍ଲାଜମା ଥେରାପୀ ମାଧ୍ୟମରେ କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ରାଜ୍ୟ ସରକାରଙ୍କ ରଣନୀତି ଫେଲ୍ ମାରିଛି। ବିଶେଷକରି କରୋନାରୁ ମୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ପ୍ରବର୍ତ୍ତାଇ ପ୍ଲାଜମା ଦାନ ନିମନ୍ତେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ନିଜର ସମସ୍ତ ମନ୍ତ୍ରୀଙ୍କୁ ଜୁଲାଇ ୨୪ତାରିଖରେ ମୁଖ୍ୟମନ୍ତ୍ରୀ ଯେଉଁ ଜିଲ୍ଲା ଦାୟିତ୍ୱ ଆବଣ୍ଟନ କରିଥିଲେ, ତାହା ଏବେ ମନ୍ତ୍ରୀମାନଙ୍କ ପାରିବାପଣିଆକୁ ପଦାରେ ପକାଇଛି। ଏପଟେ ପ୍ଲାଜମା ଥେରାପୀ ମାଧ୍ୟମରେ ରୋଗୀ ସୁସ୍ଥ ହେଉଛନ୍ତି ବୋଲି କହି ନିଜ ସଫଳତାର ଆତ୍ମପ୍ରଚାର କରୁଥିବା ରାଜ୍ୟ ସରକାରଙ୍କୁ ଗତକାଲି(ବୁଧବାର) ଜାରି ଆଇସିଏମଆର(ଇଣ୍ଡିଆନ୍ କାଉନସିଲ୍ ଅଫ ମେଡିକାଲ ରିସର୍ଚ୍ଚ )ର ସର୍ଭେ ରିପୋର୍ଟ ଶକ୍ତ ଝଟକା ଦେଇଛି।

ସୂଚନା ଅନୁସାରେ, ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ୮ଜଣ ମନ୍ତ୍ରୀ ଏବେ କରୋନା ସଂକ୍ରମିତ ହୋଇଥିବାବେଳେ ମାତ୍ର ୩ଜଣ ମନ୍ତ୍ରୀ ସୁସ୍ଥ ହୋଇଛନ୍ତି । ଅନ୍ୟ ୫ଜଣ ମନ୍ତ୍ରୀ ଏବେବି କରୋନା କବଳରେ ରହି ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ପିପିଇ କିଟ୍ , ମାସ୍କ ଓ ଅନ୍ୟାନ୍ୟ କୋଭିଡ୍ ଉପକରଣ କ୍ରୟରେ ହୋଇଥିବା ଦୁର୍ନୀତି ଚର୍ଚ୍ଚା ମଧ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜର ମନ୍ତ୍ରୀମାନଙ୍କୁ ଜିଲ୍ଲାୱାରି ଦାୟିତ୍ୱ ଦେଇ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପ୍ରତି ପ୍ରୋତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ। ସେତେବେଳେ ଲକଡାଉନ୍ ଓ ଶଟଡାଉନ୍ ସମେତ ଆର୍ଥିକ କଟକଣା ସତ୍ତ୍ୱେ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ତୁଷାରକାନ୍ତି ବେହେରା ହେଲିକପ୍ଟର ଧରି ପ୍ଲାଜମା ଦାନ ପ୍ରତି କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ବୁଝାଇବାକୁ ଯଥାକ୍ରମେ ନବରଙ୍ଗପୁର ଓ ମାଲକାନଗିରି ଯାଇଥିଲେ। ଆର୍ଥିକ ସଙ୍କଟବେଳେ ମନ୍ତ୍ରୀଦ୍ୱୟଙ୍କ ବିମାନରେ ଉଡ଼ିବା ନିଶାକୁ ସବୁମହଲରୁ ନିନ୍ଦା କରାଯାଇଥିଲା। ଆଉ କିଛି ମନ୍ତ୍ରୀ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାରେ ପ୍ଲାଜମା ଦାନ ପ୍ରତି ସଚେତନତା ସୃଷ୍ଟି ନାଁରେ ପ୍ରଚାରପ୍ରସାର କରାଇବାକୁ ବି ଭୁଲି ନଥିଲେ। କିନ୍ତୁ ଆଜି ସୁଦ୍ଧା ରାଜ୍ୟର କେତେଜଣ ଗୁରୁତର କରୋନା ରୋଗୀ ପ୍ଲାଜମା ଥେରାପୀ ମାଧ୍ୟମରେ ସୁସ୍ଥ ହେଲେ ତା’ର ହିସାବକୁ ସରକାର ସାର୍ବଜନୀନ କରୁନାହାନ୍ତି। କିମ୍ବା ମନ୍ତ୍ରୀମାନଙ୍କ କଥାରେ ପ୍ରୋତ୍ସାହିତ ହୋଇ କରୋନାରୁ ସୁସ୍ଥ ହୋଇଥିବା କେତେ ରୋଗୀ ପ୍ଲାଜମା ଦାନ କଲେ ତାହା ବି ଏପର୍ଯ୍ୟନ୍ତ କେହି ଜାଣିବାର ସୁଯୋଗ ନାହିଁ। କେବଳର ରାଜନୀତିକ ମାଇଲେଜ୍ ନେବା ପାଇଁ ନିଜର ମନ୍ତ୍ରୀମାନଙ୍କୁ  ନବୀନ ଯେଉଁ ଦାୟିତ୍ୱ ଦେଇଥିଲେ ତାହା ଏବେ ପ୍ରାୟତଃ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି।   ଜିଲ୍ଲା ଦାୟିତ୍ୱ ମିଳିବାପରେ ଅଗଷ୍ଟ ପ୍ରଥମ ସପ୍ତାହ ମଧ୍ୟରେ କିଛି ହାତଗଣତି ମନ୍ତ୍ରୀ ଏହି ପ୍ଲାଜମା ଦାନ ପାଇଁ ସଚେତନତା ସୃଷ୍ଟି କରିଥିଲେ।

କିନ୍ତୁ ମହାମାରୀବେଳେ ରାଜନୀତିକ ମାଇଲେଜ୍ ନେବାକୁ ହେଉଥିବା ଏହି ପ୍ରୟାସର ବାସ୍ତବ ସ୍ଥିତିକୁ ପରଖିବାପରେ  ମନ୍ତ୍ରୀମାନେ ବି ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ।  ଆଉ ଚତୁରତାର ସହ ସରକାର ମଧ୍ୟ ‘ପ୍ଲାଜମା ଦାନ’ କଥାକୁ ଆଉ ବିଶେଷ ଗୁରୁତ୍ୱ କି ପ୍ରଚାରପ୍ରସାର କରାଇନଥିଲେ। ଅବଶ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟର ୬ଟି ମେଡିକାଲରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରାଇ କରୋନା ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ସନ୍ଦେଶ ଦେଇଥିଲେ। ରାଜ୍ୟରେ ଆଜିସୁଦ୍ଧା ୧ଲକ୍ଷ ୨୫ହଜାର ୭୩୮ଜଣ ସଂକ୍ରମିତ ରୋଗୀ ସୁସ୍ଥ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣ କ୍ଷେତ୍ରରେ ପ୍ଲାଜମା ଥେରାପି ଉପଯୋଗ ହୋଇଛି ତାହା କେହି ଜାଣନ୍ତି ନାହିଁ।
ଅନ୍ୟପକ୍ଷରେ ଆଇସିଏମଆର ଡିଜି ବଳରାମ ଭାର୍ଗବ ଗତକାଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ ୨୨ରୁ ଜୁଲାଇ ୧୪ତାରିଖ ମଧ୍ୟରେ  ୧୪ଟି ରାଜ୍ୟର ୨୫ଟି ଜିଲ୍ଲାରେ ଥିବା ୩୯ଟି ହସ୍ପିଟାଲର ୪୬୪ଜଣ ରୋଗୀଙ୍କ ଉପରେ ଏକ ସର୍ଭେ କରାଯାଇଥିଲା। ସର୍ଭେରୁ ଜଣାପଡ଼ିଲା ଯେ, ପ୍ଲାଜମା ଥେରାପୀ କରୋନା ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ହ୍ରାସ କରୁନି କିମ୍ବା ଗୁରୁତରଙ୍କ ମଧ୍ୟରେ ପ୍ରତିରୋଧକ କ୍ଷମତା ବୃଦ୍ଧିରେ ସହାୟକ ହେଉନି। ଓଲଟା ସଂକ୍ରମିତଙ୍କ ଶରୀରରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରାଇବାର ଆଶଙ୍କା ରହିଛି। ଯେଉଁଥିପାଇଁ କରୋନା ଚିକିତ୍ସା ପାଇଁ ଗଠିତ ନ୍ୟାସନାଲ ଟ୍ୟାସ୍କ ଫୋର୍ସର ଜଏଣ୍ଟ ମନିଟରିଂ ଗ୍ରୁପ୍ ଖୁବଶୀଘ୍ର ପ୍ଲାଜମା ଥେରାପୀ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କିନ୍ତୁ ଓଡ଼ିଶା ସରକାର ଏପର୍ଯ୍ୟନ୍ତ ଏହି ଥେରାପୀକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି।
ଓଡ଼ିଶା ଏବେ ଦେଶର ସର୍ବାଧିକ ସକ୍ରିୟ ସଂକ୍ରମିତ ରୋଗୀଙ୍କ ତାଲିକାର ଷଷ୍ଠରେ ଥିବାବେଳେ ସୁସ୍ଥ ହାରରେ ବି ବହୁ ପଛରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos