ରାଉରକେଲା (ପବନ ତିୱାରୀ): ବିକାଶଠାରୁ ଯୋଜନ ଦୂରରେ ରହିଛି ରାଉରକେଲା ନିକଟ ଖୁଣ୍ଟ ଗ୍ରାମ ପଞ୍ଚାୟତର ନାଗରାଟୋଲି ବସ୍ତି। ରାଉରକେଲା ସହରଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ବସ୍ତି ଥିଲେ ମଧ୍ୟ ଏଠାକାର ଲୋକେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି। ଦୀପ ତଳ ଅନ୍ଧାର ଭଳି ଅବସ୍ଥା ହୋଇଛି ଏ ବସ୍ତିର।
ରାଜ୍ୟର ଦ୍ୱିତୀୟ ସ୍ମାର୍ଟସିଟି ହେଉଛି ରାଉରକେଲା, ଯେଉଁଠି ଦିନ ରାତି ୨୪ ଘଣ୍ଟା ଲୋକେ କାମ କରନ୍ତି। ହେଲେ ସହରର ଖୁବ୍ ନିକଟରେ ଥିବା ନାଗରାଟୋଲି ବସ୍ତିରେ ବିକାଶର ଛାପ ଟିକେ ବି ପଡ଼ିପାରିନି। ପ୍ରାୟ ୩୦ଟି ପରିବାର ରହୁଥିବା ଏହି ବସ୍ତି ଜଙ୍ଗଲ ଓ ପାହାଡ଼ ଘେରରେ ରହିଛି। ବସ୍ତିକୁ ଯିବା ପାଇଁ ରାସ୍ତାଟିଏ ନାହିଁ। କେବଳ ପାଦ ଚଲା ରାସ୍ତାଟିଏ ବସ୍ତି ପର୍ଯ୍ୟନ୍ତ ଲମ୍ବିଛି। ଏହି ବସ୍ତି ପୂର୍ବରୁ ଏକ କଲଭର୍ଟ ଥିଲା, ଯାହା ବର୍ଷେରୁ ଅଧିକ ସମୟ ହେବ ଭାଙ୍ଗି ଯାଇଛି। ଏବେ ଭରସା କେବଳ ବାଉଁଶ ପୋଲ। ବସ୍ତିର କିଛି ପିଲା ପ୍ରତିଦିନ ଏହି ବିପଦସଙ୍କୁଳ ପୋଲ ଦେଇ ପାଠପଢ଼ିବାକୁ ରାଉରକେଲାକୁ ଆସନ୍ତି। ବସ୍ତିରେ ଥିବା ସମସ୍ତ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇପାରିନି। ପ୍ରଶାସନ କେବଳ ଏ ବସ୍ତିରେ ଗୋଟି ନଳକୂପ ବସାଇ ହାତଯୋଡ଼ି ବସିଛି।
ବସ୍ତିରେ ରହୁଥିବା ଲିଟୁଙ୍ଗୁ ଏକ୍କା କହିଛନ୍ତି, “ଆମକୁ ଯିବା ଆସିବାରେ ବହୁତ ଅସୁବିଧା ହେଉଛି। ଏପରିକି ଛୋଟ ପିଲା ସ୍କୁଲ୍ ଯିବାରେ ଓ ରାତି ହେଲେ ରୋଗୀକୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଖଟରେ ବୋହି ମେନ୍ ରୋଡ୍ ପର୍ଯ୍ୟନ୍ତ ରୋଗୀକୁ ନେବାକୁ ପଡୁଛି। ଏଠି ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ। ବିଦ୍ୟୁତ୍ ବ୍ୟବସ୍ଥା କରାଯାଇଛି। ହେଲେ ଏଯାଏ ବିଦ୍ୟୁତ୍ ସଂଯୋଗ ଦିଆଯାଇନି। ଅନ୍ୟପକ୍ଷରେ ବିଲ୍ ଆସିଲାଣି।”