ମାଲକାନଗିରି (ଜିତେନ୍ଦ୍ର ବେଉରା) : ମାଲକାନଗିରିରେ ବନ୍ୟା ବିଭୀଷିକା । ଜିଲାର ବିଭିନ୍ନ ନଦୀରେ ପାଣି ଉଛୁଳି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କେଉଁଠି ରାସ୍ତା ଧୋଇ ହୋଇ ଯାଇଛି ତ କେଉଁଠି ପୋଲ ଭାସି ଯାଇଛି। ଏପରି ସ୍ଥିତିରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ଜଣେ ଆସନ୍ନ ପ୍ରସବାଙ୍କ ଜୀବନ ବଞ୍ଚାଇଛନ୍ତି ପୁଲିସ ଓ ଓଡ୍ରାଫ୍ ଟିମ୍ ।
ଖଇରପୁଟ ବ୍ଲକ ମଝିଗୁଡ଼ାରେ ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ହେଲେ ବନ୍ୟାରେ ରାସ୍ତା ଧୋଇଯିବାରୁ ମହିଳାଙ୍କୁ କିପରି ଡାକ୍ତରଖାନାରେ ପହଞ୍ଚାଇବେ ପରିବାର ଲୋକଙ୍କୁ ବୁଦ୍ଧି ଜୁଟୁ ନ ଥିଲା।
ଏ ସମ୍ପର୍କରେ ଖବର ପାଇବା ପରେ ଚିତ୍ରକୋଣ୍ଡା ଏସ୍ଡ଼ିପିଓ, ଅଗ୍ନିଶମ କର୍ମଚାରୀ ଓ ପୁଲିସ କର୍ମଚାରୀ ମିଳିତ ଭାବେ ଗାଁରେ ପହଞ୍ଚି ମହିଳାଙ୍କୁ ରାସ୍ତା ପାର୍ କରାଇଥିଲେ। ସେମାନେ ରଶି ବାନ୍ଧି ମହିଳାଙ୍କୁ ରାସ୍ତା ପାର୍ କରାଇଥିଲେ। ଅଗ୍ନିଶମ କର୍ମଚାରୀ ଓ ପୁଲିସ୍ କର୍ମଚାରୀଙ୍କ ଏଭଳି ମହତ କାମର ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଆଉ ସାରା ରାଜ୍ୟରେ ଦୁଇ ବାହିନୀ ପ୍ରତି ପ୍ରଶଂସାର ସୁଅ ଛୁଟିଛି ।