ମେଡିକାଲ କଲେଜରେ ଏଣ୍ଟ୍ରି ପାଇଁ ନେଇଥିଲେ ୩୦ ଲକ୍ଷ ଟଙ୍କା, ବନ୍ଧା ହେଲେ ୨ ଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣ୍ଟ୍ରାନ୍ସରେ ଭଲ ରାଙ୍କ ନଥିଲେ ମଧ୍ୟ ମେଡିକାଲ କଲେଜରେ ସିଟ୍‌ ଯୋଗାଡ଼ କରି ଦେବାକୁ କହି ୧୦ ବର୍ଷ ହେଲା ଆଶାୟୀଙ୍କୁ ଠକି ମାଲେମାଲ ହୋଇଥିବା ୨ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଗିରଫ ୨ ଯୁବକ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଡିସିପିଙ୍କ ସୂଚନା ଅନୁଯାୟୀ, ଗତ […]

bbsr

bbsr

Niharika Rout
  • Published: Saturday, 21 May 2022
  • Updated: 21 May 2022, 05:17 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଣ୍ଟ୍ରାନ୍ସରେ ଭଲ ରାଙ୍କ ନଥିଲେ ମଧ୍ୟ ମେଡିକାଲ କଲେଜରେ ସିଟ୍‌ ଯୋଗାଡ଼ କରି ଦେବାକୁ କହି ୧୦ ବର୍ଷ ହେଲା ଆଶାୟୀଙ୍କୁ ଠକି ମାଲେମାଲ ହୋଇଥିବା ୨ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଗିରଫ ୨ ଯୁବକ ହେଲେ ବିହାରର ଅଭିମନ୍ୟୁ କୁମାର ସିଂହ ଓ କୋଲକାତାର ସୁବୋଧ ଚୌଧୁରୀ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଡିସିପିଙ୍କ ସୂଚନା ଅନୁଯାୟୀ, ଗତ ୫ ତାରିଖରେ ଇନଫୋସିଟି ଥାନାରେ ଜଣେ ଯୁବତୀ ଏହି ଦୁଇ ଅଭିଯୁକ୍ତଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏକ ମେଡିକାଲ୍ କଲେଜରେ ନାଁ ଲେଖାଇ ଦେବାକୁ ଅଭିଯୁକ୍ତ ଦ୍ୱୟ ତାଙ୍କ ଠାରୁ ୩୦ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ କାମ ନ ହେବାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଯୁବତୀ ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିଲେ।

ଏହାପରେ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ଅଭିମନ୍ୟୁଙ୍କୁ ପାଟଣାରୁ ଓ ସୁବୋଧଙ୍କୁ କୋଲକତାରୁ ଗିରଫ କରିଛି। ସେମାନେ ସବୁବେଳେ ଛଦ୍ମ ନାମ ଅମିତ ବାନାର୍ଜୀ ଓ ବିକାଶ ରଞ୍ଜନରେ କାରବାର କରୁଥିଲେ।

ଇଞ୍ଜିନିୟର ଗ୍ରାଜୁଏଟ ହୋଇ ବି ମେଡିକାଲ କଲେଜରେ ଏଣ୍ଟ୍ରି ପାଇଁ କରୁଥିଲେ କାରବାର

ଅଭିମନ୍ୟୁ ଓ ସୁବୋଧ ଦୁହେଁ ଇଞ୍ଜିନିୟରିଂ ଗ୍ରାଜୁଏଟ ହୋଇଥିବା ବେଳେ ବର୍ଷ ବର୍ଷ ଧରି ମେଡିକାଲ କଲେଜରେ ନାଁ ଲେଖାଇଦେବାକୁ କହି ଲୁଟୁଥିଲେ ଲକ୍ଷଲକ୍ଷ ଟଙ୍କା। ସେମାନେ କର୍ଣ୍ଣାଟକ, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାରରେ ଥିବା ମେଡିକାଲ କଲେଜ ସମ୍ପର୍କରେ ଟିକନିଖି ତଥ୍ୟ ରଖୁଥିଲେ। କେତେ ସିଟ୍‌ ଫିଲଅପ୍‌ ହେଲା, ଆଉ କେତେ ବାକି ରହିଲା, ତାହାର ହିସାବ କିତାବ ରଖୁଥିଲେ ଏହି ୨ ଠକ। ଏହି ତଥ୍ୟ ଜରିଆରେ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଠକିବାକୁ ସେମାନଙ୍କୁ ସୁବିଧା ହେଉଥିଲା।

[caption id="attachment_735790" align="aligncenter" width="650"]fraud ଗିରଫ ୨ ଠକଙ୍କ ନିକଟରୁ ଜବତ ଟଙ୍କା ଓ ମୋବାଇଲ ।[/caption]

କିପରି ବିଛାଉଥିଲେ ଜାଲ?

ସେମାନେ ଏଣ୍ଟ୍ରାନ୍ସ ରେଜଲ୍ଟ ବାହାରିବାକୁ ଅପେକ୍ଷା କରୁଥିଲେ। ଏହାପରେ ନେଟରୁ ଛାତ୍ରଛାତ୍ରଙ୍କ ଡାଟା ସଂଗ୍ରହ କରି ସେମାନଙ୍କ ନିକଟକୁ ମେସେଜ ପଠାଉଥିଲେ। ଏଥିନିମନ୍ତେ ସେମାନେ ବିଭିନ୍ନ ଆପ୍‌ ବ୍ୟବହାର କରୁଥିଲେ। ଯେଉଁମାନେ ସେମାନଙ୍କ ମେସେଜର ରିପ୍ଲାଏ କରୁଥିଲେ, ସେମାନଙ୍କ ସହ ଯୋଗାଯୋଗ କରୁଥିଲେ। ଯୋଗାଯୋଗ ନିମନ୍ତେ ସେମାନେ ଏପରି ଆପ୍‌ ବ୍ୟବହାର କରୁଥିଲେ, ଯାହାଦ୍ୱାରା ଟ୍ରୁ କଲରରେ ମଧ୍ୟ ପ୍ରକୃତ ନାମ ଆସିବ ନାହିଁ। ଫଳରେ ସେମାନେ ଛଦ୍ମନାମରେ ବିଛାଉଥିଲେ ଜାଲ ।

ସେମାନେ ନିଜକୁ କଲେଜ ଅଧିକାରୀ ଭାବେ ପରିଚୟ ଦେଇ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କ ମନରେ ବିଶ୍ୱାସ ଜନ୍ମାଉଥିଲେ। ବିଭିନ୍ନ ଜାଗାରେ ଭେଟି ମେଡିକାଲ କଲେଜରେ ଆଡମିଶନ କରାଇ ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କୁ ନିଜ ଟ୍ରାପ୍‌ରେ ଫସାଉଥିଲେ। ଏହାପରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ଛୁ ମାରୁଥିଲେ। ସେମାନେ କିଛି ପିଲାଙ୍କୁ ମେଡିକାଲ କଲେଜରେ ଆଡମିଶନ କରାଇ ଦେଇଥିବା ତଦନ୍ତରୁ ଜଣାପଡ଼ିଥିବା କହିଛନ୍ତି ଡିସିପି।

ଫେକ୍‌ ଆଧାର କାର୍ଡରେ ଚଳାଇଥିଲେ କାରବାର

ବିଭିନ୍ନ ରାଜ୍ୟର ମେଡିକାଲ କଲେଜରେ ଆଡମିଶନ କରାଇ ଦେବା ନିମନ୍ତେ ଉଭୟ ଅଭିମନ୍ୟୁ  ଓ ସୁବୋଧ ବିଭିନ୍ନ ରାଜ୍ୟକୁ ଯାଉଥିଲେ। ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକଙ୍କୁ ଦେଖା କରୁଥିଲେ। ଏଥିନିମନ୍ତେ ସେମାନେ ଫ୍ଲାଇଟ୍‌ରେ ଯାଉଥିବା ବେଳେ ବଡ଼ ବଡ଼ ହୋଟେଲରେ ରହୁଥିଲେ। ହେଲେ ଏଥିନିମନ୍ତେ ସେମାନେ ଫେକ୍‌ ଆଧାର କାର୍ଡ ବ୍ୟବହାର କରୁଥିବା ବେଳେ କେହି ଜାଣିପାରୁ ନ ଥିଲେ।

ଏହି ରାକେଟରେ ଏହି ୨ ଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିବା ବେଳେ ଆବଶ୍ୟକତା ହିସାବରେ ଅନ୍ୟମାନଙ୍କ ସାହାଯ୍ୟ ନିଅନ୍ତି। ହେଲେ ଏହି ରାକେଟ ଅଭିମନ୍ୟୁ ଓ ସୁବୋଧ ହିଁ ଚଳାଉଥିଲେ ବୋଲି  ଡିସିପି ପ୍ରତୀକ ସିଂହ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos