ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ତୁଷୁରା ଅଞ୍ଚଳରେ ତେଲନଦୀ ବ୍ରିଜରୁ ଗତକାଲିଠୁ ନିଖୋଜ ୨ ଭଉଣୀଙ୍କର ଏଯାଏଁ ପତ୍ତା ମିଳିନି । ତେବେ ସେମାନଙ୍କ ପରିଚୟ ମିଳିଛି । ନିଖୋଜ ଦୁଇ ଭଉଣୀ ହେଲେ ଅନମୋଲ ଅଗ୍ରଓ୍ୱାଲ ଓ ଆଞ୍ଚଲ ଅଗ୍ରଓ୍ୱାଲ।
ଗତକାଲି ପୂର୍ବାହ୍ନ ୧୧ଟା ବେଳେ ତୁଷୁରା ସହର ବୁଲିବାକୁ ଯାଉଛୁ କହି ଦୁଇ ଭଉଣୀ ଘରୁ ସ୍କୁଟିରେ ଘରୁ ବାହାରିଥିଲେ । ତେବେ ଦିନ ୧୨ଟା ବେଳେ ତେଲନଦୀ ବ୍ରିଜ ଉପରେ ସେମାନଙ୍କ ସ୍କୁଟି ଓ ଦୁଇହଳ ଚପଲ ଦେଖିବାକୁ ମିଳିଥିଲା । ଦୁଇ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ଖବର ପାଇ ପୁଲିସ୍ ଓ ଅଗ୍ନିଶମ ବିଭାଗ କାଲିଠୁ ଖୋଜାଖୋଜି ଚଳାଇଛନ୍ତି । ସର୍ଚ୍ଚ ଅପରେସନରେ ଓଡ୍ରାଫ ଟିମ ମଧ୍ୟ ସାମିଲ ହୋଇଛି ।
ନଦୀର ୨୦ କିଲୋମିଟର ଅଞ୍ଚଳକୁ ଯାଞ୍ଚ କରାଗଲାଣି । ତଥାପି ଦୁଇ ଜଣଙ୍କ ପତ୍ତା ମିଳିନି । ତେବେ ପୁଲିସ୍ କୌଣସି ପ୍ରତ୍ୟକ୍ଷଦର୍ଶୀ ପାଉନଥିବାରୁ ଦୁଇ ଭଉଣୀ ନଦୀକୁ ଡେଇଁଛନ୍ତି ନା ଅନ୍ୟ କୌଣସି ଅଘଟଣ ଘଟିଛି ତାକୁ ନେଇ ସନ୍ଦେହ ଉପୁଜୁଛି । ତେଣୁ ଘଟଣା ଏବେ ବି ସଂଦେହ ଘେରରେ ରହିଛି । ତୁଷୁରା ପୁଲିସ୍ ଘଟଣାର ଖୋଳତାଡ଼ ଚଳାଇଛି ।