ଯାଜପୁର(ଗୁଲାମ ଗସ୍ ): ଯାଜପୁର ଜିଲ୍ଲା ଧର୍ମଶାଳା ହରିଦାସପୁରର ବହୁ ଚର୍ଚ୍ଚିତ ରଙ୍ଗଶାଳା ଉଚ୍ଛେଦ ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି। । ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଉଚ୍ଛେଦ ଆରମ୍ଭ ହେବା ପୂର୍ବରୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ହରିଦାସପୁର ସରପଞ୍ଚ ଓ ତାଙ୍କ ସମର୍ଥକ ପହଞ୍ଚି ଘର ଭଙ୍ଗାକୁ ବିରୋଧ କରିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଏଥିପାଇଁ ଘଟଣାସ୍ଥଳରେ ୪ ମାଜିଷ୍ଟ୍ରେଟ ଓ ୧ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଏହି ରଙ୍ଗଶାଳାଟି ସରକାରୀ ଜମିରେ ଗଢି ଉଠିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଆଉ ସପ୍ତାହ ପରେ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ୩ ମାସ ପୁରିବାକୁ ଯାଉଛି । ହେଲେ ବାଲିଗିରିଠାରେ ଥିବା ବିବାଦୀୟ ଗେଷ୍ଟ ହାଉସକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସ୍ମିତାରାଣୀ ମୃତ୍ୟୁ ଘଟଣାରେ ହରିଦାସପୁର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର ଏବେ ଜେଲ୍ରେ ଅଛନ୍ତି । ଏହି ରଙ୍ଗଶାଳାରୁ ସନ୍ଦେହଜନକ ଅବସ୍ଥାରେ ସ୍ମିତାରାଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ନେଇ ରାଜନୈତିକ ତୁମ୍ବିତୋଫାନ ସହ ରାଜରାସ୍ତାକୁ ଓହ୍ଲାଇଥିଲେ ସାଧାରଣ ଜନତା।