ବାଲିଗୁଡ଼ା (ଅଜିତ ନାୟକ): ବିବାଦରେ ଫସିଗଲେ ବିଜେଡି ନେତା! ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ! ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଆଉ ଜଣଙ୍କୁ ବିବାହ କରିବା ପାଇଁ ସ୍ଥିର କରିଥିଲେ। ଏ ସମ୍ପର୍କରେ ଜାଣିପାରି ଥାନାରେ ଅଭିଯୋଗ କରିଥିଲେ ପ୍ରଥମ ପ୍ରେମିକା। ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ବିଜେଡି ନେତାଙ୍କୁ ଗିରଫ କରିଛି। ଏପରି ଘଟଣା କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଞ୍ଚଳରେ ଘଟିଛି।
ବିଜେଡି ନେତା ଏନ. ଲୁକୋ। ସେ ଏବେ ଜି.ଉଦୟଗିରି ବ୍ଲକ୍ ଉପାଧ୍ୟକ୍ଷ ଅଛନ୍ତି। ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ସେ ସୀମା(ଛଦ୍ମନାମ)ଙ୍କୁ ଭଲ ପାଉଥିଲେ। ସୀମା ମଧ୍ୟ ତାଙ୍କୁ ଭଲ ପାଉଥିଲେ। ଏହାର ସୁଯୋଗ ନେଇ ଏନ୍.ଲୁକୋ ତାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ!
ଅଭିଯୋଗରୁ ପ୍ରକାଶ, ଗତ କିଛି ଦିନ ହେଲା ସୀମାଙ୍କୁ ଏନ୍. ଲୁକୋ ଧରାଛୁଆଁ ଦେଉନଥିଲେ। ପୂର୍ବ ପରି ତାଙ୍କ ସହିତ କଥା ହେଉନଥିଲେ। ଅନ୍ୟପକ୍ଷରେ ଏନ୍. ଲୁକୋଙ୍କ ବିବାହ କରିବା ପାଇଁ ପରିବାର ଲୋକେ ଆଉ ଜଣେ ଯୁବତୀଙ୍କୁ ଠିକ୍ କରିଥିଲେ। ଆଉ କିଛି ଦିନ ପରେ ନିର୍ବନ୍ଧ ହୋଇଥାଆନ୍ତା। ଏକଥା ସୀମା ଜାଣିବା ପରେ ଏନ୍. ଲୁକୋଙ୍କ ବିରୋଧରେ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଭିତ୍ତି କରି ପୁଲିସ୍ ନଂ-୧୦୮/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ଏନ୍. ଲୁକୋଙ୍କୁ ଗିରଫ କରିଛି। ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିବା ବୋଲି ଜି.ଉଦୟଗିରି ଏସ୍ଡିପିଓ ଡି.ତିରୁପତି ରାଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।