ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦୦ ଡାଏଲ୍ କରି ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ। ଆଉ ତା’ପରେ ସାଂସଦ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଲା ପୁଲିସ। ଅନୁଭବଙ୍କ କଟକ ନନ୍ଦିସାହି ଘରେ ପୁରୀଘାଟ ଥାନା ପୁଲିସ ପହଞ୍ଚିଲା। ବର୍ଷାଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ପହଞ୍ଚିଥିବା ଜଣାପଡ଼ିଛି।
କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତ ସମ୍ପର୍କ ଦିନକୁ ଦିନ ଅଧିକ ବିବାଦୀୟ ହେଉଛି। ଏହି ମାମଲାରେ ବର୍ଷା ଆଣିଥିବା ପାରିବାରିକ ହିଂସା ମାମଲାରେ ଆଜି ଶୁଣାଣି ଥିବା ବେଳେ ତାରିଖ ଘୁଂଚିଛି । ପରବର୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ । ସେପଟେ ବର୍ଷା ସୁରକ୍ଷା ପାଇଁ ପୁଲିସକୁ ଫୋନ୍ କରି ସୁରକ୍ଷା ମାଗିଛନ୍ତି। ତେବେ ପୁଲିସ ସାଂସଦ ଅନୁଭବଙ୍କ ଘରେ ପହଚିଂ ଥିବା ଜଣାପଡ଼ିଛି।
ସୂଚନାରୁ ପ୍ରକାଶ, ସାଂସଦ ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସାଂଘାତିକ ଅଭିଯୋଗ ଆଣି କଟକ ଏସ୍ଡିଜେଏମ୍ କୋର୍ଟରେ ଆଶ୍ରୟ ନେଇଥିଲେ। ସେହିପରି ଅନୁଭବ ମଧ୍ୟ ପତ୍ନୀଙ୍କଠାରୁ ଛାଡ଼ପତ୍ର ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ପିଟିସନ୍ ଦାଖଲ କରିଛନ୍ତି।
ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଅଭିଯୋଗ ଗୁଡ଼ିକ ହେଉଛି- ଅନୁଭବ ଜଣେ ପେସାଦାର ମଦ୍ୟପ । ମଦ ପିଇବା ପରେ ସେ ସବୁ ହିତାହିତ ଜ୍ଞାନ ଭୁଲିଯାଆନ୍ତି । ମଦ୍ୟପ ସାଥୀଙ୍କ ସହ ନିଜ ଶୋଇବା ଘରେ ବର୍ଷାଙ୍କ ଉପସ୍ଥିତିରେ ଅନୁଭବ ମଦ ପିଅନ୍ତି। ବିରୋଧ କଲେହାତରେ ଓ ବାଡ଼ିରେ ପିଟନ୍ତି । ତାସହ ଗୋଇଠା ମାରନ୍ତି ବୋଲି ବର୍ଷା ଉଲ୍ଲେଖ କରିଛନ୍ତି । ସେହିପରି ସନ୍ତାନସନ୍ତତି ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ଏହାକୁ ଏଡ଼ାଇ ଯାଉଥିଲେ ।
ଜୁନ୍ ୭ରେ ଅତ୍ୟାଚାରର ସବୁ ସୀମା ଟପି ଯାଇ ଅନୁଭବ ଓ ତାଙ୍କ ବାପା ଖରାପ ଭାଷାରେ ୨ ଘଣ୍ଟା ଗାଳିଗୁଲଜ କରିଥିଲେ। ଏହାପରେ ଜୁନ୍ ୧୧ରେ ତାଙ୍କୁ ଛାଡ଼ପତ୍ର ପାଇଁ ବାଧ୍ୟ କରିବା, ନହେଲେ ପରିଣାମ ଭୋଗିବାକୁ ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ବର୍ଷା। ବର୍ଷା ବିବାହ ପରେ ଏକାଧିକ ଫିଲ୍ମରେ ଅଭିନୟ କରିବା ପରେ ବି ତାଙ୍କୁ ପାରିଶ୍ରମିକ ଦେଇନାହାନ୍ତି ଅନୁଭବ । ଏପରିକି ଏକାଧିକ ଝିଅଙ୍କ ସହ ତାଙ୍କ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ବର୍ଷା ।
ଗତକାଲି ଅନୁଭବ ଏକ ପ୍ରେସ ବିବୃତ୍ତି ଜରିଆରେ ନିଜ ପକ୍ଷ ରଖି ଉଭୟଙ୍କ ବିବାହ ଖରାପ ସମୟ ଦେଇ ଗତି କରୁଥିବାରୁ ଛାଡ଼ପତ୍ର ପିଟିସିନ୍ ଦାଏର ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା ବୋଲି ନିଜ ପକ୍ଷ ରଖିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।