ରାଜନୀତିକ ଶତ୍ରୁତାରୁ ପୁଣି ଜଣଙ୍କୁ ହତ୍ୟା, ମାସକରେ ଗଲାଣି ୩ ଜଣଙ୍କ ଜୀବନ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ। ପଞ୍ଚାୟତ ନିର୍ବାଚନ ବେଳେ ଦେଖା ଯାଇଥିବା ଶତ୍ରୁତା ଯୋଗୁ ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କରୋଡା ପଞ୍ଚାୟତର ନବରଙ୍ଗପୁର ଗାଁର ବାବୁ ଗୌଡ଼ଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଉଭୟ ମୃତକ ଓ ଅଭିଯୁକ୍ତ ଶାସକ ବିଜେଡିର ସଦସ୍ୟ। ପଞ୍ଚାୟତ ନିର୍ବାଚନରକୁ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ବିବାଦ ଯୋଗୁ ଏପରି ଘଟଣା ଘଟିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ […]

babu

Hemant Lenka
  • Published: Monday, 30 May 2022
  • , Updated: 30 May 2022, 04:37 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ପୁଣି ରାଜନୀତିକ ଶତ୍ରୁତାକୁ ନେଇ ଘଟିଛି ହତ୍ୟାକାଣ୍ଡ। ପଞ୍ଚାୟତ ନିର୍ବାଚନ ବେଳେ ଦେଖା ଯାଇଥିବା ଶତ୍ରୁତା ଯୋଗୁ ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କରୋଡା ପଞ୍ଚାୟତର ନବରଙ୍ଗପୁର ଗାଁର ବାବୁ ଗୌଡ଼ଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି। ଉଭୟ ମୃତକ ଓ ଅଭିଯୁକ୍ତ ଶାସକ ବିଜେଡିର ସଦସ୍ୟ। ପଞ୍ଚାୟତ ନିର୍ବାଚନରକୁ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଗୋଷ୍ଠୀ ବିବାଦ ଯୋଗୁ ଏପରି ଘଟଣା ଘଟିଥିବା ମୃତକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଗତ ପଞ୍ଚାୟତ ନିର୍ବାଚନ ପରଠୁ ଗୋଷ୍ଠୀ କନ୍ଦଳ ଦେଖାଦେଇଛି। ଏବେ ଏହି ଗୋଷ୍ଠୀ କନ୍ଦଳ ଯୋଗୁ ପୁଣି ଜଣେ ଯୁବକଙ୍କ ଜୀବନ ଯାଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ଗୋଟିଏ ଗୋଷ୍ଠୀକୁ ସମର୍ଥନ କରିଥିଲେ ବାବୁ ଗୌଡ଼। ଏଥିପାଇଁ ବିଜେଡିର ଆଉ ଗୋଟିଏ ଗୋଷ୍ଠୀ ତାଙ୍କୁ ଟାର୍ଗେଟ କରିଥିଲା। ଦୀର୍ଘଦିନ ଧରି ଚାଲିଥିବା ଛକାପଞ୍ଝା ରବିବାର ରାତିରେ ବିସ୍ଫୋରକ ରୂପ ନେଇଥିଲା।

ରବିବାର ବାବୁ ଓ ତାଙ୍କ ବନ୍ଧୁ ପ୍ରଦୀପ ଗାଧୋଇବାକୁ ଯାଇ ବାଇକରେ ଘରକୁ ଫେରୁଥିଲେ। ଏହି ସମୟରେ ସେମାନଙ୍କ ସହ ଅପରଗୋଷ୍ଠୀର ତୋଫାନ ଗୌଡ଼ଙ୍କ ହଠାତ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡ ବେଳେ ତୋଫାନ ପାଖରେ ରଖିଥିବା ଛୁରାରେ ବାବୁଙ୍କ ବେକକୁ ଆକ୍ରମଣ କରିଥିଲେ। ପ୍ରଦୀପ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କଲା ବେଳେ ସେ ବି ଆକ୍ରମଣର ଶିକାର ହୋଇଥିଲେ। ଘଟଣା ପରେ ଉଭୟେଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ବାବୁଙ୍କ ମୃତ୍ୟୁ ଘଟିଛି। ପ୍ରଦୀପଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଯାଇଛି।

ବାବୁଙ୍କ ଭାଇ କହିଛନ୍ତି, “ ମୋ ଭାଇ କାଲି ରାତି ୯ଟାରେ ବନ୍ଧକୁ ଗାଧୋଇବାକୁ ଯାଇଥିଲା। ସେ ଫେରିବା ବେଳେ ତା’କୁ ହତ୍ୟା କରାଯାଇଛି। ଆମରି ଗାଁର ଗୋଟିଏ ପିଲା ଏପରି କାଣ୍ଡ ଘଟାଇଛି। ନିର୍ବାଚନ ବେଳଠାରୁ ହିଁ ମୋ ଭାଇ ସହ ତା’ର ବିବାଦ ଲାଗି ରହିଥିଲା। ସେଥିପାଇଁ ଏପରି ହତ୍ୟାକାଣ୍ଡ ହୋଇଛି। ଏହା ପଛରେ କେବଳ ତୋଫାନ ନୁହେଁ, ଆହୁରି ଅନେକ ଲୋକ ଅଛନ୍ତି।”

ହତ୍ୟାର ଶିକାର ହୋଇଥିବା ବାବୁ ଓ ତୋଫାନ ଉଭୟ ବିଜେଡି ପାଇଁ କାମ କରନ୍ତି। କିନ୍ତୁ ପଞ୍ଚାୟତ ନିର୍ବାଚନ ବେଳେ ଉଭୟ ଅଲଗା ଅଲଗା ପ୍ରଚାର କରିଥିଲେ। ବାବୁ ପଞ୍ଚାୟତ ପ୍ରାର୍ଥୀ ସଂଯୁକ୍ତା ସ୍ୱାଇଁଙ୍କୁ ସମର୍ଥନ କରୁଥିବା ବେଳେ ତୋଫାନ ରୀନା ପ୍ରଧାନଙ୍କୁ ସମର୍ଥନ କରୁଥିଲେ। ନିର୍ବାଚନରେ ରୀନା ପ୍ରଧାନ ଜିତିବା ପରେ ତୋଫାନ ନିଜର ଦବଦବା ଦେଖାଇବା ଆରମ୍ଭ କରିଥିଲେ। ଏଥିସହ ସେ ବାବୁଙ୍କୁ ମଧ୍ୟ ଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ଶେଷରେ ସେ ରବିବାର ଏଥିରେ ସଫଳତା ପାଇଥିବା କୁହାଯାଉଛି।

ଏହି ଘଟଣା ପଛରେ ପୂର୍ବ ରାଜନୀତିକ ଶତ୍ରୁତା ସହ ଠିକା ବେପାର ଜନିତ ବିବାଦ ରହିଥିବା ଆଶଙ୍କା କରିଛନ୍ତି ବ୍ରହ୍ମପୁର ଏସପି। ସେ କହିଛନ୍ତି, ଅଭିଯୁକ୍ତ ତୋଫାନଙ୍କୁ ପୁଲିସ ଗତକାଲି ବିଳମ୍ବିତ ରାତିରେ ଦିଗପହଣ୍ଡି ଅଞ୍ଚଳରୁ କାବୁ କରିଛି। ଏବେ ତାଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣା ପଛରେ ଯଦି ଆଉ କାହାର ସଂପୃକ୍ତି ରହିଥିବ, ସେମାନଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୀତିକ ଶତ୍ରୁତାକୁ ନେଇ ପ୍ରାୟ ମାସକ ମଧ୍ୟରେ ୩ଜଣଙ୍କ ଜୀବନ ଗଲାଣି। ଗତ ଏପ୍ରିଲ ୨୩ ତାରିଖରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଷା ନିମଖଣ୍ଡି ପଞ୍ଚାୟତ ପାଳଝଡ଼ି ଗାଁର ସୁଦର୍ଶନ ସୁଆର ଓ ସୁଧୀର ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଏଯାଏ ୯ଜଣଙ୍କୁ ଗିରଫ କରିଛି। ଏହି ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ପୁଣି ହତ୍ୟାକାଣ୍ତ ଘଟିଛି।

Related story