ଉଷୁନା ଚାଉଳକୁ ନେଇ ରାଜନୀତି, ଧାରଣା ଦେବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଣ ହେଉନଥିବା ଅଭିଯୋଗ କରି ଶାସକ ବିଜେଡି ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବ। କେନ୍ଦ୍ର ସରକାର ବଳକା ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବାପାଇଁ ମନା କରି ଦେଇଥିବା ପ୍ରତିବାଦରେ ବିଜେଡି ଏହି ଗଣଧାରଣା ଦେବା ସହ ଦାବି ହାସଲ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି। ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର […]

Rice

Ordigital Desk
  • Published: Monday, 07 February 2022
  • , Updated: 07 February 2022, 10:08 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରୁ ବଳକା ଉଷୁନା ଚାଉଳ ଉଠାଣ ହେଉନଥିବା ଅଭିଯୋଗ କରି ଶାସକ ବିଜେଡି ଆସନ୍ତାକାଲି ଭୁବନେଶ୍ୱରସ୍ଥିତ ଏଫସିଆଇ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବ। କେନ୍ଦ୍ର ସରକାର ବଳକା ୨୦ଲକ୍ଷ ମେଟ୍ରିକ ଟନ୍ ଉଷୁନା ଚାଉଳ ନେବାପାଇଁ ମନା କରି ଦେଇଥିବା ପ୍ରତିବାଦରେ ବିଜେଡି ଏହି ଗଣଧାରଣା ଦେବା ସହ ଦାବି ହାସଲ ପାଇଁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି।

ବିଜେଡି ସାଧାରଣ ସମ୍ପାଦିକା ଶ୍ରୀମୟୀ ମିଶ୍ର ଓ ମୁଖପାତ୍ର ସୁଲତା ଦେଓ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ଚାଷୀମାରଣ ନୀତି ଅବଲମ୍ବନ କରି ଉଦ୍ଦେଶ୍ୟମୂଳକ ଭାବେ ରାଜ୍ୟର ବଳକା ଉଷୁନା ଚାଉଳକୁ ଉଠାଣ କରୁନାହାନ୍ତି । ସଂଘୀୟ ବ୍ୟବସ୍ଥାରେ ବଳକା ଉଷୁନା ଚାଉଳ ନେବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ ହୋଇଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରତି କୁଠାରଘାତ କରି ଚାଲିଛନ୍ତି। ରାଜ୍ୟରୁ ବଳକା ଉଷୁନା ଚାଉଳ ନେବା ପାଇଁ ଓଡ଼ିଶା ସରକାର ବାରମ୍ବାର ଦାବି କରୁଥିବା ସତ୍ତ୍ୱେ କେନ୍ଦ୍ର ସରକାର ଏହି ଚାଉଳ ଉଠାଣ କରିବେ ନାହିଁ ବୋଲି ଖୋଲାଖୋଲି ପ୍ରତ୍ୟାଖ୍ୟାନ କରିଛନ୍ତି । ଯାହାକି ସିଧାସଳଖ ଓଡ଼ିଶାର ଚାଷୀଙ୍କ ଜୀବନ ଓ ଜୀବିକା ଉପରେ ଆକ୍ରମଣ ସଦୃଶ ହୋଇଛି । ତେଣୁ ଏହା ପ୍ରତିବାଦରେ ବିଜେଡି ଆସନ୍ତାକାଲି ମଙ୍ଗଳବାର ଭୁବନେଶ୍ୱରସ୍ଥିତ ଏଫସିଆଇ ଅଫିସ ଆଗରେ ଗଣଧାରଣା ଦେବ ।

ଶ୍ରୀମତୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୧-୨୨ ଖରିଫ ଋତୁରେ ଓଡ଼ିଶାରେ ମୋଟ ୫୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦିତ ହୋଇଛି । ୩୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ରାଜ୍ୟ ନିଜସ୍ୱ ବ୍ୟବହାର ପାଇଁ ରଖିଥିବାବେଳେ ବଳକା ୨୨ଲକ୍ଷ ମେଟ୍ରିକ ଟନ୍ ଚାଉଳ ଏଫସିଆଇ ମାଧ୍ୟମରେ କେନ୍ଦ୍ର ସରକାର ନେବାକୁ ଦାବି କରି ଆସୁଛି । ଓଡ଼ିଶା ହେଉଛନ୍ତି ଧାନ ଓ ଚାଉଳ ଉତ୍ପାଦନରେ ବଳକା ରାଜ୍ୟ । କେନ୍ଦ୍ର ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଆବଶ୍ୟକ ହେଉଥିବା ଚାଉଳ ଯୋଗାଣରେ ଓଡ଼ିଶା ତୃତୀୟ ସର୍ବବୃହତ୍ ଯୋଗାଣକାରୀ ରାଜ୍ୟ । କିନ୍ତୁ ଓଡ଼ିଶାର ବଳକା ଚାଉଳକୁ କେନ୍ଦ୍ର ସରକାର ନନେବା ଦୁର୍ଭାଗ୍ୟର କଥା । ବଳକା ୨୨ଲକ୍ଷ ମେଟ୍ରିକ ଟନରୁ ମାତ୍ର ୨ଲକ୍ଷ ଟନ୍ ମେଟ୍ରିକ ଟନ୍ ଅରୁଆ ଚାଉଳ ଏଫସିଆଇ ନେଇଥିବାବେଳେ ବାକି ୨୦ଲକ୍ଷ ମେଟ୍ରିକ ଟନରୁ ୫ଲକ୍ଷ ମେଟ୍ରିକ ଟନ୍ ଭିଟାମିନଯୁକ୍ତ ଉଷୁନା ଚାଉଳ ଭାବେ ଉଠାଣ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ଏହି ଚାଉଳ ବି ଉଠାଣ ହୋଇନି । ଅବଶିଷ୍ଟ ୧୫ଲକ୍ଷ ମେଟ୍ରିକ ଟନ୍ ଚାଉଳ କ’ଣ ହେବ ତାହାବି ଅସ୍ପଷ୍ଟ । ଏହା ଏବେ ଓଡ଼ିଶାର ଚାଷୀଙ୍କ ଜୀବନ-ମୃତ୍ୟୁର କାରଣ ପାଲଟିଛି ।

ରାଜ୍ୟ ବିଜେପି ଦୋମୁହାଁ ନୀତି ଅବଲମ୍ବନ କରୁଥିବାବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରୁ ଚାଉଳ ଉଠାଣ ହେଉନଥିଲେ ମଧ୍ୟ ବିଜେପି ସାଂସଦମାନେ ଚୁପ୍ ବସିଛନ୍ତି । ଚାଷୀଙ୍କ ସ୍ୱାର୍ଥ କଥା କହି ରାଜ୍ୟ ବିଜେପି ନେତାମାନେ କୁମ୍ଭୀରକାନ୍ଦଣା କାନ୍ଦୁଛନ୍ତି ଓ କେବଳ ଭୋଟ ପାଇଁ ଚାଷୀଙ୍କ ଭାବନା ସହ ଖେଳୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।

Related story