କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ କରୋନା ପରିସ୍ଥିତିରେ ବନ୍ଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି। ମହାପ୍ରଭୁ ଅଣସରେ ଘରେ ମଇଲମ ଲଗାଇ ଧିରେ ଧିରେ ସୁସ୍ଥ ହୋଇ ଉଠୁଥିବା ବେଳେ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ଉପରେ ନିଷେଧାଦେଶ ଜଗତକର୍ତ୍ତାଙ୍କମାନବୀୟ ଲୀଳା ଉପରେ ଯେଉଁ ରୋକ ଲାଗାଇଛି ତାକୁ ଅନେକ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ହୋଇପାରେ ମହାମାରୀ କୋଭିଡ୍‌ ସାରା ବିଶ୍ୱରେ ଯେଉଁ ଅଭାବନୀୟ […]

1112

Tapas Behera
  • Published: Thursday, 18 June 2020
  • , Updated: 18 June 2020, 05:21 PM IST

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ କରୋନା ପରିସ୍ଥିତିରେ ବନ୍ଦ ରଖିବା ପାଇଁ ସର୍ବୋଚ୍ଚ କୋର୍ଟଙ୍କ ଐତିହାସିକ ନିଷ୍ପତ୍ତି ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସୃଷ୍ଟି କରିଛି। ମହାପ୍ରଭୁ ଅଣସରେ ଘରେ ମଇଲମ ଲଗାଇ ଧିରେ ଧିରେ ସୁସ୍ଥ ହୋଇ ଉଠୁଥିବା ବେଳେ ସୁପ୍ରିମକୋର୍ଟଙ୍କ ରଥଯାତ୍ରା ଉପରେ ନିଷେଧାଦେଶ ଜଗତକର୍ତ୍ତାଙ୍କମାନବୀୟ ଲୀଳା ଉପରେ ଯେଉଁ ରୋକ ଲାଗାଇଛି ତାକୁ ଅନେକ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

ହୋଇପାରେ ମହାମାରୀ କୋଭିଡ୍‌ ସାରା ବିଶ୍ୱରେ ଯେଉଁ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ତାହା ସମସ୍ତଙ୍କ ଚିନ୍ତାତୀତ ବା କଳ୍ପନା ବାହାରେ ଥିଲା। ଏଥିରେ କେବଳ ବର୍ଷର ବର୍ଷର ପରମ୍ପରା ପ୍ରଭାବିତ ହୋଇନାହିଁ ବରଂ ସାମାଜିକ ଚଳଣି ସମ୍ପୂର୍ଣ୍ଣ ବଦଳି ଯାଇଛି। ଯୁଦ୍ଧ ବା ଦଙ୍ଗା ବେଳେ କର୍ଫ୍ୟୁକୁ ଦେଖିଥିବା ଭାରତୀୟ ସମାଜ ତତ୍ତ୍ୱ ହଠାତ୍‌ ଲକଡାଉନ୍‌ ଓ ଶଟଡାଉନ୍‌ର କଟକଣା ଭିତରେ ଜୀବନର ନୂଆ ସଂଜ୍ଞା ଖୋଜିବାକୁ ବାଧ୍ୟ ହୋଇଛି। ଏଭଳି ସ୍ଥିତିରେ ରଥଯାତ୍ରା ଭଳି ଏକ ପାରମ୍ପରିକ ଉତ୍ସବକୁ ବନ୍ଦ ରଖିବା ଅଯୌକ୍ତିକ ଲାଗୁନଥିଲେ ହେଁ ଏହା ପଛରେ ଭକ୍ତଙ୍କ ଆବେଗ ସହ ଯେଉଁ ଖେଳ ଖେଳାଗଲା ତାହା ଆଦୌ ଯୁକ୍ତିସଙ୍ଗତ ନୁହଁ। ଜୁନ୍ ମାସ ପ୍ରଥମ ସପ୍ତାହ ବେଳକୁ ସାରା ଦେଶ ଭଳି ରାଜ୍ୟରେ କୋଭିଡ୍‌ ସଂକ୍ରମଣ ବେଶ ସଙ୍ଗୀନ୍‌ ହୋଇଥିଲା। ଏ ସମ୍ପର୍କରେ ନିଜେ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ମଧ୍ୟ ସଚେତନ କରାଇଥିଲେ।

ଏପରିକି ଜୁନ୍‌ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କହି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ଆମ କହିବା କଥା ଜୁନ୍‌ ସପ୍ତାହ ବେଳକୁ କୋଭିଡ୍‌ର ବିତ୍ପାତ ସମ୍ପର୍କରେ ସଚେତନ ହୋଇ ସାରିଥିବା ରାଜ୍ୟ ସରକାର ଜୁନ୍‌ ୨୩ରେ ପଡ଼ୁଥିବା ରଥଯାତ୍ରା ସମ୍ପର୍କରେ ଦୃଢ଼ ନିଷ୍ପତି ନେବାରେ ଟାଳଟୁଳ ନୀତି ଅବଲମ୍ବନ କଲେ କାହିଁକି ? ଯଦି ଲୋକଙ୍କ ଅଶାନ୍ତି ବା ଆକ୍ରୋଷକୁ ଭୟ କରି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେବାକୁ ଡରୁଥିଲେ ତେବେ ସ୍ନାନ ପୂର୍ଣ୍ଣିମାର ଯଥେଷ୍ଟ ପୂର୍ବରୁ ନିଜ ଆଡ଼ୁ ଏନେଇ ସୁପ୍ରିମକୋର୍ଟକୁ ଯାଇ ନଥିଲେ କାହିଁକି ? ଜୁନ୍ ୧୮ ତାରିଖରେ ସୁପ୍ରିମକୋର୍ଟରେ ପକ୍ଷ ରଖି ରାଜ୍ୟ ସରକାର ରଥଯାତ୍ରା ସମ୍ପର୍କରେ ଯାହା କହିଲେ ତାହା ଜୁନ୍‌ ପ୍ରଥମ ସପ୍ତାହରୁ  କହିଥିଲେ ଅନ୍ତତଃପକ୍ଷେ ରଥ ନିର୍ମାଣ ଓ ସ୍ନାନପୂର୍ଣ୍ଣିମାର ନୀତିକାନ୍ତି ଦେଖି ଘୋଷଯାତ୍ରାକୁ ଅପେକ୍ଷା କରଖିଥିବା ଜଗନ୍ନାଥପ୍ରେମୀ ନିଜ ଆବେଗ ଓ ଉତ୍କଣ୍ଠାକୁ ଲଗାମ ଦେବାକୁ ଚେଷ୍ଟା କରିଥାନ୍ତେ। କହିବାର କଥା ହେଉଛି ରାଜ୍ୟ ସରକାର ନିଜ ଆଭିମୁଖ୍ୟକୁ ଫାଇଲ ଭିତରେ ରଖି କେବଳ ରାଜ୍ୟବାସୀ ନୁହନ୍ତି ପ୍ରବାସୀ ଜଗନ୍ନାଥ ପ୍ରେମୀଙ୍କ ଆବେଗ ଉପରେ କୁଠାରଘାତ କରିଛନ୍ତି। ସିଧାସଳଖ କହିଲେ ସୁପ୍ରିମକୋର୍ଟଙ୍କ ମୁହଁରେ ରଥଯାତ୍ରା ବନ୍ଦ ନିଷ୍ପତି ଶୁଣାଇବା ପାଇଁ ରାଜ୍ୟ ସରକାର ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରିନାହାନ୍ତି କି ?

ଏହାର ଉଦାରହଣ ଭାବେ ରାଜ୍ୟ ସରକାର ସୁପ୍ରମକୋର୍ଟରେ ରଖିଥିବା ନିଜ ପକ୍ଷ, ଏହା ପଛର ଉଦ୍ଦେଶ୍ୟକୁ ନିଆଯାଇପାରେ। ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଦେଶର ଅନ୍ୟ ନାମୀଦାମି ଓକିଲ ହରିଶ୍ ସାଲଭେ ଯେଉଁ ଯୁକ୍ତି ଦର୍ଶାଇଲେ ତାହା ଖୁବ୍‌ ପିଲାଳିଆମି ଥିଲା। କାରଣ ସାଲଭେଙ୍କ ଯୁକ୍ତି ଥିଲା ରଥ ଯାତ୍ରା ବେଳେ ସାମାଜିକ ଦୂରତ୍ୱ ରହିବ ନାହିଁ। ଗୋଷ୍ଠୀ ସଂକ୍ରମଣର ଆଶଙ୍କା ବଢିବ। ଏପରିକି ଆଇନ ଶୃଙ୍ଖଳା ପରିସ୍ଥତି ମଧ୍ୟ ଉପୁଜିପାରେ। କିନ୍ତୁ ସାଲଭେଙ୍କ ଏହି ସବୁ ଯୁକ୍ତି କରୋନା ମହାମାରୀର ଅଭାବନୀୟ ପରିସ୍ଥିତି ବେଳେ ବେଶ ସ୍ୱଭାବିକ ପ୍ରସଙ୍ଗ। ଆଶା କରାଯାଉଥିଲା ସାଲଭେଙ୍କ ଭଳି ଜଣେ ବିଜ୍ଞ ଆଇନଜୀବୀ ରଥଯାତ୍ରା ବନ୍ଦ କରିବା ପାଇଁ ଯୁକ୍ତି ରଖିବା ବେଳେ ଏହାର ବିକଳ୍ପ ବ୍ୟବସ୍ଥାର କିଛି ପ୍ରସ୍ତାବ ସୁପ୍ରିମକୋର୍ଟଙ୍କୁ ଦେବେ। କିନ୍ତୁ ଏପରି ନକରିବା ପଛରେ  ସାଲଭେଙ୍କ ନିଷ୍ଠା କମ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଅଧିକ ଦାୟୀ ବୋଲି ଅନୁମାନ କରାଯାଉଛି। ଅର୍ଥାତ ହରିଶ ସାଲଭେଙ୍କ ନା ନେଇ ସୁପ୍ରମିକୋର୍ଟରେ ରାଜ୍ୟ ସରକାର ରଥଯାତ୍ରା ମାମଲା ଲଢ଼ିବା ଏବଂ ଏ ସମମ୍ପର୍କରେ ଯୁକ୍ତିସଙ୍ଗତ ଦସ୍ତାବିଜ୍‌ ଓ ବିକଳ୍ପ ବ୍ୟବସ୍ଥାର ପ୍ରସ୍ତାବ ଯୋଗାଡ଼ ନକରିବା କୋଟି କୋଟି ଓଡ଼ିଆଙ୍କୁ ଦିନରେ ଲଣ୍ଠନ ଦେଖାଇବା ଭଳି ହୋଇଛି।

ଯଦି କୋଭିଡକୁ ଏତେ ଭୟ ଥିଲା ତାହେଲେ ଜଗତଗୁରୁଙ୍କ ପରାମର୍ଶ ନନେଇ ପ୍ରଥମରୁ ପ୍ରତୀକାତ୍ମକ ରଥଯାତ୍ରା ନିଷ୍ପତ୍ତି ନେଇ ନଥିଲେ କାହିଁକି ? କାହିଁକି ରଥ ନିର୍ମାଣ ପାଇଁ ଗଛ କଟାଗଲା ? ରଥ ଖଳାରେ ରଥ ନିର୍ମାଣ କରାଗଲା ଏବଂ ସାମାଜିକ ଦୂରତାକୁ ଫୁ କରି ସ୍ନାନପୂର୍ଣ୍ଣମା ନୀତିକାନ୍ତି ହେଲା ? ଅନୁମାନ କରାଯାଉଛି ସରକାର ନିଜ ମୁଣ୍ଡରୁ ଦୋଷ ଖସାଇବା ପାଇଁ ସୁପ୍ରମକୋର୍ଟଙ୍କ ଆଳ ଦେଖାଇଲେ ସିନା ଅସଲରେ ମାମଲା ପାଇଁ ଆବଶ୍ୟକ ତଥ୍ୟ ନଦେଇ ସର୍ବୋଚ୍ଚ କୋର୍ଟରେ ନିଜ ପକ୍ଷକୁ ନିଜେ ଦୁର୍ବଳ କଲେ। ସରକାରଙ୍କ ଭୟ ଥିଲା ରଥଯାତ୍ରା ହେଲେ ଯେଉଁ ପରିସ୍ଥିତି ଉପୁଜିବ ତାହା ତାଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯିବ। ଅନ୍ୟପକ୍ଷରେ ରଥଯାତ୍ରା ବନ୍ଦ ନିଷ୍ପତି ଶୁଣାଇଲେ ଭାବ ପ୍ରବଣ ଭକ୍ତ, ପେସାଦାର ସେବାୟତ ଓ ଏଥିରେ ସମ୍ପୃକ୍ତ ବିଭିନ୍ନ ଗୋଷ୍ଠୀ କ୍ଷୁବ୍ଧ ହେବାର ଡର ବି ସରକାରଙ୍କୁ କିଛି କମ ନଥିଲା। ଏଣୁ ମାରିଲେ ବ୍ରହ୍ମ ହତ୍ୟା ତେଣୁ ମାରିଲେ ଗୋହତ୍ୟାର ଦୋଛକିରେ ପଡ଼ିଥିବା ରାଜ୍ୟ ସରକାର ଚାହୁଁଥିବା ନିଷ୍ପତି ଅତି ଚତୁରତାର ସହ କାର୍ଯ୍ୟ କରାଇବା ପାଇଁ ଭାଗବତର ସେଇ ଆପ୍ତବାକ୍ୟ ‘କରି କରାଉ ଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ’କୁ ଆଦର୍ଶ କରି ନିଜେ ପ୍ରଭୁ ଆସନରେ ବସି ଲୋକଙ୍କୁ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ବୁଡ଼ାଇଲେ ସିନା ଅସଲରେ ବିପଦର କାଦୁଅ ମାଡ଼ ଖାଇବାରୁ ଖସିଗଲେ।

Related story