ରାୟଗଡ଼ା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁଷୀୟ ସାଂସଦ ପାଭେଲ୍ ଓ ବନ୍ଧୁ ଭ୍ଲାଦିମିର୍ଙ୍କ ମୃତ୍ୟୁର ଗୁମର ଖୋଲିବ ହାଡ଼ ଓ ପାଉଁଶ। ତଦନ୍ତର ଦ୍ୱିତୀୟ ଦିନରେ ଆଜି ରାୟଗଡ଼ାରେ ଦୁଇ ରୁଷୀୟଙ୍କ ଦାହ ସଂସ୍କାର ହୋଇଥିବା ସିରିଗୁଡ଼ା ମଶାଣିରୁ ପ୍ରମାଣ ଗୋଟାଇଛି କ୍ରାଇମବ୍ରାଞ୍ଚ। ସେଠାରୁ ପୁଣି ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲ୍କୁ ଆସି ୩ ରିସେପ୍ସନିଷ୍ଟ ଏବଂ ୪ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ସେପଟେ ସେମାନଙ୍କ ସାଥୀ ରୁଷୀୟ ଦଂପତ୍ତି ଏବଂ ଟୁରିଷ୍ଟ ଗାଇଡ୍ଙ୍କ ବୟାନ ରେକର୍ଡିଂ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିରୁ ଫେରିବା ପରେ ରୁମ୍ ନମ୍ବର ୨୦୩ରେ ୨୧ ଡିସେମ୍ବର ରାତିରେ ଆକଣ୍ଠ ମଦ୍ୟପାନ କରିଥିଲେ ଆଣ୍ଟୋଭ୍ ଓ ଭ୍ଲାଦିମିର। ଏହାପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାର କେଇ ଘଣ୍ଟା ପରେ ଆକସ୍ମିକ ପ୍ରାଣ ହରାଇଥିଲେ ଭ୍ଲାଦିମିର୍। ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଥିଲା ହୃଦଘାତ। ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖ ଦିନ ହୋଟେଲ୍ର ପ୍ରାୟ ୪୦ ଫୁଟ୍ ତଳୁ ମିଳିଥିଲା ପାଭେଲ୍ଙ୍କ ମୃତଦେହ। ସେଦିନ ରାତିରେ ଆଣ୍ଟୋଭ୍ ହୋଟେଲ୍ କର୍ମଚାରୀଙ୍କୁ ରୁକ୍ଷ ବ୍ୟବହାର କରିବା ସହ ମାଡ଼ ମାରିଥିଲେ ବୋଲି କହିଛନ୍ତି କର୍ମଚାରୀ। ତେବେ ଏହା କେତେ ସତ ତାହା ଜଣାପଡ଼ିନି। ତେବେ ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ସହ କଡ଼ିକୁ କଡ଼ି ଯୋଡ଼ି ପ୍ରମାଣ ସଂଗ୍ରହ କରୁଛି।
ଏଣେ ପାଭେଲ୍ଙ୍କ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ମୃତ୍ୟୁକୁ ଆକ୍ସିଡେଣ୍ଟାଲ୍ ତଥା ଆକସ୍ମିକ ଦର୍ଶାଯାଇଛି। ତାସହ ପାଭେଲ୍ଙ୍କ ଯକୃତ ଓ ଫୁସ୍ଫୁସ୍ ସମେତ ଇଣ୍ଟରନାଲ୍ ଇଞ୍ଜୁରୀ ଯୋଗୁ ଏକାଧିକ ଅଙ୍ଗ ନଷ୍ଟ ହୋଇଥିବା କୁହାଯାଇଛି। ତଥାପି ଅଘଟଣ ପଛର କାରଣକୁ ନେଇ ସସ୍ପେନ୍ସ ଲାଗି ରହିଛି।
ଏସବୁ ଭିିତରେ ରାଷ୍ଟ୍ରପତି ପୁଟିନଙ୍କ ସହ ରୁଷ୍-ୟୁକ୍ରେନ୍ ଯୁଦ୍ଧ ବିରୋଧୀ ଅଭିଯାନ ଚଳାଇଥିବା ଅନ୍ୟ ଜଣେ ରୁଷ୍ ନାଗରିକଙ୍କୁ ନେଇ ଏବେ ଭୁବନେଶ୍ୱରରେ ନାନା ଚର୍ଚ୍ଚା। ସେ ନିଜକୁ ରୁଷୀୟ ଶରଣାର୍ଥୀ କହୁଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସହ ରାଷ୍ଟପତି ପୁଟିନ୍ଙ୍କ ବିରୋଧ କରୁଛନ୍ତି। ତାସହ ନିଜକୁ ବାସହୀନ ଦର୍ଶାଇ ଭୁବନେଶ୍ୱର ରେଳଷ୍ଟେସନ୍ ଆଗରେ ସାହାଯ୍ୟ ଭିକ୍ଷା କରୁଛନ୍ତି। ଜିଆରପି କହିଛି, ତାଙ୍କ ନାଁ ଗ୍ଲାଗୋଲେଭ ଆଣ୍ଡ୍ରିୟୁ। ୨୦୧୬ରେ ୬ମାସ ପାଇଁ ଟୁରିଷ୍ଟ ଭିସା ଜରିଆରେ ଭାରତ ଆସିଥିଲେ। ଇତିମଧ୍ୟରେ ୬ ବର୍ଷ ବିତିଗଲାଣି। ଭିସା ଅବଧି ବି ଆଉ ନାହିଁ। ସେ ବୃନ୍ଦାବନ ଓ ପୁରୀରେ ଅଧିକ ସମୟ ରହିଛନ୍ତି। ତେବେ ଇଂରାଜୀ କହିପାରୁନଥିବା ଏହି ରୁଷିୟ ଭୁବନେଶ୍ୱରରେ ହଠାତ ଆବିର୍ଭାବ ହେବା ସହ ପୁଟିନ୍ ଓ ଯୁଦ୍ଧ ବିରୋଧୀ ଆଭିମୁଖ୍ୟ ଦେଖାଇବା ପଛର ଉତ୍ତର ମିଳିପାରୁନି। ତେଣେ ଜିଆରପି ତାଙ୍କୁ ଅଟକ ରଖିଥିବାବେଳେ ଗୁଇନ୍ଦା ବିଭାଗର ସ୍ପେଶାଲବ୍ରାଞ୍ଚ ଏସ୍ପି ପଚରାଉଚରା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।