ଝିଅ ପାଖକୁ ଗଲେ ବାପାମା’, କହିଲେ-ଏବେ ଟିକେ ରିଲାକ୍ସ ଅଛୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଗତ ୩ ଦିନ ହେଲାଣି ଲାଇମଲାଇଟରେ ଥିବା ଓଲିଉଡ ଇଣ୍ଟଷ୍ଟ୍ରୀର ହାଇ ପ୍ରୋଫାଇଲ କଳି ଥମିବା ନାଁ ଧରୁନି। ଏପରିକି ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିବା ଷ୍ଟାର ଘର କଳି ଏବେ ସୋଶାଲ ମିଡିଆରେ ହଟ୍‌ ଗସିପ ପାଲଟି ଥିବା ବେଳେ ସେବେଠୁ ଚେନ୍ନାଇ ଚାଲିଯାଇଥିବା ବାବୁଶାନ-ପ୍ରକୃତି ଭୁବନେଶ୍ୱର ଫେରିବା ନାଁ ଧରୁ ନାହାନ୍ତି।

ଏବେ ବାବୁଶାନ କେଉଁଠି ଅଛନ୍ତି ତାହା କାହାକୁ ଜଣା ନ ଥିବା ବେଳେ ଚେନ୍ନାଇରେ ଥିବା ପ୍ରକୃତିଙ୍କ ନିକଟକୁ ଧାଇଁ ଯାଇଛନ୍ତି ତାଙ୍କ ପରିବାର ସଦସ୍ୟ। ଚେନ୍ନାଇରେ ପରିବାର ସହ କିଛି ଫଟୋ ସୋଶାଲ ମିଡିଆରେ ଶେଆର କରିଛନ୍ତି ପ୍ରକୃତିଙ୍କ ମା’  କୃଷ୍ଣପ୍ରିୟା ମିଶ୍ର ।

ଏହି ଫଟୋ ପୋଷ୍ଟ କରି କୃଷ୍ଣପ୍ରିୟା ଲେଖିଛନ୍ତି ଯେ, ବହୁତ ପ୍ରତିବନ୍ଧକ ପରେ ସପରିବାର ଆମେ ଚେନ୍ନାଇରେ ଏକାଠି ହୋଇଛୁ । ଏବେ ଆମେ ସାମାନ୍ୟ ରିଲାକ୍ସ ଅନୁଭବ କରୁଛୁ। ଏହି ଫଟୋରେ ଅଛନ୍ତି ନିଜେ ପ୍ରକୃତି, ତାଙ୍କ ବାପା ତଥା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର, ମା’ କୃଷ୍ଣପ୍ରିୟା ଓ କିଛି ପରିବାର ସଦସ୍ୟ ।

prakruti with family
ଚେନ୍ନାଇରେ ପରିବାର ସହ ପ୍ରକୃତି ।

ଝିଅ ଉପରେ ବିଚ୍‌ ରାସ୍ତାରେ ହୋଇଥିବା ଆକ୍ରମଣକୁ ସହଜେ ହଜମ କରିପାରି ନ ଥିବା ପ୍ରକୃତିଙ୍କ ମା’ କୃଷ୍ଣପ୍ରିୟା ଏ ସମ୍ପର୍କରେ ଖାରବେଳନଗର ଥାନାରେ ଅଭିଯୋଗ କରିଥିବା ବେଳେ ସୋଶାଲ ମିଡିଆରେ ଖୁବ୍‌ ବର୍ଷିଛନ୍ତି। ବାବୁଶାନଙ୍କ ପରିବାରକୁ ଟାର୍ଗେଟ କରି ସେ କହିଛନ୍ତି, ଏପରି କିଛି ସମସ୍ୟା ନାହିଁ ଯାହାର ସମାଧାନ ହୋଇପାରିବନି। ଏହି ଘଟଣାର ଆପୋଷ ସମାଧାନ ହୋଇପାରିଥାନ୍ତା।  ସନ୍ଦେହ ଥିଲେ କୋର୍ଟ, ଥାନା, କଚେରୀ ଯାଇପାରିଥାନ୍ତେ। ୧୦,୧୨ ଗୁଣ୍ଡା ଧରି ସେ ଝିଅ ଓ ତା’ ବାପା ମୋ ଝିଅକୁ ଆକ୍ରମଣ କଲେ।  ମୁଁ ସେ ଜାଗାରେ ଥିଲେ ସେ ଝିଅକୁ ଚପଲରେ ପିଟିବା ସହ ଲାଣ୍ଡି କରିଦେଇ ଥାଆନ୍ତି।

ଅପରପକ୍ଷେ, କେବଳ ବାବୁଶାନଙ୍କ ପତ୍ନୀ ହିଁ ଉକ୍ତ ଅଭିନେତ୍ରୀଙ୍କୁ ଆକ୍ରମଣ କରିଥିବା କହିଛନ୍ତି ଅପରାଜିତା। ଉକ୍ତ ସ୍ଥାନରେ କେହି ଗୁଣ୍ଡା ନ ଥିବା ବେଳେ ତାଙ୍କୁ  କେହି ତାଙ୍କୁ ସ୍ପର୍ଶ ବି କରି ନଥିବା ସେ କହିଛନ୍ତି। ଏହାବାଦ, କାହାରି ନାଁ ନ ନେଇ  ଜଣେ ଅଭିନେତ୍ରୀଙ୍କ ସଙ୍ଗତରେ ପଡ଼ି ବାବୁସାନ ପ୍ରାୟ ଦେଢ ବର୍ଷ ହେବ ବିଗିଡ଼ି ଯାଇଥିବା କହିଛନ୍ତି। ଉକ୍ତ ଅଭିନେତ୍ରୀ ପୁଅର ପଇସା ଖର୍ଚ୍ଚ କରିବା ସହ ତାକୁ ବ୍ଲାକମେଲ କରୁଥିବା ଅଭିଯୋଗ କରିଛନ୍ତି ଅପରାଜିତା ।

କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ପ୍ରକୃତିଙ୍କ ମା’ । ପ୍ରକୃତି ଏକ ପ୍ରତିଷ୍ଠିତ ପରିବାରର ଝିଅ, ସେ ଆର୍ଥିକ ଭାବେ ଯଥେଷ୍ଟ ସ୍ୱଚ୍ଛଳ ତେଣୁ ସେ କାହା ପଇସା ଉପରେ ନିର୍ଭର କରିବା ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ତାଙ୍କ ମା’ । ଏଥିସହ ବ୍ଲାକେମଲିଂ ଅଭିଯୋଗକୁ ବି ଖଣ୍ଡନ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।