ବବି ବିଜେଡି ସଂଗଠନ ମୁଖ୍ୟ, ନବୀନ କେବଳ ଅଭିଭାବକ

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୭ ଡିସେମ୍ବର ୨୬ରେ ଗଢ଼ାଯାଇଥିବା ବିଜେଡି ଏବେ ନିଜର ନୂଆ କଳେବର ପାଇଁ ପ୍ରସ୍ତୁତି ଚଳାଇଛି। ନାଟକୀୟ ଢଙ୍ଗରେ ୨୦୦୮ ଡିସେମ୍ବର ୨୯ରେ ବିଜେଡିରେ ସାମିଲ ହୋଇଥିବା ଯୁବନେତା ପ୍ରଣବ ପ୍ରକାଶ ଦାସ ମାତ୍ର ୧୧ ବର୍ଷ ମଧ୍ୟରେ ନିଜର ପାରିବାପଣିଆ ମାଧ୍ୟମରେ ଦଳର ସାଂଗଠନିକ ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି। ନବୀନ ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ […]

bjd

bjd

Manoranjan Sial
  • Published: Thursday, 05 March 2020
  • Updated: 05 March 2020, 07:15 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୧୯୯୭ ଡିସେମ୍ବର ୨୬ରେ ଗଢ଼ାଯାଇଥିବା ବିଜେଡି ଏବେ ନିଜର ନୂଆ କଳେବର ପାଇଁ ପ୍ରସ୍ତୁତି ଚଳାଇଛି। ନାଟକୀୟ ଢଙ୍ଗରେ ୨୦୦୮ ଡିସେମ୍ବର ୨୯ରେ ବିଜେଡିରେ ସାମିଲ ହୋଇଥିବା ଯୁବନେତା ପ୍ରଣବ ପ୍ରକାଶ ଦାସ ମାତ୍ର ୧୧ ବର୍ଷ ମଧ୍ୟରେ ନିଜର ପାରିବାପଣିଆ ମାଧ୍ୟମରେ ଦଳର ସାଂଗଠନିକ ନେତୃତ୍ୱ ନେବାରେ ସକ୍ଷମ ହୋଇଛନ୍ତି। ନବୀନ ଆଜି ତାଙ୍କୁ ଆନୁଷ୍ଠାନିକ ଭାବେ ବିଜେଡିର ସମସ୍ତ ସଂଗଠନର ମୁଖିଆ ଭାବେ ଘୋଷଣା କରିଛନ୍ତି। ଏହାସହିତ ଦଳ ଗଠନର ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ନବୀନ ଆନୁଷ୍ଠାନିକ ଭାବେ ସଂଗଠନର ସମସ୍ତ ଦାୟିତ୍ୱ କୌଣସି ଦଳୀୟ ନେତାଙ୍କ ଉପରେ ନ୍ୟସ୍ତ କରି ବିଜେଡି ଏବେ ଉତ୍ତରାଧିକାରୀ ଚୟନ ଓ ଭବିଷ୍ୟତର ରୂପରେଖ ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିବାର ସନ୍ଦେଶ ଦେଇଛନ୍ତି।

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମ ଜୟନ୍ତୀ ଓ ନବୀନ ପଟ୍ଟନାୟକ ସରକାରଙ୍କ ୨୦ ବର୍ଷ ପୂର୍ତ୍ତି ଅବସରରେ ଶାସକ ବିଜେଡିର ସାଂଗଠନିକ ଦାୟିତ୍ୱ ଆନୁଷ୍ଠାନିକ ଭାବେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କୁ ନ୍ୟସ୍ତ ହୋଇଛି। ବବିଙ୍କ ସାଂଗଠନିକ ଦକ୍ଷତାର ପ୍ରଶଂସା କରି ନବୀନ ତାଙ୍କୁ ଦଳର ସମସ୍ତ ସଂଗଠନର ଇନଚାର୍ଜ ଭାବେ ଘୋଷଣା କରିଛନ୍ତି। ଦଳୀୟ ସୂତ୍ର ଅନୁସାରେ, ବିଜେଡିକୁ ନିଜର ମୃତ୍ୟୁ ପର୍ଯ୍ୟନ୍ତ ବିରୋଧ କରିଥିବା ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଅଶୋକ ଦାସଙ୍କ ପୁଅ ବବିଙ୍କୁ ଦଳରେ ସାମିଲ କରାଇବା ପଛରେ ତତକାଳୀନ ବିଜେଡି ମାର୍ଗଦର୍ଶକ ପ୍ୟାରୀ ମହାପାତ୍ର ପ୍ରମୁଖ ଭୂମିକା ତୁଲାଇଥିଲେ।

ଯାଜପୁର ଜିଲ୍ଲା ବିଜେଡିର ଏକ ବୃହତ୍ ଗୋଷ୍ଠୀର ବିରୋଧ ସତ୍ତ୍ୱେ ବିଜେଡିର ତତକାଳୀନ ଯାଜପୁର ଜିଲ୍ଲା ସଭାପତି ରାସବିହାରୀ ଦାସଙ୍କ ପ୍ରଚେଷ୍ଟାରେ ବିଜେଡିରେ ସାମିଲ ହୋଇଥିବା ବବି ୨୦୦୯ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟରେ ଲଢ଼ି ବିଜୟୀ ହେବା ପରେ ଆଉ ପଛକୁ ଫେରିନାହାନ୍ତି। ପ୍ୟାରୀଙ୍କ ମିଡନାଇଟ୍ ଶୋ’ - ୨୦୧୨ ମେ’ ୨୯ ଘଟଣାପରେ ବରିଷ୍ଠ ନେତା କଳ୍ପତରୁ ଦାସଙ୍କ ପ୍ରଭାବ ବିସ୍ତାର ଓ କଳ୍ପତରୁଙ୍କ ଘନିଷ୍ଠ ଭାବେ ବବି ନିଜକୁ ମନ୍ତ୍ରିମଣ୍ଡଳରେ ହେଭିୱେଟ୍ ମନ୍ତ୍ରୀ ଭାବେ ସାମିଲ କରି ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । ଆଉ ବିବାଦୀୟ ସ୍ଥିତିରେ କଳ୍ପତରୁ ଦାସ ଦଳ ଦ୍ୱାରା ଅଣଦେଖା ହେବା ପରେ ତୃତୀୟ ମହଲା ଓ ନବୀନ ନିବାସରେ ନିଜର ପତିଆରା ବୃଦ୍ଧି କରିବାରେ ବବି ସକ୍ଷମ ହୋଇଥିଲେ।

୨୦୧୬ ମସିହା ବବିଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା ଓ ସେବେଠୁ ସେ ତୃତୀୟ ମହଲାର ଘନିଷ୍ଠ ହୋଇ ବିଭିନ୍ନ ସାଂଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକୁ ସଫଳତାର ସହ ମ୍ୟାନେଜ୍ କରୁଥିଲେ। ଯେଉଁଥିପାଇଁ ୨୦୧୯ ସାଧାରଣ ନିର୍ବାଚନ ପରେ ତାଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ବିଜେଡିର ନୀତି ନିର୍ଦ୍ଧାରକ ମଣ୍ଡଳୀ ଏଭଳି ପଦବୀ ପରିବର୍ତ୍ତେ ପରୀକ୍ଷାମୂଳକ ଭାବେ ୨୦୧୯ ନଭେମ୍ବର ୧୫ରେ ସଂଗଠନ (ସାଧାରଣ ସମ୍ପାଦକ) ଓ (ମୁଖ୍ୟାଳୟ) ସାଧାରଣ ସମ୍ପାଦକ ପଦବୀ ସୃଷ୍ଟି କରିଥିଲେ। କିନ୍ତୁ ଆନୁଷ୍ଠାନିକ ଭାବେ କୌଣସି କ୍ଷମତା ନ୍ୟସ୍ତ କରିନଥିଲେ। ଆଉ ଏହି ପଦବୀ ସୃଷ୍ଟିକୁ ନେଇ ଦଳର ମୁଡ୍ ପରଖିବା ପରେ ଆଜି ଆନୁଷ୍ଠାନିକ ଭାବେ ବବିଙ୍କୁ ସଂଗଠନ ସମ୍ପାଦକ ପଦବୀର ଦାୟିତ୍ୱ ନ୍ୟସ୍ତ ହୋଇଛି। ତା’ସହିତ ସେ ଦଳର ସମସ୍ତ ସଂଗଠନର ମୁଖିଆ ଭାବେ କାର୍ଯ୍ୟ କରିବେ ବୋଲି ବିଜେଡି ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ ଉଲ୍ଲେଖ ଅଛି। ଅବଶ୍ୟ ବବିଙ୍କୁ ସାଂଗଠନିକ କ୍ଷମତା ମିଳିବାପରେ ସୁପ୍ରିମୋ ନବୀନ ପଟ୍ଟନାୟକ ଏଣିକି କେବଳ ଦଳର ଅଭିଭାବକ ଭାବେ କାର୍ଯ୍ୟ ତୁଲାଇବେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବର୍ତ୍ତମାନର ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ, ବିଜେଡି ଗତ ସପ୍ତାହରେ ନିଜର ରାଜ୍ୟ କାର୍ଯ୍ୟକାରିଣୀରୁ ବରିଷ୍ଠ ସଦସ୍ୟମାନଙ୍କୁ ବାଦ୍ ଦେଇଥିଲା। ଏବେ ଦଳର ସାଂଗଠନିକ ମୁଖିଆ ପଦରେ ବବି ଦାସଙ୍କୁ ନିଯୁକ୍ତି ଦେଇଛି। ବବିଙ୍କ ମାଧ୍ୟମରେ ଦଳର ନିୟନ୍ତ୍ରଣ ଅନ୍ୟ କାହା ହାତରେ ରହିବ। ଏହା ମାଧ୍ୟମରେ ବିଜେଡି ନିଜର ଉତ୍ତରାଧିକାରୀ ଭାବେ ବିଜୁ ପଟ୍ଟନାୟକଙ୍କ ପରିବାରର କୌଣସି ସଦସ୍ୟଙ୍କୁ ନିଯୁକ୍ତି ଦେବ ନଚେତ୍ ବିଜେପି ସହ ଦଳର ମିଶ୍ରଣ କରାଇବ। ଏହା ଜଳଜଳ ହୋଇ ଦେଖାଯାଉଛି। ଆଉ ବବିଙ୍କ ନିଯୁକ୍ତିକୁ ନେଇ ବିଜେଡିରେ କିଛି ବିରୋଧାଭାସ କିମ୍ବା ଅସନ୍ତୋଷ ହେବନି। କାରଣ ବରିଷ୍ଠ ନେତାମାନେ ପୂର୍ବରୁ ଅଣଦେଖା ହୋଇ ରହିଛନ୍ତି ଓ ସେମାନେ ନିଜ ନିଜର ସମ୍ମାନକୁ ନେଇ ସଚେତନ ଅଛନ୍ତି। ଆଉ ଯୁବନେତାମାନେ ନିଜ ଯୋଗ୍ୟତାଠୁୁ ଅଧିକ ପାଇଛନ୍ତି। ଯେଉଁଥିପାଇଁ ସେମାନେ ବି ମୁହଁ ଖୋଲିବେ ନାହିଁ। ତେଣୁ ବିଜେଡି ତା’ର ଭବିଷ୍ୟତ ରୂପରେଖ ପାଇଁ ଜଣେ ବିଶ୍ୱସ୍ତ ଅନୁଗତ ଭାବେ ବବି ଦାସଙ୍କୁ ଏଭଳି ନିଯୁକ୍ତି ମିଳିଛି।

ରାଜନୀତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ କେ. ରବି କହିଛନ୍ତି ଯେ, ଏବେ ବିଜେଡିରେ ନବୀନ ପଟ୍ଟନାୟକଙ୍କ ପରେ ବବି ଦାସ ହିଁ ଦଳର ମୁଖ୍ୟ ବୋଲି ଆଜି ଆନୁଷ୍ଠାନିକ ସନ୍ଦେଶ ଦିଆଗଲା। ତେବେ ନୂଆ ନିଯୁକ୍ତିକୁ ନେଇ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ କୌଣସି ଅସନ୍ତୋଷ ରହିବ ନାହିଁ କିମ୍ବା କାରଣ ସେମାନେ ଯୁବନେତାମାନଙ୍କ ଭଳି କୌଣସି ସାଂଗଠନିକ କାର୍ଯ୍ୟ କରିପାରିବେ ନାହିଁ। ଅବଶ୍ୟ ଜୁନିୟର ନେତା ଅବା ଯୁବନେତାମାନଙ୍କ ମଧ୍ୟରେ ଏହି ନୂଆ ନିଯୁକ୍ତିକୁ ନେଇ ଅସନ୍ତୋଷ ରହିବାର ଆଶଙ୍କା ରହିଛି। ଦଳର ନିୟନ୍ତ୍ରଣକୁ ନିଜ ହାତରେ ରଖିବାକୁ ବବିଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos