ଭାଇ ପାଇଁ ରୋଷେଇ କରିଥିଲେ ଭଉଣୀ, ହେଲେ ବିଳମ୍ବ ଯୋଗୁ ଓପାସ ରହିଲେ ନନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ଘରକୁ ଫେରିବେ ଭାଇ। ସେଥିପାଇଁ ନିଜ ହାତରେ ଛଅ ତିଅଣ ନଅ ଭଜା କରି ଅନାଇ ବସିଥିଲେ ଭଉଣୀ। ହେଲେ କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁ ଭାଇଙ୍କୁ ଓପାସରେ ଶୋଇବାକୁ ପଡ଼ିଲା। ଆମେ କହୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିଷୟରେ। ପ୍ରତାପ ଷଡ଼ଙ୍ଗୀ। ଗାଁରେ ସମସ୍ତେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। ମନ୍ତ୍ରୀ ହେବା ପରେ […]

pratap-sadangi-in-bbsr

Manoranjan Sial
  • Published: Monday, 10 June 2019
  • , Updated: 10 June 2019, 10:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ପରେ ଘରକୁ ଫେରିବେ ଭାଇ। ସେଥିପାଇଁ ନିଜ ହାତରେ ଛଅ ତିଅଣ ନଅ ଭଜା କରି ଅନାଇ ବସିଥିଲେ ଭଉଣୀ। ହେଲେ କାର୍ଯ୍ୟକ୍ରମରେ ବିଳମ୍ବ ଯୋଗୁ ଭାଇଙ୍କୁ ଓପାସରେ ଶୋଇବାକୁ ପଡ଼ିଲା। ଆମେ କହୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିଷୟରେ।

ପ୍ରତାପ ଷଡ଼ଙ୍ଗୀ। ଗାଁରେ ସମସ୍ତେ ଡାକନ୍ତି ପ୍ରତାପ ନନା। ଭାରି ସିଧାସାଧା ମଣିଷଟିଏ। ମନ୍ତ୍ରୀ ହେବା ପରେ ସେ ପ୍ରଥମ ଥର ପାଇଁ ଘରକୁ ଆସୁଛନ୍ତି। ସେଥିପାଇଁ ତାଙ୍କ ଭଉଣୀ ବିଳାସିନୀ ନୂଆଁଣିଆ ଚାଳ ଘରେ ତାଙ୍କୁ ଚାହିଁ ବସିଛନ୍ତି। ସେଥିପାଇଁ ସେ ନିଜ ହାତରେ ନନାଙ୍କ ପାଇଁ ଦହି ପଖାଳ ସାଙ୍ଗକୁ ଫୁଟୁଗୁଡ଼ି (ଜଙ୍ଗଲରେ ଫୁଟିଥିବା ଏକ ଫଳ) ଖମ୍ୱ ଆଳୁ ଭଜା, ଶାଗ ଓ କଦଳୀ ଭଜା କରିଛନ୍ତି। ହେଲେ ସଞ୍ଜ ଯାଇ ରାତି ହେଲା। ନନା ଆସୁଛନ୍ତି ଆସୁଛନ୍ତି ବୋଲି ଶୁଣିବାକୁ ମିଳୁଥିଲେ ହେଁ ସେ ବ୍ୟସ୍ତ ଥିଲେ ଅନ୍ୟ କାର୍ଯ୍ୟକ୍ରମରେ। ରାତି ପ୍ରାୟ ୧୨ଟା ହେବ ନନା ଘରେ ପହଞ୍ଚିଲେ। ଆଉ ଭଉଣୀଙ୍କ ହାତ ରନ୍ଧା ଖାଇବେ କ’ଣ ପାଣି ପିଇ ଶୋଇପଡ଼ିଲେ। କାରଣ ରାତି ୧୨ଟା ପରେ ନନା ଖାଦ୍ୟ ଗ୍ରହଣ କରନ୍ତି ନାହିଁ ବୋଲି ବିଳାସିନୀ କହିଛନ୍ତି।

ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ପଦ ପାଇଛନ୍ତି। ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ମଧ୍ୟ ତାଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇନାହିଁ। କ୍ଷମତା ଓ ପତିଆରା କେଉଁଥିରେ ବି ଉଣା ନୁହନ୍ତି, ହେଲେ ଗାଁ ମାଟିରେ ପାଦ ରଖିଲେ ଏସବୁ ଯେମିତି ତୁଚ୍ଛ ତାଙ୍କ ପାଇଁ। ଗତକାଲି ଜନ୍ମମାଟି ଗୋପୀନାଥପୁରରେ ପାଦ ଦେବା ପୂର୍ବରୁ ପ୍ରଥମେ ଯାଇଥିଲେ ନିଜ ଗୁରୁ ତ୍ରିଲୋଚନ ସାହୁଙ୍କ ନିକଟକୁ। ଗୁରୁଙ୍କ ପାଦ ଛୁଇଁ ସାଷ୍ଟାଙ୍ଗ ପ୍ରଣାମ ସହ ସାଙ୍ଗର ଆଣିଥିବା ଉତ୍ତରୀୟ ପିନ୍ଧାଇ ଗୁରୁଭକ୍ତିର ଅପୂର୍ବ ନିଦର୍ଶନ ଦେଖାଇଥିଲେ। ସେପଟେ ଏଭଳି ଯଶସ୍ୱୀ ଛାତ୍ରଙ୍କୁ ପାଖରେ ପାଇ ନିଜେ ଲେଖିଥିବା ଦୁଇ ପଦ କବିତା ପଢ଼ି ଶୁଣାଇଥିଲେ ପ୍ରତାପଙ୍କ ଗୁରୁ। ପରେ ନିଜ ସଫେଦ ସରକାରୀ ଗାଡ଼ିରେ ଫେରିଥିଲେ ଗୋପୀନାଥପୁରସ୍ଥିତ ନିଜ ମାଟିକାନ୍ଥରେ ଗଢ଼ା ନୂଆଁଣିଆ ଚାଳଘରକୁ। ସେତେବେଳକୁ ଅଧରାତି ହୋଇ ସାରିଥିଲା। ଭାବିଥିଲେ ରାତି ୧୨ଟା ପୂର୍ବରୁ ଘରକୁ ଫେରିବେ ଓ ଭଉଣୀଙ୍କ ହାତ ରନ୍ଧା ଖାଇବେ।

କିନ୍ତୁ ବିଧିର ବିଧାନ ଥିଲା ଆଉ କିଛି। ନିଜ ଗାଁର ପୁଅକୁ ପାଖରୁ ଦେଖିବା ପାଇଁ ଭାବବିହ୍ଵଳ ହୋଇଯାଇଥିଲେ କର୍ମୀ ଓ ପରିଜନ। ଶୋଭାଯାତ୍ରାରେ ପାଛୋଟି ନେଇଯାଇଥିଲେ ନିଜ ଘରକୁ। ସେତେବଳକୁ ରାତି ୧୨ ପରେ ହୋଇଯାଇଥିଲା। ତେଣୁ ଭଉଣୀ ରାନ୍ଧିଥିବା ନିଜ ମନପସନ୍ଦର ଖାଦ୍ୟ ଖାଇପାରିନଥିଲେ। କାରଣ ରାତି ୧୨ ପରେ ପ୍ରତାପ ନନା ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ଲୋକଙ୍କ ସହିତ କଥାବାର୍ତ୍ତା ସାରିଲା ବେଳକୁ ରାତି ପ୍ରାୟ ୨ଟା ହୋଇଯାଇଥିଲା।

ରାତିରେ ଗାଧୋଇ ପାଣି ପିଇ ଶୋଇ ପଡ଼ିଲେ ନନା। ଭାବିଥିଲେ ସକାଳେ ଉଠି ଭଉଣୀ ସହିତ କଥା ହେବେ। ସେଥିପାଇଁ ଆଜି ଭୋର ୫ଟା ବେଳେ ଉଠି ପଡ଼ିଥିଲେ। ସେତେବେଳକୁ ଲୋକେ ଘରେ ପହଞ୍ଚି ସାରିଥିଲେ। ଆଉ ସେମାନଙ୍କଠାରୁ ଫୁରସତ ପାଇ ଗାଁ ପୋଖରୀରେ ଗାଧୋଇ ମହାଦେବଙ୍କୁ ପୂଜା କରି ଘରୁ ବାହାରିବା ପାଇଁ ପ୍ରସ୍ତୁତ ହେଉଥିଲେ ନନା। ଠିକ୍‌ ଏତିକି ବେଳେ ଭଉଣୀ ବିଳାସିନୀ ଅଳି କଲେ। କହିଲେ 'ଭାଇ ତୁମେ ଖାଇକି ଯିବ'। ବହୁ ଦିନ ପରେ ଘରକୁ ଫେରିଥିବାରୁ ଭଉଣୀଙ୍କ କଥା କାଟି ପାରିଲେ ନାହିଁ ନନା। ସେଥିପାଇଁ ନିଜ ହାତରେ ତିଆରି କରିଥିବା ଚକୁଳି ପିଠା, କଦଳୀ ଭଜା, ପଣଶ, ଫୁଟୁଗୁଡ଼ି ଆଳୁଭଜା, ଶାଗ, ଆମ୍ୱ ଓ ଦହି ଖାଇଥିଲେ। ଘରୁ ବାହାରିବା ବେଳେ ଠାକୁରଙ୍କୁ ମୁଣ୍ଡିଆ ମାରି ଧଳା ରଙ୍ଗର ସରକାରୀ ଗାଡ଼ିରେ ବସି ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ଆଉ ଘର ଛାଡ଼ିବା ବେଳେ ଶୀଘ୍ର ଫେରିବେ ବୋଲି କହିଥିବା ଭଉଣୀ ବିଳାସିନୀ ପଣ୍ଡା କହିଛନ୍ତି।

ଆଜି ନନା ଭୁବନେଶ୍ୱର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତା’ ପୂର୍ବରୁ ସେ କହିଛନ୍ତି-“ସରଳ ଜୀବନ ମୋ ପାଇଁ ଜଟିଳ ହୋଇପଡ଼ିଲାଣି। ମୋ ପାଖକୁ ପ୍ରତିଦିନ ବହୁ ଫୋନ୍‌ କଲ ଆସୁଛି। ମୁଁ ସମସ୍ତଙ୍କ ଫୋନ ଉଠାଇ ପାରୁ ନାହିଁ। ମୋତେ ସମସ୍ତେ ପ୍ରଶଂସା କରୁଛନ୍ତି। ତାହା ପରେ ମଧ୍ୟ କିଛି ନିନ୍ଦା କରୁଛନ୍ତି। ୨୦ ବର୍ଷ ତଳର ଗୋଟିଏ ଘଟଣାକୁ କିଛି ଗଣମାଧ୍ୟମ ପ୍ରତିନିଧି, କମ୍ୟୁନିଷ୍ଟ ନେତା ଓ କେତେକ ବାଲେଶ୍ୱରୀଆ ନେତା ଉଠାଇଛନ୍ତି। ଗ୍ରାହାମ୍‌ ଷ୍ଟେନ୍ସ ପୋଡ଼ିରେ ପ୍ରତାପ ଷଡଙ୍ଗୀ ସମ୍ପୃକ୍ତ ଅଛନ୍ତି, ସେ ଗୋଟିଏ ଅପରାଧୀ ବୋଲି ବ୍ୟାଖ୍ୟା କରୁଛନ୍ତି। ନିନ୍ଦା ଓ ପ୍ରଶଂସା ଗୋଟିଏ ମୁଦ୍ରାର ଏପାଖ ସେପାଖ।”

Related story