ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷ ପରି ଏଥର ବି ଫିକା ପଡ଼ିପାରେ ପୂଜା ମଉଜ । ଦୁର୍ଗାପୂଜା ଆରମ୍ଭରୁ ହିଁ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ଧୁମଧାମରେ ପୂଜା ପାଳନ ନେଇ ହୋଇଥିବା ଯୋଜନା ପାଣି ଫୋଟକା ପରି ମିଳାଇଯିବା ଆଶଙ୍କା ସୃଷ୍ଟି ହେଲାଣି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅକ୍ଟୋବର ପହିଲାରେ ଉତ୍ତର-ପୂର୍ବ ଓ ତତ୍ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି । ଯାହା ଫଳରେ ୧ ତାରିଖରୁ ଉପକୂଳ ଓଡିଶାରେ ବର୍ଷା ହୋଇପାରେ। ପରେ ୨ ଏବଂ ୩ ତାରିଖରେ ଉପକୂଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ବଢିବା ନେଇ ଆକଳନ କରାଯାଇଛି । ତେବେ ଘୂର୍ଣ୍ଣିବଳୟଟି ଲଘୁଚାପ ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନି ।
୧ ଅକ୍ଟୋବର, ୨୦୨୨ ବେଳକୁ ଉତ୍ତର-ପୂର୍ବ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି |
୧ ଅକ୍ଟୋବର ପରଠାରୁ ରାଜ୍ୟରେ ବଢିବ ବର୍ଷା 🌧️🌧️🌧️!!! pic.twitter.com/YhiXZFuC6D
— Meteorological Centre, Bhubaneswar (@mcbbsr) September 28, 2022
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ଯାଏ କିଛି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଏହା ପୂର୍ବରୁ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୮ ଏବଂ ୨୯ ତାରିଖରେ ଉପକୂଳ ସମେତ ୨୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ପାଣିପାଗ କେନ୍ଦ୍ରର ଆକଳନୁ ନେଇ ଚିନ୍ତାରେ ପଡ଼ିଲେଣି ପୂଜା କମିଟି ସଦସ୍ୟ । ବିଗତ ଦୁଇବର୍ଷ ମହାମାରୀ କରୋନା ପାଇଁ ବହୁ କଟକଣାରେ ପୂଜା ହୋଇଥିବା ବେଳେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳି ନ ଥିଲା। ଚଳିତବର୍ଷ କଟକଣା ହଟିଥିବା ବେଳେ ଧୁମ୍ ଧାମରେ ପୂଜା କରିବାକୁ ଜୋରସୋରରେ ପ୍ରସ୍ତୁତି ଚଳାଇଥିଲେ ବିଭିନ୍ନ କମିଟି । ହେଲେ ଏଥର ବି ପୂଜା ବଜାର ଫିକା ପଡ଼ିବା ଆଶଙ୍କା ଦେଖାଦେଲାଣି।
https://youtu.be/PtGDfvOvzak
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।