ନାଗାର୍ଜୁନ ବେଶ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

ପୁରୀ (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ସେହି ବହୁପ୍ରତୀକ୍ଷିତ ମୁହୂର୍ତ୍ତ। ହାତରେ ଆଉ ମାତ୍ର ତିନି ଦିନ। ଆସନ୍ତା ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ମାତ୍ର ୨୦ ପ୍ରତିଶତ କାମ ବାକି ଅଛି। ହେଲେ ଆଜି ବି ହୋଇ ପାରିଲାନି ବେଶ ପ୍ରସ୍ତୁତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏପଟେ […]

puri

Ranjit Kumar Jena
  • Published: Monday, 23 November 2020
  • , Updated: 23 November 2020, 08:24 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ସେହି ବହୁପ୍ରତୀକ୍ଷିତ ମୁହୂର୍ତ୍ତ। ହାତରେ ଆଉ ମାତ୍ର ତିନି ଦିନ। ଆସନ୍ତା ୨୭ ତାରିଖ ଶୁକ୍ରବାର ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁ ଅତି ଦୁର୍ଲଭ ନାଗାର୍ଜୁନ ବେଶରେ ଶୃଙ୍ଗାର ହେବେ। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଉ ମାତ୍ର ୨୦ ପ୍ରତିଶତ କାମ ବାକି ଅଛି। ହେଲେ ଆଜି ବି ହୋଇ ପାରିଲାନି ବେଶ ପ୍ରସ୍ତୁତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ।

ଏପଟେ ମହାପ୍ରଭୁଙ୍କୁ ଏହି ବିରଳ ବେଶରେ ଲାଗି ହେବାକୁ ଥିବା ସୂକ୍ଷ୍ମ ସାମଗ୍ରୀ ସହ ମୁଖ୍ୟ ଆକର୍ଷଣ ବୋଲାଉଥିବା ୧୬ ପ୍ରକାର ଅସ୍ତ୍ର ମଧ୍ୟରୁ ବାଙ୍କଛୁରୀ, କଟାରୀ, ତ୍ରିଶୂଳ, ରଞ୍ଜକଦାନି ଓ ଶିଙ୍ଗା ଆଦି ଅସ୍ତ୍ର ସବୁର କାମ ପ୍ରାୟ ଶେଷ ହୋଇଛି। ସେହିପରି ନାଗା ତାଟି, ହାଣ୍ଡିଆ ଓ ଢେଣୁ ସହ ଅଳଙ୍କାର ଭାବେ ବାଘନଖ, କଲିକି ଫୁଲ, ଆଡ଼କାନି ଓ ଚନ୍ଦ୍ରସୂର୍ଯ୍ୟ ମଧ୍ୟ ତିଆରି ସରିଲାଣି। କେବଳ ଅପେକ୍ଷା କେତେବେଳେ ଏସବୁକୁ ସସମ୍ମାନେ ପାଟ ପଟୁଆରରେ ଶ୍ରୀମନ୍ଦିରକୁ ବିଜେ କରାଯିବ।

ସୂଚନା ଅନୁସାରେ ନାଗାର୍ଜୁନ ବେଶର ସତ୍ତ୍ୱାଧିକାରୀ ବଳରାମ ଖୁଣ୍ଟିଆଙ୍କ ପୁରୀ ହରଚଣ୍ଡୀ ସାହିସ୍ଥିତ ଘରୁ ଗୁରୁବାର ରାତି ପ୍ରାୟ ୨ଟାରୁ ତିନିଟା ମଧ୍ୟରେ ସାମଗ୍ରୀକୁ ଅତି ଯତ୍ନ ସହକାରେ ମଣିକର୍ଣ୍ଣିକା ସାହି ଓ ଗାଣ୍ଡୁଆଚଉରା ଛକ ଦେଇ ସିଂହଦ୍ୱାର ପଟେ ଶ୍ରୀମନ୍ଦିରରେ ପ୍ରବେଶ କରାଯିବ।

ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁ ଏହି ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ। କିନ୍ତୁ ଏଥର ମହାପ୍ରଭୁଙ୍କ ଏହି ବେଶକୁ ଦେଖିବାରୁ ବଞ୍ଚିତ ହେବେ ଲକ୍ଷାଧିକ ଶ୍ରଦ୍ଧାଳୁ। କରୋନା ମହାମାରୀ ଏବେ ଭଗବାନ ଓ ଭକ୍ତ ବାଟ ଓଗାଳିଛି। ଏହି କାରଣରୁ ଏଥର ବିନା ଭକ୍ତରେ ଶୋଭା ପାଇବେ ମହାପ୍ରଭୁ। ତେଣେ ନାଗର୍ଜୁନ ବେଶ ସାମଗ୍ରୀର ଆଗମନ ଓ ଶୃଙ୍ଖଳିତ ଶୃଙ୍ଗାର ସହ ଅନେକ କିଛି ପ୍ରସଙ୍ଗରେ ପରିଚାଳନା କମିଟିରେ ଆଲୋଚନା ବାକି ରହିଛି।

ଏମିତିକି ବେଶ ସାମଗ୍ରୀ ସବୁକୁ ମ୍ୟୁଜିୟମରେ ରଖାଯିବା ପ୍ରସ୍ତାବ କାର୍ଯ୍ୟକାରୀ ହେବ କି ନାହିଁ, ଶ୍ରୀମନ୍ଦିର ଗୁମୁଟରେ ଅବସ୍ଥିତ ପତିତପାବନଙ୍କୁ ନାଗାର୍ଜୁନ ବେଶ କରାଯିବ କି ନାହିଁ, କୋଭିଡ୍ ନିୟମ ଅନୁସାରେ ବେଶ ଶୃଙ୍ଗାର ବେଳେ କିଏ ଓ କେତେ ସଂଖ୍ୟକ ସେବାୟତ ରହିବେ, ସେ ନେଇ ଆଲୋଚନା ହୋଇନି। ଯଦିଓ ଅନିର୍ବାର୍ଯ୍ୟ କାରଣରୁ ଆଜିର ବୈଠକ ବାତିଲ୍ ହୋଇଛି, ତେବେ ଆସନ୍ତାକାଲି ନିଶ୍ଚିତ ବସିବ ବୋଲି ଆଶା ରଖିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ। ସେପଟେ ଗତ ସ୍ନାନ ପୂର୍ଣ୍ଣମୀ ଭଳି ନାଗାର୍ଜୁନ ବେଶରେ ମଧ୍ୟ ଶ୍ରୀମନ୍ଦିର ଚାରିପାଖେ ୧୪୪ ଧାରା ଜାରି ସହ ଏସଓପି ଲାଗୁ ହେବାକୁ ପ୍ରସ୍ତାବ ରହିଛି।

Related story