ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସହିତ ରହିଛି ଶତାୟୁ ଯୋଗଗୁରୁ ପଦ୍ମଶ୍ରୀ ସ୍ୱାମୀ ଶିବାନନ୍ଦଙ୍କ ସମ୍ପର୍କ। ସେ ପ୍ରାୟ ୫୦ ବର୍ଷ ଧରି ଶ୍ରୀକ୍ଷେତ୍ର ପୁରୀରେ ରହି ୫୦୦ରୁ ଅଧିକ କୁଷ୍ଠ ଆକ୍ରାନ୍ତ ଭିକ୍ଷୁକଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ଦାନ କରିଛନ୍ତି। ତାଙ୍କର ଏହି ଅବଦାନକୁ ଆଜି ମଧ୍ୟ ଭୁଲି ପାରିନାହାନ୍ତି ଅନ୍ତେବାସୀ। ତାଙ୍କୁ ମର୍ମେ ମର୍ମେ ଝୁରି ହେଉଛନ୍ତି।
ଜଣେ ଅନ୍ତେବାସୀ କହିଛନ୍ତି, ସିଏ (ସ୍ୱାମୀ ଶିବାନନ୍ଦ) ଆମକୁ ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ ଶାଢ଼ୀ ଦେଇଛନ୍ତି। ଯେଉଁ ବ୍ୟକ୍ତି ଅସହାୟଙ୍କୁ ଏତେ ଦାନ କରିଛନ୍ତି, ତାଙ୍କୁ ନିଶ୍ଚିତ ଭଗବାନ ଦେବେ। ସେ ପଦ୍ମଶ୍ରୀ ସମ୍ମାନ ପାଇଥିବାରୁ ମୁଁ ବହୁତ ଖୁସି ବୋଲି ମହିଳା ଜଣକ କହିଛନ୍ତି।
“ଏ ବିଶ୍ୱ ମୋ ଘର, ଏହାର ଲୋକମାନେ ମୋ’ ବାପା-ମାଆ।” ଏପରି ବାର୍ତ୍ତା ଦେଇ ପ୍ରେମ ଓ ସେବାରେ ନିଜକୁ ନିୟୋଜିତ କରୁଥିବା ୧୨୫ ବର୍ଷୀୟ ଯୋଗଗୁରୁ ସ୍ୱାମୀ ଶିବାନନ୍ଦଙ୍କର ଜନ୍ମ ୧୮୯୬ ମସିହାରେ ବର୍ତ୍ତମାନର ବାଂଲାଦେଶ ଅନ୍ତର୍ଗତ ସିଲହଟ୍ରେ ଅତି ଗରିବ ପରିବାରରେ। ୬ ବର୍ଷ ବୟସରେ ସେ ତାଙ୍କ ବାପା-ମାଆଙ୍କୁ ହରାଇଥିଲେ। ବାପା-ମାଆଙ୍କ ଦେହାନ୍ତ ପରେ ସେ ଚାଲି ଆସିଥିଲେ ପଶ୍ଚିମବଙ୍ଗର ନବଦ୍ୱୀପର ଏକ ଆଶ୍ରମକୁ। ଆଉ ସେବେଠାରୁ ଯୋଗ ଓ ଅନୁଶାସନ ପାଲଟିଥିଲା ତାଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଏହି ବୟସରେ ମଧ୍ୟ ପ୍ରତିଦିନ ଭୋର୍ ୩ଟାରୁ ସ୍ୱାମୀ ଶିବାନନ୍ଦ ଉଠନ୍ତି। ଘଣ୍ଟା ଘଣ୍ଟା ଯୋଗାଭ୍ୟାସ କରୁଛନ୍ତି।
କାଠ ତକିଆରେ ମୁଣ୍ଡ ରଖି ଚଟାଣରେ ସପ ପାରି ଶୁଅନ୍ତି। ବିନା ତେଲ ଓ ମସଲାରେ କେବଳ ସିଝା ଖାଦ୍ୟ ଖାଆନ୍ତି। ପ୍ରତିଦିନ ଭାତ, ସିଝା ଡାଲି ଓ କଞ୍ଚାଲଙ୍କା ଖାଆନ୍ତି ଶିବାନନ୍ଦ। ଫଳ ଓ କ୍ଷୀରକୁ ଧନୀଙ୍କ ଖାଦ୍ୟ ଭାବୁଥିବାରୁ ତାକୁ ଛୁଅଁନ୍ତି ନାହିଁ। ଆଜୀବନ ଗରିବ ଓ ଅବହେଳିତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ସ୍ୱାମୀ ଶିବାନନ୍ଦ ଓଡ଼ିଶାରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପ୍ରାୟ ୫୦ ବର୍ଷ ଧରି ସେ ପୁରୀର ୫ ଶହରୁ ଅଧିକ କୁଷ୍ଠ ଆକ୍ରାନ୍ତ ଭିକ୍ଷୁକଙ୍କୁ ଖାଦ୍ୟ ଓ ବସ୍ତ୍ର ଆଦି ଦାନ କରିଛନ୍ତି।
ଗତକାଲି ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ପଦ୍ମଶ୍ରୀ ସମ୍ମାନ ପାଇଁ ଡକାଯାଇଥିଲା ସ୍ୱାମୀ ଶିବାନନ୍ଦଙ୍କ ନାଁ। ଆଉ ତା’ପରେ ଖାଲି ପାଦରେ ଧଳା କୁର୍ତ୍ତା-ଧୋତି ପରିହିତ ଏହି ଯୋଗ କିମ୍ବଦନ୍ତୀ ସର୍ବସମ୍ମୁଖକୁ ଆଗେଇ ଆସିଲେ। ଆଉ ସମସ୍ତଙ୍କୁ ଆଚମ୍ବିତ ଓ ବିମୋହିତ କରି ଏହି ଶତାୟୁ ବୟୋବୃଦ୍ଧ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତଳେ ମୁଣ୍ଡ ଲଗାଇ ଦଣ୍ଡବତ କରିଥିଲେ। ତା’ପରେ ସଭାକୁ ଓ ଶେଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମାଟିରେ ମୁଣ୍ଡ ଲଗାଇ ଦଣ୍ଡବତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମାଟିକୁ ଛୁଇଁ ପ୍ରତି ନମସ୍କାର ଜଣାଇଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଆସନରୁ ଓହ୍ଲାଇ ଆସି ତାଙ୍କୁ ଉଠାଇଥିଲେ ଏବଂ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
https://twitter.com/rashtrapatibhvn/status/1505907519696244737?s=20&t=w1doyBhIQTidTIYvldGaqA