କଟକ (ଓଡ଼ିଶା ରିପୋର୍ଟର): ଜେଲ୍ ଭିତରେ ଜଣେ କଏଦୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଦୁଇ କଏଦୀଙ୍କ ମଧ୍ୟରେ ଝଗଡ଼ା ଯୋଗୁ ଜଣେ କଏଦୀଙ୍କ ମୁଣ୍ଡ ଗଡ଼ିଛି। କଟକ ଚୌଦ୍ୱାର ସର୍କଲ ଜେଲରେ ସୋମବାର ଏହି ଘଟଣା ଘଟିଛି। ମୃତ କଏଦୀ ହେଲେ କଟକ ତୁଳସୀପୁରର ରମେଶ ପ୍ରଧାନ। ୨୦୧୧ ମସିହାରେ ଏକ ହତ୍ୟା ମାମଲାରେ ସେ ସଜା କାଟୁଥିଲେ ଓ ନିକଟରେ ଜେଲରୁ ମୁକୁଳି ଥା'ନ୍ତେ।
ପୁଲିସର କହିବା ଅନୁସାରେ ସୋମବାର ସକାଳେ ଜେଲରେ ଥିବା ବଗିଚାରେ ୪୨ ଜଣ କଏଦୀ କାମ କରୁଥିଲେ। ଏହି ସମୟରେ ରମେଶ ପ୍ରଧାନ ଓ ଜଗତସିଂହପୁର ଜିଲ୍ଲା ସଢେଇକଣା ଅଞ୍ଚଳର ଜଳଧର ସାମଲଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରମେଶଙ୍କୁ ଜଳଧର ଏକ କୋଦାଳରେ ଆକ୍ରମଣ କରିଥିଲେ। ଫଳରେ ରମେଶ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ମେଡିକାଲେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସେପଟେ ଜେଲ୍ ଭିତରେ ହତ୍ୟାକାଣ୍ଡ ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି ଜେଲ୍ ଏଡିଜି ମହେନ୍ଦ୍ର ପ୍ରତାପ। ରାଜ୍ୟର ସମସ୍ତ ଜେଲରେ ଥିବା ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏନେଇ ଖୁବଶୀଘ୍ର ଆଡଭାଇଜରି ଜାରି କରାଯିବ ବୋଲି ଏଡିଜି କହିଛନ୍ତି।
ତେବେ ଚୌଦ୍ୱାର ଜେଲ୍ ଏଭଳି ଘଟଣା କିଛି ନୂଆ ନୁହେଁ। ଗତ ମାର୍ଚ୍ଚ ମାସରେ ସୁଧାଂଶୁ ଶେଖର ଦାସ ଓରଫ ଟନି ନାମକ ଜଣେ କଏଦୀକୁ ଜେଲରେ ହତ୍ୟା କରାଯାଇଥିଲା। ଏହାସହ ଅନେକ ଥର ଚଢ଼ଉ ସମୟରେ ଜେଲରୁ ମାଦକ ଦ୍ରବ୍ୟ ସହ ମୋବାଇଲ ଜବତ କରାଯାଇଥିବାର ଖବର ସାମ୍ନାକୁ ଆସିଛି।