ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଜୋରଦାର ବିରୋଧ କରାଯାଇଛି। ଏହି ନିଷ୍ପତ୍ତିକୁ ନେଇ ପୁରୀ ବାସିନ୍ଦା ତଥା ସେବାୟତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ସେମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।
ଯଦି ଶ୍ରୀମନ୍ଦିରର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରାଯାଏ, ତେବେ ବହୁ ମଠ ଓ ମନ୍ଦିର ଭାଙ୍ଗିବାକୁ ପଡ଼ିବ। ଏପରିକି ଶ୍ରୀନଅର ଏବଂ ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟାଳୟ ମଧ୍ୟ ଭାଙ୍ଗିବାକୁ ପଡ଼ିବ। ଏହାଦ୍ୱାରା ପୁରୀର ଐତିହ୍ୟ ପ୍ରତି ବିପଦ ସୃଷ୍ଟି ହେବ ବୋଲି ପୁରୀ ବାସିନ୍ଦା ଓ ସେବାୟତ କହିଛନ୍ତି। ଯଦି ସରକାର ତାଙ୍କର ନିଷ୍ପତ୍ତି ନବଦଳାନ୍ତି ତେବେ ବାଧ୍ୟ ହୋଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
ଜଷ୍ଟିସ ବିପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ପର୍ଯ୍ୟନ୍ତ ଜାଗା ଖାଲି କରିବାକୁ କ୍ୟାବିନେଟ୍ର ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ ସର୍ଭେ କାର୍ଯ୍ୟ ଲାଗି ପୁରୀ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ହେଲେ କ୍ଷତିଗ୍ରସ୍ତ ଲୋକ ଏବଂ ସଂସ୍ଥାକୁ ଥଇଥାନ କରାଯିବା ସହ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।