ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓଟିଭି ସାମ୍ବାଦିକ ମନୋଜ ସ୍ୱାଇଁଙ୍କୁ ଦୁର୍ବ୍ୟବହାର କରିଥିବା ଘଟଣାରେ ବଢୁଛି ପ୍ରତିବାଦର ସ୍ୱର। ରାଜ୍ୟବ୍ୟାପୀ ସାମ୍ବାଦିକଙ୍କ ସହ ବିଭିନ୍ନ ସଂଗଠନ ଏହାର ପ୍ରତିବାଦ କରିଛନ୍ତି । ଅନୁଭବଙ୍କ ଔଦ୍ଧତ୍ୟ ପ୍ରତିବାଦରେ ଭୁବନେଶ୍ୱରରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଣମାଧମ ପ୍ରତିନିଧି । ଭୁବନେଶ୍ୱର ଜୟଦେବ ଭବନ ଆଗରେ ସାମ୍ବାଦିକମାନେ ସାଂସଦଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରିଛନ୍ତି ।
ସେପଟେ ମୟୂରଭଞ୍ଜ ଜିଲ୍ଲା ଉଦଳାରେ ୟୁନିକ୍ ପ୍ରେସ୍ କ୍ଲବ ଏବଂ କପ୍ତିପଦା ଉପଖଣ୍ଡ ସାମ୍ବାଦିକ ପରିବାର ପକ୍ଷରୁ ଏହାର ପ୍ରତିବାଦ କରାଯାଇଛି । ସାଂସଦଙ୍କ ଦୁର୍ବ୍ୟବହାର ଘଟଣାକୁ ତୀବ୍ର ନିନ୍ଦା କରିଛି ୟୁନିକ୍ ପ୍ରେସକ୍ଲବ ଏବଂ ଉପଖଣ୍ଡ ସାମ୍ବାଦିକ ପରିବାର । ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ସହକାରୀ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
.କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାଂସଦ ଦୁର୍ବ୍ୟବହାର କରିଥିବା ନେଇ ଗତକାଲି ଥାନାରେ ଏତଲା ଦେଇଥିଲେ ମନୋଜ । ସର୍ବସମ୍ମୁଖରେ ସାଂସଦ ତାଙ୍କୁ ଅପମାନିତ କରିଥିବା ବେଳେ ଘଟଣା ପରେ ଅନୁଭବ ଓ ତାଙ୍କ ଗୁଣ୍ଡା ସମର୍ଥକ ଧମକ ଦେଇଥିବା ବି ଥାନାରେ ଅଭିଯୋଗ କରିଛନ୍ତି ମନୋଜ। ଖାଲି ଏତିକି ନୁହେଁ ଅନୁଭବଙ୍କ ବିରୋଧରେ ଖବର ପରିବେଷଣ କଲେ ଜୀବନରୁ ମାରିଦେବାକୁ ଧମକ ମିଳୁଥିବା ଜଣାଇଛନ୍ତି । ଏପରି କରିବା ଦ୍ୱାରା ତାଙ୍କୁ ମାନସିକ ଆଘାତ ଲାଗିବା ସହ ସମ୍ମାନହାନୀ ମଧ୍ୟ ହେଉଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ତାଙ୍କୁ ସୁରକ୍ଷା ଯୋଗାଇବାକୁ ମନୋଜ ଲିଖିତ ଅଭିଯୋଗରେ ଜଣାଇଛନ୍ତି ।