ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର: ଚିଠି ଲେଖିଲେ ଗଜପତି, ସପକ୍ଷରେ ବି ଶଙ୍କରାଚାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଥିବାବେଳେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୩ପୃଷ୍ଠାର ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଗୁରୁବାର ଆସିବା […]

gajapati

Tapas Behera
  • Published: Saturday, 20 June 2020
  • , Updated: 20 June 2020, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାପରେ ରାଜ୍ୟରେ ରାଜନୀତିକ ବୟାନବାଜି ଜାରି ରହିଥିବାବେଳେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୩ପୃଷ୍ଠାର ଚିଠି ଲେଖି ରଥଯାତ୍ରା କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି। ଏପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମଧ୍ୟ ପ୍ରେସ୍ ରିଲିଜ୍ ମାଧ୍ୟମରେ ପରମ୍ପରାଗତ ରଥଯାତ୍ରା ସମ୍ପନ୍ନ ନିମନ୍ତେ ଦୂରଦର୍ଶୀପୂର୍ଣ୍ଣ ନିଷ୍ପତ୍ତି ନେବାକୁ କହିଛନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ଗୁରୁବାର ଆସିବା ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ସରକାରୀସ୍ତରରେ ପଦକ୍ଷେପ ନେବାକୁ ୬ଟି ପଏଣ୍ଟ ଉତଥାପନ କରିଛନ୍ତି। ଗଜପତି କହିଛନ୍ତି ଯେ ଗତକାଲି ଓ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗର ବରିଷ୍ଠ ସେବାୟତମାନଙ୍କ ସହ ବିଚାରବିମର୍ଶ ପରେ ସମସ୍ତଙ୍କ ସର୍ବସମ୍ମତିରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ନିମନ୍ତେ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟରେ ଆଇନଗତ ପଦକ୍ଷେପ ନେବାକୁ ଦାବି ହୋଇଛି।

ଗଜପତି କହିଛନ୍ତି ଯେ ପୁରୀରେ ବାର୍ଷିକ ରଥଯାତ୍ରା ଅନୁଷ୍ଠିତ ହେବାର ବାଧ୍ୟତାମୂଳକ ପରମ୍ପରା ପୁରାଣବର୍ଣ୍ଣିତ। ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ, ନୀଳାଦ୍ରୀ ମହୋଦୟ, ବାମଦେବ ସଂହିତା ଆଦିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶ୍ରୀଜଗନ୍ନାଥ ମହାପ୍ରଭୁ ଅବତାର ନୁହଁନ୍ତି। ସେ ଅବତାରୀ ଓ ଶ୍ରୀଜଗନ୍ନାଥ ଧାମ-ପୁରୀ ହେଉଛି ଏହି ଧରାରେ ତାଙ୍କର ଅନନ୍ତ ନିବାସ ସ୍ଥଳୀ । ଦ୍ୱିତୀୟ ସତ୍ୟଯୁଗରୁ ଚତୁର୍ଦ୍ଧା ଦାରୁବିଗ୍ରହ ସ୍ୱୟଂ ନିଜର ରଥଯାତ୍ରା କରିବା ପାଇଁ ସେତେବେଳର ଶାସକ(ମହାରାଜା ଇନ୍ଦ୍ରଦୁମ୍ନ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେବେଠୁ ରଥଯାତ୍ରା ପରମ୍ପରା ଚାଲି ଆସିଛି ।

ଓଡ଼ିଶାର ସୁଦୀର୍ଘ ଇତିହାସକୁ ଦେଖିଲେ ଜଣାପଡ଼େ ଯେ, ରଥଯାତ୍ରା କେବଳ ସେହି ସମୟରେ ହୋଇନି ଯେତେବେଳେକି ଏହା ହେବା ସମ୍ପୂର୍ଣ୍ଣ ଅସମ୍ଭବ । ଉଦାହରଣସ୍ୱରୂପ ଷୋଡ଼ଶ,ସପ୍ତଦଶ ଓ ଅଷ୍ଟାଦଶ ଶତାବ୍ଦୀରେ ମୋଗଲ ଆକ୍ରମଣ ସମୟରେ ମହାପ୍ରଭୁଙ୍କୁ ଦୁର୍ଗମ ସ୍ଥାନରେ ଲୁଚାଇ ରଖାଯାଇଥିଲା । ରଥଯାତ୍ରା ଅନ୍ୟ କୌଣସି କାରଣରୁ ବନ୍ଦ ହୋଇନାହିଁ, ଏପରିକି ସବୁଠୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଓ ମହାମାରୀ ସମୟରେ ବି ରଥଯାତ୍ରା ସମ୍ପନ୍ନ ହୋଇଛି । ବର୍ତ୍ତମାନର କୋଭିଡ୍ ମହାମାରୀ ରହିଥିଲେ ମଧ୍ୟ ପୁରୀରେ ରଥଯାତ୍ରା ସମ୍ପନ୍ନ ହେବା ଅସମ୍ଭବ ହେବନି । ମେ’ ୩୦ତାରିଖ ମନ୍ଦିର ପରିଚାଳନା କମିଟି ମଧ୍ୟ ପୁରୀରେ ରଥଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ । ସାଧାରଣ ଲୋକଙ୍କ ସମାବେଶ ବିନା ଓ କୋଭିଡ୍ ସଂକ୍ରମଣ ରୋକିବା ଦିଗରେ ସରକାରୀ ପଦକ୍ଷେପ ମଧ୍ୟରେ ରଥଯାତ୍ରା ହୋଇପାରିବ ବୋଲି ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇ ସରକାରଙ୍କୁ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା ।

ଯଦି ରଥଯାତ୍ରା ଚଳିତବର୍ଷ ପୁରୀ ଅନୁଷ୍ଠିତ ନହୁଏ ତା’ହେଲେ ଏହା ବିଶ୍ୱର ଅଗଣତି ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେବ । ଯେଉଁମାନେ ଇଲୋକ୍ଟ୍ରୋନିକ୍ସ ମିଡିଆ ମାଧ୍ୟମରେ ପ୍ରତିବର୍ଷ ରଥଯାତ୍ରା ଦେଖିଥାନ୍ତି । ଯେହେତୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରତ୍ୟେକଟି ନାମ ବ୍ରହ୍ମାଣ୍ଡ ଠାକୁର ବୋଲି ଉଲ୍ଲେଖ ଅଛି ତେଣୁ ସେ ରଥଯାତ୍ରା ସମୟରେ ରଥରେ ଚଢ଼ି ସମସ୍ତ ବ୍ରହ୍ମାଣ୍ଡଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏହା ସନାତନ ବୈଦିକ ଧର୍ମର ପରମ୍ପରାରେ ଅଛି ମୁଖ୍ୟ ଠାକୁର ନିଜ ନିବାସ ଛାଡ଼ନ୍ତି ନାହିଁ । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ ମହାପ୍ରଭୁ ନିଜ ଇଚ୍ଛାରେ ମନ୍ଦିର ବାହାରକୁ ଆସିଥାନ୍ତି ।
ତେଣୁ ଏସବୁ କାରଣରୁ ପୁରୀର ରଥଯାତ୍ରା ସ୍ୱତନ୍ତ୍ର ଗୁରୁତ୍ୱ ବହନ କରେ ଓ ଏହା ବନ୍ଦ ହେବା ଅନୁଚିତ୍ । ଯଦିଓ କୋଭିଡ୍ ଲକଡାଉନ୍ ଗାଇଡଲାଇନ ଯୋଗୁ ରଥଯାତ୍ରା ଓ ଅନ୍ୟ ଧାର୍ମିକ ଉତ୍ସବ ପାଇଁ ଅନ୍ୟତ୍ର ଅନୁମତି ଦିଆଯାଇନି । ରାଜା ବୀରକିଶୋର ଦେବ ବନାମ ଓଡ଼ିଶା ସରକାରଙ୍କ ଏକ ମାମଲାରେ ସୁପ୍ରିମକୋର୍ଟଙ୍କ ସମ୍ବିଧାନିକ ଖଣ୍ଡପୀଠ ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ୱତନ୍ତ୍ର ଗୁରୁତ୍ୱକୁ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ପୁରୀ ମନ୍ଦିରକୁ ସ୍ୱତନ୍ତ୍ର ସେବା ଆବଶ୍ୟକ । ସରକାର ଚାହିଁଲେ ରାଜ୍ୟବ୍ୟାପୀ ରଥଯାତ୍ରା ବନ୍ଦ କରିପାରନ୍ତି କିନ୍ତୁ ପୁରୀରେ ଏହାକୁ ସ୍ୱତନ୍ତ୍ର ଭାବେ ଅନୁମତି ଦେବା ଉଚିତ୍ । ଯାତ୍ରା ସମୟରେ କୋଭିଡ୍ ସଂକ୍ରମଣ ଯେଭଳି ନହେବ ସେଥିପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେଇପାରିବେ।
ଗଜପତି ଆହୁରି ମଧ୍ୟ କହିଛନ୍ତି ଯେ, ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପୁନର୍ବିର୍ଚାର ହେଉ ବୋଲି ଚାହାଁନ୍ତି ।
ତେଣୁ ଉପରୋକ୍ତ ପରିସ୍ଥିତି ଓ ବିଶ୍ୱର ଅଗଣତି ଭକ୍ତମାନଙ୍କ ଭାବନାକୁ ଦୃଷ୍ଟିରେ ରଖି ପୁରୀରେ ରଥଯାତ୍ରା ବନ୍ଦ ନକରି ନିର୍ଦ୍ଦେଶର ସଂଶୋଧନ ପାଇଁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ । ଯାହାଫଳରେ ପୁରୀରେ ରଥଯାତ୍ରା ସମ୍ପନ୍ନ ହୋଇପାରିବ ବୋଲି ଗଜପତି ମହାରାଜ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ।

Related story