ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଚଳିତବର୍ଷ ହେବନି ମହାପ୍ରଭୁଙ୍କ ରଥଯାତ୍ରା। ଏ କଥା ଶୁଣି ଆମେ ସହିପାରୁନୁ। ଆମେ ସମସ୍ତେ ଆଜ୍ଞା କାନ୍ଦୁଛୁ। ମହାରଣା ଓ ଭୋଇ ପିଲାଙ୍କ ମନରେ ସୁଖ ନାହିଁ। ଆମେ ବର୍ତ୍ତମାନ ଚାହୁଁଛୁ କାମ ଛାଡ଼ି ଘରକୁ ପଳାଇ ଯିବୁ। ଏଠାରେ ରହିବାକୁ ଆମର ଆତ୍ମା କହୁନି। ଯଦି ମହାପ୍ରଭୁଙ୍କ ରଥ ନଗଡିଲା, ତାହାହେଲେ ଆମେ ଏଠାରେ ରହି କି ଲାଭ? ଏଠାରେ କାହିଁକି ରହିବୁ ଓ କେଉଁ କାରଣରୁ ରହିବୁ?” ଏମିତି ଅନେକ ପ୍ରଶ୍ନ ପଚାରି କାନ୍ଦୁଛନ୍ତି ତାଳଧ୍ୱଜ ରଥର ମୁଖ୍ୟ ମହାରଣା ନରସିଂହ ମହାପାତ୍ର। ସେ ଭଲଭାବେ ଜାଣିଛନ୍ତି ତାଙ୍କ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ତଥାପି ତାଙ୍କ ମନ ବୁଝୁନି।
ରଥଯାତ୍ରା ପାଇଁ ଠିଆ ହୋଇଛନ୍ତି ତିନି ରଥ। ହେଲେ ଯାହାଙ୍କ ପାଇଁ ଏତେ ଆୟୋଜନ ସେ ରଥକୁ ଉଠିବେନି। ବଡ଼ଦାଣ୍ଡରେ ଗଡ଼ିବନି ରଥ ଚକ। କେମିତି ସହିବ ଏ ଛାତି? ସେବାୟତ କାନ୍ଦୁଛି, କାନ୍ଦୁଛି ଭକ୍ତ ପ୍ରାଣ, କାନ୍ଦୁଛି ବଡ଼ଦାଣ୍ଡ। ରଥଯାତ୍ରା ନହେବା କଥା ଶୁଣି କାହା ମନକୁ ପାପ ଛୁଉଁଛି ତ କାହାକୁ ଖାଇ ଗୋଡ଼ାଉଛି ଅନିଶ୍ଚିତତାର ଭୟ। ସେଇଥିପାଇଁ ତିନି ରଥ ସାମ୍ନାରେ ହାତ ଯୋଡ଼ି ଅନୁରୋଧ ସମସ୍ତେ।
କେହି କେହି ଭକ୍ତ ପ୍ରଶ୍ନ ମଧ୍ୟ କରୁଛନ୍ତି ଜଗନ୍ନାଥଙ୍କ ଆଜ୍ଞାମାଳର କଣ ଅବଜ୍ଞା ହେବ। ଯାହାଙ୍କ ଆଜ୍ଞାରେ ଏ ରଥ ତିଆରି ହୋଇଥିଲା, ସେ ଆଜ୍ଞାକୁ ପାଳନ କରିବ କିଏ? ମିଛ ଥିଲା କି ମହାପ୍ରଭୁଙ୍କ ଆଜ୍ଞା? ରଥ ପାଖରେ, ରଥ ଆଗରେ କୋହ ଓ ସାମ୍ବାଦିକ ସମ୍ମିଳନୀରେ ବି ଛାତି ଫଟା କାନ୍ଦ। ଶ୍ରୀକ୍ଷେତ୍ରରେ ଶହ ଶହ ବର୍ଷର ପରମ୍ପରା ବନ୍ଦ ହେବାକୁ ଯାଉଥିବାରୁ ସରକାରଙ୍କୁ ଦାୟୀ କରି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଉଦ୍ବେଗ ପ୍ରକାଶ କରିଛନ୍ତି।
ହେଲେ ସତରେ କଣ କିଛି ଚମତ୍କାର ହେବ? ରଥକୁ ଆସିବେ କାଳିଆ ସାଆନ୍ତ? ଏତେ ପରେ ମଧ୍ୟ ଆଶା ଭାଙ୍ଗିନି। ରଥ ସଜା ଚାଲିଛି। ପ୍ରଭା ଉଠିଛି, ମହାପ୍ରଭୁ ଯେ ନିଶ୍ଚେ ରଥରେ ବସିବେ, ସେଇ ବଡ଼ ଆଶାରେ ଅଶ୍ୱକୁ ରଙ୍ଗଉଛନ୍ତି ଚିତ୍ରକର ସେବାୟତ।