ପୁରୀ ଷ୍ଟେସନରେ ଟ୍ରେନରେ ଅଗ୍ନିକାଣ୍ଡ ଘଟଣା: ଜଣେ ଗିରଫ,୩ ଅଟକ

ପୁରୀ: ପୁରୀ ରେଳ ଷ୍ଟେସନରେ ଟ୍ରେନରେ ଘଟିଥିବା ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ଜାରି ରହିଛି । ଫରେନସିକ୍ ଟିମ୍ ଘଟଣାସ୍ଥଳ ଯାଇ ଯାଞ୍ଚ କରିଥିବାବେଳେ, କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେନେଇ ଖୋଳତାଡ ଆରମ୍ଭ କରିଛି ରେଳ ବିଭାଗ। ନିଆଁ ଲାଗିଥିବା ପ୍ରତିଟି ବଗିକୁ ତନ୍ନତନ୍ନ କରି ଯାଂଚ କରାଯାଇଛି। ଏହି ସମୟରେ ଜଳନ୍ତା ବଗି ଭିତରୁ କିଛି ଜିନିଷକୁ ମଧ୍ୟ ତଦନ୍ତକାରୀ ଦଳ ଜବତ କରିଛି। ଆଜି ଜିଆରପି ଏଡିଜି ଏମ୍. […]

puri

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 03:15 PM IST

ପୁରୀ: ପୁରୀ ରେଳ ଷ୍ଟେସନରେ ଟ୍ରେନରେ ଘଟିଥିବା ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣାରେ ତଦନ୍ତ ଜାରି ରହିଛି । ଫରେନସିକ୍ ଟିମ୍ ଘଟଣାସ୍ଥଳ ଯାଇ ଯାଞ୍ଚ କରିଥିବାବେଳେ, କେଉଁ କାରଣରୁ ଟ୍ରେନରେ ନିଆଁ ଲାଗିଲା ସେନେଇ ଖୋଳତାଡ ଆରମ୍ଭ କରିଛି ରେଳ ବିଭାଗ। ନିଆଁ ଲାଗିଥିବା ପ୍ରତିଟି ବଗିକୁ ତନ୍ନତନ୍ନ କରି ଯାଂଚ କରାଯାଇଛି। ଏହି ସମୟରେ ଜଳନ୍ତା ବଗି ଭିତରୁ କିଛି ଜିନିଷକୁ ମଧ୍ୟ ତଦନ୍ତକାରୀ ଦଳ ଜବତ କରିଛି। ଆଜି ଜିଆରପି ଏଡିଜି ଏମ୍. ନାଗେଶ୍ୱର ରାଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ତା’ସହିତ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି।

ଏହାସହ ଘଟଣାର ଅଧିକ ଖୋଳତାଡ ପାଇଁ ତିନି ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି ପୋଲିସ। ତା’ ନାଁ ରାମଚନ୍ଦ୍ରନ୍ ସୁବାସ। ତା’ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ରାମଚନ୍ଦ୍ରନ୍ ଠାରୁ ଛୁରୀ, ବ୍ଲେଡ୍ ଓ ଦିଆସିଲି ଜବତ କରାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ହଠାତ୍ ପୁରୀ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଥିଲା। ଅପରାହ୍ନ ୪ଟାରେ ୪ ନମ୍ୱର ପ୍ଲାଟଫର୍ମରେ ପହଞ୍ଚିଥିଲା ନନ୍ଦନକାନନ ଏକ୍ସପ୍ରେସ୍। ସାଢେ଼ ୪ଟା ବେଳେ ଏହି ଟ୍ରେନର ଏସ୍-୧୧ ଓ ଏସ୍-୧୨ ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧୫ ମିନିଟ୍ ପରେ ପୁରୀ-ତିରୁପତି ଏକ୍ସପ୍ରେସ୍ ୨ ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା। ନନ୍ଦନକାନନ ଏକ୍ସପ୍ରେସରୁ ନିଆଁ ତିରୁପତି ଏକ୍ସପ୍ରେସକୁ ବ୍ୟାପି ଯାଇଥିଲା। ନିଆଁ ଆୟତ କରିବାକୁ ଚେଷ୍ଟା ଚାଲିଥିବା ବେଳେ ୬ ନମ୍ୱର ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ପୁରୀ-ହାୱଡ଼ା ଟ୍ରେନରେ ମଧ୍ୟ ନିଆଁ ଲାଗି ଯାଇଥିଲା। ଘଟଣା ପରେ ରେଳବାଇ କର୍ତ୍ତୃପକ୍ଷ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଖୋର୍ଦ୍ଧାରୋଡ୍ ଡିଆରଏମ ଓ ଅନ୍ୟ ବରିଷ୍ଠ ଅଧିକାରୀ ପୁରୀ ଷ୍ଟେସନରେ ପହଞ୍ଚି ଘଟଣାର ତଦାରଖ କରି ଦେଇଥିଲେ। ଅଗ୍ନିକାଣ୍ଡରେ କୌଣସି ଯାତ୍ରୀଙ୍କର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।

Related story