କ୍ୱାରେଣ୍ଟାଇନ ଅବଧି ବୃଦ୍ଧି ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ପରାମର୍ଶଦାତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କ୍ୱାରେଣ୍ଟାଇନ ଅବଧି ୧୪ଦିନରୁ ୨୧ଦିନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ କେ.ଶ୍ରୀନାଥ ରେଡ୍ଡୀ ପରାମର୍ଶ ଦେଇଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ତଥା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡଃ ରେଡ୍ଡୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିପରିଷଦ ସହଯୋଗୀ, ମୁଖ୍ୟ ସଚିବ, ପୁଲିସ ଡିଜି, ବରିଷ୍ଠ ଅଧିକାରୀଗଣ, ଜିଲ୍ଲାପାଳ ଓ […]

700

Tapas Behera
  • Published: Thursday, 07 May 2020
  • , Updated: 07 May 2020, 09:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):କରୋନା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିବା ସହ କ୍ୱାରେଣ୍ଟାଇନ ଅବଧି ୧୪ଦିନରୁ ୨୧ଦିନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ପରାମର୍ଶଦାତା ଡଃ କେ.ଶ୍ରୀନାଥ ରେଡ୍ଡୀ ପରାମର୍ଶ ଦେଇଛନ୍ତି। ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତୀୟ ଜନସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସଭାପତି ତଥା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡଃ ରେଡ୍ଡୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିପରିଷଦ ସହଯୋଗୀ, ମୁଖ୍ୟ ସଚିବ, ପୁଲିସ ଡିଜି, ବରିଷ୍ଠ ଅଧିକାରୀଗଣ, ଜିଲ୍ଲାପାଳ ଓ ଏସପିଙ୍କ ସହ ‘କୋଭିଡରୁ ଶିକ୍ଷା-ଆମେ କ’ଣ ଶିଖିଲ ଓ କିପରି କୋଭିଡ୍ ଯୁଦ୍ଧ ଜିତିବା’ ପ୍ରସଙ୍ଗରେ ବିଚାରବିମର୍ଶ କରିଥିଲେ।
ଏହି ଭିଡିଓ କନଫରେନ୍ସିଂ ପରେ ଗଣମାଧ୍ୟମକୁ ସୂଚନା ଦେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ, କ୍ୱାରେଣ୍ଟାଇନ ଅବଧି ବଢ଼ାଇବାକୁ ରାଜ୍ୟ ସରକାରଙ୍କୁ ସ୍ୱାସ୍ଥ୍ୟ ପରାମର୍ଶଦାତା ଶ୍ରୀ ରେଡ୍ଡୀ ପରାମର୍ଶ ଦେଇଛନ୍ତି। କ୍ୱାରେଣ୍ଟାଇନ ଅବଧି ୧୪ରୁ ୨୧ଦିନକୁ ବୃଦ୍ଧି ପାଇପାରେ।

ଅନ୍ୟପକ୍ଷରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଆରମ୍ଭରେ ଡଃ ରେଡ୍ଡୀଙ୍କୁ ସ୍ୱାଗତ କରି ଆଲୋଚନା ଆରମ୍ଭ କରିଥିଲେ। ଡଃ ରେଡ୍ଡୀଙ୍କ ଉପାଦେୟ ପରାମର୍ଶ ଓ ଅଭିଜ୍ଞତା କରୋନା ରୋଗ ସଂକ୍ରମଣକୁ ରୋକିବାରେ ମାର୍ଗଦର୍ଶନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଶ୍ରୀ ରେଡ୍ଡୀ କହିଥିଲେ ଯେ, ଭାରତ ସମେତ ବିଭିନ୍ନ ଦେଶରେ କରୋନା ଭାଇରସ୍ ପାଇଁ ପ୍ରତିଷେଧକ ଟୀକା ଉପରେ ଗବେଷଣା ଚାଲିଥିବାବେଳେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏହି ଟୀକା ବାହାରିପାରେ। ଲକ୍ଷଣଭିତ୍ତିକ ରୋଗ ଅନୁସନ୍ଧାନ ଉପରେ ସେ ଗୁରୁତ୍ୱ ଦେବା ସହ ଗୋଷ୍ଠୀ ପ୍ରତିରୋଧ ଶକ୍ତି ବିକାଶ ଉପରେ ଗୁରୁତ୍ୱ ନଦେଇ ଗୋଷ୍ଠୀ ସୁରକ୍ଷା ଉପରେ ଜୋର ଦେଲେ ଏହି ରୋଗକୁ ନିୟନ୍ତ୍ରଣ କରାଯିବ ବୋଲି କହିଥିଲେ। ସ୍ୱାସ୍ଥ୍ୟକର୍ମୀଙ୍କ ପରି ପୁଲିସ କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯିବାକୁ ସେ ପରାମର୍ଶ ଦେଇଛନ୍ତି । ହାତ ଧୋଇବା ସହ ସାମାଜିକ ଦୂରତ୍ୱ ନିମନ୍ତେ ବ୍ୟାରିକେଡ୍ ଓ ଆଖିର ସୁରକ୍ଷା ପାଇଁ ଚଷମା ଓ ହାତର ସୁରକ୍ଷା ନିମନ୍ତେ ଗ୍ଲୋବସ୍ ବ୍ୟବହାର କରିବା ଜରୁରୀ ବୋଲି କହିଛନ୍ତି।

ବିଶ୍ୱର ବିିଭିନ୍ନ ଆଗୁଆ ରାଷ୍ଟ୍ର ଲକଡାଉନ୍ ନକରିବା ଯୋଗୁ ସେଠାରେ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ୁଛି। କିନ୍ତୁ ଭିଏତନାମ ପରି ଦେଶ ଆଇସୋଲେସନ, କଣ୍ଟ୍ରାକ୍ଟ ଟ୍ରେସିଂ ଓ ବହୁଳ ଭାବେ ପରୀକ୍ଷା ମାଧ୍ୟମରେ ରୋଗ ନିୟନ୍ତ୍ରଣରେ ସଫଳ ହୋଇପାରିଛି। ଭାରତୀୟମାନେ ବିସିଜି, ପୋଲିଓ ଟୀକା ସମେତ ମ୍ୟାଲେରିଆ ପରି ଔଷଧ ବ୍ୟବହାର କରୁଥିବାରୁ କୋଭିଡ୍ ରୋଗ ଭାରତରେ ସେଭଳି ଜଟିଳ ପରିସ୍ଥିତି ନକରିପାରେ ବୋଲି ସେ ମତବ୍ୟକ୍ତ କରିଥିଲେ। ତେବେ ଏସବୁ ତଥ୍ୟ ତୁଳନାରେ ସାମାଜିକ ଦୂରତ୍ୱ ଉପରେ ଅଧିକ ଧ୍ୟାନ ଦବୋକୁ ସେ ପରାମର୍ଶ ଦେଇଥିଲେ।
ଡଃ ରେଡ୍ଡୀ କହିଥିଲେ ଯେ, କରୋନାକୁ ରୋକିବା କଷ୍ଟ କିନ୍ତୁ ସାମାଜିକ ଦୂରତ୍ୱ, ହାତ ଧୋଇବା ଓ ମାସ୍କ ପିନ୍ଧିବା ଦ୍ୱାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଗୋଷ୍ଠୀର ସକ୍ରୟ ଅଂଶଗ୍ରହଣ କରୋନା ସଂକ୍ରମଣକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ହେବ। ତେଣୁ ବାରମ୍ବାର ହାତଧୋଇବା, ମୁହଁରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ୱ ଦ୍ୱାରା ହିଁ କୋଭିଡ୍ ଯୁଦ୍ଧରେ ବିଜୟୀ ହୋଇପାରିବା ବୋଲି ଡଃ ରେଡ୍ଡୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ ଥିବା ସ୍ୱାସ୍ଥ୍ୟ ବିଭାଗର ପରାମର୍ଶଦାତା ଡଃ ରେଡ୍ଡୀଙ୍କୁ ରାଜ୍ୟରେ କରୋନା ସଂକ୍ରମଣ ଆସିବାର ପ୍ରାୟ ଦେଢ଼ମାସ ପରେ ଦେଖିବାକୁ ମିଳିଛି।

Related story