କଟକ( ଓଡ଼ିଶା ରିପୋର୍ଟର): ନିଜ ସାବତ ପୁଅକୁ ମାରି ଆଜି ଜଣେ ମହିଳା ନିଜ ଘରେ ଝୁଲି ପଡ଼ିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ଉଭୟ ପରିବାର ପରସ୍ପରକୁ ଦୋଷାରୋପ କରୁଥିବା ବେଳେ ମଝିରେ ପଶି ଯାଇଛନ୍ତି କ୍ୟାଣ୍ଟନମେଣ୍ଟ ଥାନାର ଜଣେ ଅଧିକାରୀ। ଅଧିକାରୀଜଣକ ନିଜ ଥାନା ଅନ୍ତର୍ଗତ ଅଞ୍ଚଳ ଛାଡ଼ି ମଧୁପାଟଣା ଥାନା ଅଞ୍ଚଳରେ କ’ଣ କରୁଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଏହି ଅଧିକାରୀଜଣକ କ୍ୟାଣ୍ଟନମେଣ୍ଟ ଥାନାର ASI ସନ୍ତୋଷ ବେହେରା ବୋଲି ଜଣାପଡ଼ିଛି।
ମୃତା ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ କ୍ୟାଣ୍ଟନମେଣ୍ଟ ଥାନାର ASI ସନ୍ତୋଷ ବେହେରାଙ୍କ ସମ୍ପର୍କୀୟ ପୁତୁରା ବୋଲି ଜଣାପଡ଼ିଛି। ତେଣୁ ସେ ସବୁବେଳେ ଏହି ମାମଲାରେ ଅଯଥା ହସ୍ତକ୍ଷେପ କରିବା ସହ ଧମକ ଦେଉଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକେ।
ଆଜି ମହିଳା ଓ ଶିଶୁର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କ୍ୟାଣ୍ଟନମେଣ୍ଟ ଥାନାର ASI ସନ୍ତୋଷ ବେହେରା ପୁଲିସ୍ ୟୁନିଫର୍ମରେ ମଧୁପାଟଣା ଥାନା ଅଞ୍ଚଳର ଶ୍ରୀରାମନଗର ବସ୍ତିରେ ଥିବା ଘରେ ପହଞ୍ଚିଥିଲେ। ଏପରିକି ସେ ପରିପାର୍ଶ୍ୱିକ ସ୍ଥିତିକୁ ପ୍ରଭାବିତ କରିଥିବା ମୃତା ମହିଳାଙ୍କ ପରିବାର ଅଭିଯୋଗ ଆଣିବା ସହ ତାଙ୍କୁ ପ୍ରବଳ ବିରୋଧ କରିଥିଲେ।
ଝିଅଘର ଲୋକଙ୍କ ବିରୋଧ ଯୋଗୁଁ ହଡ଼ବଡ଼େଇ ସଂପୃକ୍ତ ASI ତୁରନ୍ତ ଘଟଣା ସ୍ଥଳ ଛାଡ଼ି ପଳାଇଥିଲେ। ତେବେ ଏନେଇ ପଚାରିବାରୁ ପୁତୁରା ଘରେ ଏତେ ବଡ଼ ଅଘଟଣ ଘଟିଥିବା ଖବର ପାଇ ଆସିଛି। ଏଥିସହ ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ସେ ଗଣମାଧ୍ୟମକୁ କହିଥିଲେ।
ପୂର୍ବରୁ ଏହି ଘଟଣାକୁ ନେଇ ସନ୍ତୋଷ ଖୁଣ୍ଟିଆ ମଧୁପାଟଣା ଥାନାରେ ଅଭିଯୋଗ କରିଥିବା ବେଳେ ସେତେବେଳେ ମଧ୍ୟ ତାଙ୍କ ସମ୍ପର୍କୀୟ ଦାଦା ସନ୍ତୋଷ ବେହେରା ସେଠାକୁ ଯାଇ ଚାପ ସୃଷ୍ଟି କରୁଥିବା ମୃତ ମହିଳାଙ୍କ ପରିବାର ଲୋକେ କହିଛନ୍ତି।
ଏହି ଘଟଣାକୁ ନେଇ କଟକ ଡିସିପି କହିଛନ୍ତି, ଏକ ବନ୍ଦ ଘରେ ଅଘଟଣ ଘଟିଥିବା ନେଇ ଆଜି ସକାଳେ ସୂଚନା ମିଳିଥିଲା। କବାଟ ବନ୍ଦ ଥିବାରୁ ପୁଲିସ୍ କବାଟ ଭାଙ୍ଗି ପିଲା ସହ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ ଟିମ୍ ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ଉଭୟ ପରିବାର ମଦ୍ୟରେ ତିକ୍ତତା ଥିଲା। ଘଟଣାକୁ ଗୁରୁତର ସହ ନେଇଛୁ। ପରିବାର ଲୋକଙ୍କୁ ବି ପଚରାଉଚରା କରାଯିବ ।
କ୍ୟାଣ୍ଟନମେଣ୍ଟ ଥାନାର ASI ସନ୍ତୋଷ ବେହେରା କାହିଁକି ମଧୁପାଟଣା ଥାନା ଅଞ୍ଚଳକୁ ଯାଇଥିଲେ ପଚରାଯିବାରୁ ଡିସିପି କହିଛନ୍ତି, ଏନେଇ ତାଙ୍କୁ ପଚରାଯିବ । ଏଥିନିମନ୍ତେ ସେ ଉତ୍ତରଦାୟୀ ରହିବେ।