ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍‌, ପରୀକ୍ଷା ବାତିଲ

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୨ ଦିନ ହେଲାଣି ଘଟୁଛି ସମାନ ଘଟଣା। ଏହି ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଆଜି ବି ପୁନରାବୃତ୍ତି ହୋଇଛି। ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ମୋବାଇଲରୁ ମୋବାଇଲ ଘୂରି ବୁଲିଛି। ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି […]

Entrance Exam

Niharika Rout
  • Published: Friday, 15 July 2022
  • , Updated: 15 July 2022, 10:53 AM IST

ସମ୍ବଲପୁର(ସଞ୍ଜୟ ଜେନା): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୨ ଦିନ ହେଲାଣି ଘଟୁଛି ସମାନ ଘଟଣା। ଏହି ବିଶ୍ୱବିଦ୍ୟାଳୟରେ ଗତକାଲି ଘଟିଥିବା ପ୍ରଶ୍ନପତ୍ର ଲିକ୍‌ ଘଟଣାର ଆଜି ବି ପୁନରାବୃତ୍ତି ହୋଇଛି। ଗତକାଲି ଆର୍ଟସ ଷ୍ଟ୍ରିମ୍‌ର ଏଜୁକେସନ ପେପର ଲିକ୍‌ ହୋଇଥିବା ବେଳେ ଆଜି ବିଜ୍ଞାନର ଫିଜିକ୍ସ ପେପର ମୋବାଇଲରୁ ମୋବାଇଲ ଘୂରି ବୁଲିଛି। ଲିକ୍‌ ହୋଇଥିବା ପ୍ରଶ୍ନପତ୍ର ହିଁ ଅରିଜିନାଲ ବୋଲି ସ୍ୱୀକାର କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ଏଥିସହ ଆଜି ହେବାକୁ ଥିବା ଫିଜିକ୍ସ ପରୀକ୍ଷାକୁ ବାତିଲ କରି ଦିଆଯାଇଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ପ୍ରଶ୍ନପତ୍ର ଲିକ୍ ହୋଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାରକୁ ଠେଲି ହୋଇଯାଉଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ।

ଆଜି ପୂର୍ବାହ୍ନ ୧୦ଟା ବେଳେ ଯୁକ୍ତ ୩ ଶେଷ ବର୍ଷ ଫିଜିକ୍ସ ପେପର-୨ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଥିଲା। ହେଲେ ତାହା ହିଁ ଅରିଜିନାଲ ପ୍ରଶ୍ନପତ୍ର ବୋଲି ଜଣା ନ ଥିଲା।

ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଦିନ ୧୦ଟାରେ ପରୀକ୍ଷା ନିମନ୍ତେ ପ୍ରଶ୍ନପତ୍ର ସେଟ୍‌କୁ ଖୋଲା ଯାଇଥିଲା। ତାହାକୁ ଭାଇରାଲ ପ୍ରଶ୍ନପତ୍ର ସହ ମେଳ କରାଯିବାରୁ ତାହା ପୂରାପୂରି ସମାନ ବୋଲି ଜଣାଯାଇଛି। ତେଣୁ ତୁରନ୍ତ ପରୀକ୍ଷାକୁ ବାତିଲ କରି ଦିଆଯାଇଛି।

ଏହି ପରୀକ୍ଷା ପୁଣି କେବେ ହେବ ତାହା ସ୍ଥିର ହୋଇପାରି ନାହିଁ। ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ। ଲିକ୍‌ ହୋଇଥିବା ଫିଜିକ୍ସ ପ୍ରଶ୍ନପତ୍ର ଛାପାଖାନାକୁ ଯିବା ପୂର୍ବର ବୋଲି ଜଣାଯାଇଛି। ତେଣୁ ଏଥିରେ ପ୍ରଶ୍ନପତ୍ର ସେଟ୍‌ କରୁଥିବା ତଥା ଛାପାଖାନାକୁ ନେଉଥିବା କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ଗତକାଲି ଏଜୁକେସନ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ କରାଯାଇ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତୁରନ୍ତ କାର୍ଯ୍ୟରୁ ନିବୃତ୍ତ କରାଯାଇଛି। ତାଙ୍କ ବିରୋଧରେ ଦୃଢ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିବା ଗତକାଲି ଅଧିକାରୀ କହିଥିଲେ। ମାତ୍ର ଆଜିର ଘଟଣା ପଛରେ କାହାର ହାତ ଅଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଛାତ୍ରଛାତ୍ରୀ ଦୀର୍ଘ ଦିନ ପରିଶ୍ରମ କରି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ବେଳେ ଏହା ପୂର୍ବରୁ ଲିକ୍‌ ହୋଇଯାଉଛି ପ୍ରଶ୍ନପତ୍ର। ଫଳରେ ସେମାନଙ୍କ ଭବିଷ୍ୟତ ସହ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ତୁରନ୍ତ ଏହି ଘଟଣାର ତଦନ୍ତ କରାଯାଇ ଏପରି କାଣ୍ଡ ଘଟାଉଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ।

Related story