ଗୃହରେ କୋଭିଡ୍ କେଳେଙ୍କାରୀ ଝଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଚିକିତ୍ସାରେ ହୋଇଥିବା ଖର୍ଚ୍ଚରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିରୋଧୀ ଦଳ। ରାଜ୍ୟରେ ଥିବା ଘରୋଇ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେତେ ଖର୍ଚ୍ଚ ହୋଇଛି, ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ କୌଣସି ତାଳମେଳ ରହୁନଥିବା ବିରୋଧୀ ଅଭିଯୋଗ କରିଛି। ତେବେ ବିରୋଧୀ ମଧ୍ୟ ଏହାର ଜବାବ ରଖିଛି। ଏପରିକି ସୂଚନା ଅଧିକାର କର୍ମୀ […]

covid

Ranjit Kumar Jena
  • Published: Wednesday, 24 February 2021
  • , Updated: 24 February 2021, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଚିକିତ୍ସାରେ ହୋଇଥିବା ଖର୍ଚ୍ଚରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିରୋଧୀ ଦଳ। ରାଜ୍ୟରେ ଥିବା ଘରୋଇ କୋଭିଡ୍ ହସ୍ପିଟାଲ ଗୁଡ଼ିକରେ କେତେ ଖର୍ଚ୍ଚ ହୋଇଛି, ସେ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଯେଉଁ ତଥ୍ୟ ଦେଇଛନ୍ତି, ସେଥିରେ କୌଣସି ତାଳମେଳ ରହୁନଥିବା ବିରୋଧୀ ଅଭିଯୋଗ କରିଛି। ତେବେ ବିରୋଧୀ ମଧ୍ୟ ଏହାର ଜବାବ ରଖିଛି। ଏପରିକି ସୂଚନା ଅଧିକାର କର୍ମୀ ମଧ୍ୟ ଚିକିତ୍ସା ଖର୍ଚ୍ଚର ଗାଇଡଲାଇନରେ ଖୁଲମଖୁଲା ଉଲ୍ଲଙ୍ଘନ ହୋଇଥିବା ଅଭିଯୋଗ କରିଛନ୍ତି।

ବିଧାନସଭାରେ ଖୋଦ୍ ଶାସକଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ତଥ୍ୟ ରଖିଛନ୍ତି ତାକୁ ନେଇ ବିରୋଧୀ ଏହି ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟର ୩୧ଟି ଘରୋଇ ହସ୍ପିଟାଲ ସହ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଚିକିତ୍ସା ହେଉଥିଲା। ଏସବୁକୁ ମିଶାଇ ଚଳିତ ବର୍ଷ ଜାନୁଆରୀ ସୁଦ୍ଧା ମୋଟ ୩୮୯ କୋଟି ୫୯ ଲକ୍ଷ ୬୬ହଜାର ୪୬୬ ଟଙ୍କାର କୋଭିଡ୍ ଚିକିତ୍ସା ବିଲ୍ ଭରଣା ଖର୍ଚ୍ଚ ଦର୍ଶାଯାଇଛି।

ଏଥିମଧ୍ୟରୁ ଭୁବନେଶ୍ୱର ସମ୍ ହସ୍ପିଟାଲ ସବୁଠାରୁ ଆଗରେ ରହିଛି। ସମ୍‌ରେ ୬୯୮ ରୋଗୀଙ୍କ ଚିକିତ୍ସା ବାବଦରେ ୫୮ କୋଟି ୫୯ ଲକ୍ଷ ୭୨ ହଜାର ଟଙ୍କାର ବିଲ୍ ଦର୍ଶାଯାଇଛି। ଅର୍ଥାତ୍ ଏଠି ରୋଗୀ ପିଛା ଖର୍ଚ୍ଚ ହାରାହାରି ୮ଲକ୍ଷ ୩୯ ହଜାର ୫ଶହ ଟଙ୍କା। ଏହା ପରକୁ ରହିଛି କିମ୍ସ ହସ୍ପିଟାଲ, ଯେଉଁଠି ୨ ହଜାର ୨୯୫ ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ ୪୪ କୋଟି ୧୫ଲକ୍ଷ ୫୨ ହଜାର ଟଙ୍କା ଅର୍ଥାତ୍ ଏଠି ରୋଗୀ ପିଛା ହାରାହାରି ଖର୍ଚ୍ଚ ୧ଲକ୍ଷ ୯୨ ହଜାର ୩୯୭ ଟଙ୍କା ଖର୍ଚ୍ଚ ହୋଇଛି।

ସେହିପରି ସୁନ୍ଦରଗଡ଼ର ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ମାତ୍ର ୪୩୬ଜଣ ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଛି ୩୦ କୋଟି ୩ ଲକ୍ଷ ୪୮ ହଜାର ଟଙ୍କା ଏବଂ ଏଠି ରୋଗୀ ପିଛା ହିସାବ ୬ ଲକ୍ଷ ୮୮ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ କେନ୍ଦୁଝର ଯୋଡ଼ା ଟାଟା ହସ୍ପିଟାଲରେ ୬୨୦ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଦର୍ଶାଯାଇଛି ମାତ୍ର ୬୫ଲକ୍ଷ ଟଙ୍କା, ଯେଉଁଠି ରୋଗୀ ପିଛା ଖର୍ଚ୍ଚ ମାତ୍ର ୧୦, ୪୮୪ ଟଙ୍କା ଖର୍ଚ୍ଚ ହୋଇଛି।

ସେମିତି ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ୪ ହଜାର ୩୩୦ କୋଭିଡ୍ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୧କୋଟି ୭୩ ଲକ୍ଷ ୭୮ ହଜାର ଟଙ୍କା ଦର୍ଶାଯାଇଛି। ଅର୍ଥାତ୍ ଏଠି ରୋଗୀ ପିଛା ଖର୍ଚ୍ଚ ମାତ୍ର ୪ ହଜାର ଟଙ୍କା। ଏହାବାଦ୍ ଅନ୍ୟ ଘରୋଇ ହସ୍ପିଟାଲ ଭାବେ ଭୁବନେଶ୍ୱର ଆଦିତ୍ୟ ଅଶ୍ୱିନୀକୁ ୧୮ କୋଟି ୨୮ ଲକ୍ଷ ୪୫ ହଜାର ଓ କଟକ ଅଶ୍ୱିନୀ ହସ୍ପିଟାଲକୁ ୩୨କୋଟି ୪୫ ଲକ୍ଷ ୮୫ ହଜାର ଟଙ୍କାର ଖର୍ଚ୍ଚ ଦିଆଯାଇଥିବା ବେଳେ ତାଲିକାରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡ଼ା ଡିଡିଏଚରେ ଖର୍ଚ୍ଚ ହୋଇଛି ୬ କୋଟି ୧୩ ଲକ୍ଷ ୯୯ ହଜାର ଟଙ୍କା। ତେବେ ଗୋଟିଏ ପ୍ରକାର ରୋଗର ଚିକିତ୍ସା ପାଇଁ ଭିନ୍ନ ଭିନ୍ନ ଚିକିତ୍ସା ଖର୍ଚ୍ଚକୁ ନେଇ ସରକାରଙ୍କୁ ନିଶାନା ସାଧୀ ବିରୋଧୀ କହିଛନ୍ତି ଏ ମହାଦୁର୍ନୀତିର ଉଚିତ୍ ତଦନ୍ତ ହେଉ।

ଖାଲି ବିରୋଧୀ ଦଳ ନୁହନ୍ତି ସୂଚନା ଅଧିକାର କର୍ମୀ ବି ସରକାରଙ୍କ କୋଭିଡ୍ ଚିକିତ୍ସା ଖର୍ଚ୍ଚକୁ ନେଇ ଚକିତ ହୋଇଛନ୍ତି। ସୂଚନା ଅଧିକାର କର୍ମୀ କହିଛନ୍ତି, କୋଭିଡ୍ ରୋଗୀଙ୍କ ଚିକିତ୍ସା ଲାଗି ଆଇସିୟୁ, ନନ୍ ଆଇସିୟୁ ଓ ଖାଦ୍ୟ ଖର୍ଚ୍ଚ ବାବଦକୁ ସରକାର ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଥିଲେ। ହେଲେ ଅଧିକାଂଶ ହସ୍ପିଟାଲରେ ଏଥିରେ ବ୍ୟତିକ୍ରମ ଥିବା ଅନୁଭବ ହେଉଛି। ସଠିକ୍ ତଦନ୍ତ ହେଲେ ଏହି ଦୁର୍ନୀତିର ତଥ୍ୟ ପଦାକୁ ଆସିବ।

ତେବେ ଚିକିତ୍ସା ଖର୍ଚ୍ଚରେ ରହୁଥିବା ତାରତମ୍ୟକୁ ନେଇ ଘରୋଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପଚାରିଥିବା ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କୋଭିଡ୍ ଚିକିତ୍ସା ଲାଗି ଉଦ୍ଦିଷ୍ଟ ୩୨ଟି ହସ୍ପିଟାଲରେ ସରକାରୀ ଖର୍ଚ୍ଚରେ ଯେଉଁ ଉପକରଣ ସବୁ ଲାଗିଥିଲା, ତାହା ପୁଣି ସରକାର ଫେରାଇ ଆଣିବାକୁ ପ୍ରକ୍ରିୟା ଚାଲୁ ରହିଛି।

Related story