ବିଜେଡି ବିଧାୟକ ଓ ସାଂସଦଙ୍କୁ ସାତ ଖୁନ୍ ମାଫ୍, କିଏ ଦେଉଛି ସୁରକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ପଞ୍ଚମ ପାଳିର ସରକାରକୁ ମାସେ ପୁରିନି କିନ୍ତୁ ଦଳର ବିଧାୟକ ଓ ସାଂସଦମାନଙ୍କ ନାଁରେ ସିରିଜ୍ ସଙ୍ଗୀନ ଅଭିଯୋଗ ଆସିବାରେ ଲାଗିଛି। ବିଜେଡି ନେତାମାନେ ଏବେ ‘ଧରାକୁ ସରା ମଣି ’ଆଇନକୁ ହାତମୁଠାକୁ ନେବାକୁ ପଛାଉ ନାହାନ୍ତି। ଏପରିକି ସଙ୍ଗୀନ ଅଭିଯୋଗ ଆସିଥିବା ବିବାଦୀୟ ବିଧାୟକମାନଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ନବୀନ ସରକାର ଏବେ ପୁରସ୍କୃତ କରିବା ନିମନ୍ତେ ସଜବାଜ ହେଉଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, […]

anubhab

Manoranjan Sial
  • Published: Thursday, 20 June 2019
  • , Updated: 20 June 2019, 10:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ପଞ୍ଚମ ପାଳିର ସରକାରକୁ ମାସେ ପୁରିନି କିନ୍ତୁ ଦଳର ବିଧାୟକ ଓ ସାଂସଦମାନଙ୍କ ନାଁରେ ସିରିଜ୍ ସଙ୍ଗୀନ ଅଭିଯୋଗ ଆସିବାରେ ଲାଗିଛି। ବିଜେଡି ନେତାମାନେ ଏବେ ‘ଧରାକୁ ସରା ମଣି ’ଆଇନକୁ ହାତମୁଠାକୁ ନେବାକୁ ପଛାଉ ନାହାନ୍ତି। ଏପରିକି ସଙ୍ଗୀନ ଅଭିଯୋଗ ଆସିଥିବା ବିବାଦୀୟ ବିଧାୟକମାନଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ନବୀନ ସରକାର ଏବେ ପୁରସ୍କୃତ କରିବା ନିମନ୍ତେ ସଜବାଜ ହେଉଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ପାଟଣାଗଡ଼ ବିଧାୟକ ସରୋଜ ମେହେର ଜଣେ ଅନୁସୂଚିତ ଜନଜାତି ବର୍ଗର ସରକାରୀ କାର୍ଯ୍ୟରତ ଜେଇଙ୍କୁ ସର୍ବସାଧାରଣରେ ଉଠବସ କରାଇବା ସହ ତାଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଜେଇଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବିଧାୟକଙ୍କ ଦେହରେ ପୁଲିସ ହାତ ମାରିପାରୁନି। ଯଦିଓ ପ୍ରାଥମିକ ତଦନ୍ତରୁ ବିଧାୟକ ଶ୍ରୀ ମେହେର ସମ୍ପୃକ୍ତ ଜେଇଙ୍କୁ ଅପହରଣ, ମାରପିଟ୍ ଓ ଉଠବସ କରିଥିବାର ପ୍ରମାଣ ମିଳିଛି। ତଥାପି ତୃତୀୟ ମହଲାରୁ ସବୁଜ ସଙ୍କେତ ମିଳୁନଥିବାରୁ ପୁଲିସ ହାତ ବାନ୍ଧି ବସିଛି। ସେପଟେ ପୀଡ଼ିତ ଜେଇଙ୍କ ପାଇଁ ଆଗଭର ହୋଇଥିବା ଇଞ୍ଜିନିୟରିଂ ସଂଘ ମଧ୍ୟ ୟା’ ଭିତରେ ତୃତୀୟ ମହଲାର ଚାପରେ ନିଜର ସହକର୍ମୀଙ୍କୁ ନ୍ୟାୟ ଦେବାକୁ ବି ଆଗଭର ହେଉନି।

ସେହିପରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ ଜଣେ ସାମ୍ବାଦିକା (ପ୍ରଶିକ୍ଷଣାର୍ଥୀ) ଦୁର୍ବ୍ୟବହାର ଓ ମାରପିଟ୍ କରିଥିବାର ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସିଟିଭି ଯାଞ୍ଚ ବେଳେ ସମ୍ପୃକ୍ତ ମହିଳା ସାମ୍ବାଦିକାଙ୍କ ପ୍ରତି ସାଂସଦଙ୍କ ଦୁର୍ବ୍ୟବହାରର ରେକର୍ଡ ମଧ୍ୟ ପାଇଛି । ପୁଲିସ୍ ମଧ୍ୟ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି କିନ୍ତୁ ଏପର୍ଯ୍ୟନ୍ତ ସାଂସଦଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଓଲଟା ଅଭିଯୋଗକାରିଣୀଙ୍କ ଚରିତ୍ର ସଂହାର ପାଇଁ ବିଜେଡି ଓ ପ୍ରଶାସନିକସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ଜଣାପଡ଼ିଛି। ସାଂସଦଙ୍କ ସାନଭାଇ ତାଙ୍କୁ ୨ବର୍ଷ ଧରି ମାନସିକ ନିର୍ଯାତନା ଦେଇଥିବାର ଯାଞ୍ଚ କରିବାକୁ ବି ପୁଲିସ ଆଗ୍ରହ ଦେଖାଇ ନାହିଁ। ଯେଉଁଥିପାଇଁ ସମ୍ପୃକ୍ତ ମହିଳା ସାମ୍ବାଦିକା ନ୍ୟାୟ ପାଇବା ପାଇଁ ଆଜି ନବୀନ ନିବାସ ଆଗରେ ଧାରଣା ଦେବାକୁ ବାଧ୍ୟ ହୋଇଥିଲେ। ପୁଲିସ ତାଙ୍କୁ ସେଠାରୁ ବି ତଡ଼ି ଦେଇଛି।

ସେହିପରି ଶେଷ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୨୯ତାରିଖର ମାତ୍ର ଦୁଇଦିନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭଦ୍ରକର ଚାନ୍ଦବାଲି ନିର୍ବାଚନମଣ୍ଡଳୀରେ ବିଷାକ୍ତ ମଦ ବଣ୍ଟାଯାଇଥିବା ଅଭିଯୋଗ ହୋଇଥିଲା। ଶାସକ ବିଜେଡି ପକ୍ଷରୁ ଏହି ମଦ ବଣ୍ଟାଯାଇଥିବା ଲୋକେ ଖୋଲାଖୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କଲେ। ବିଷାକ୍ତ ମଦ ପିଇ ୧୦ଜଣରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଶତାଧିକ ଲୋକ ଅସୁସ୍ଥ ହୋଇ ମେଡିକାଲରେ ଚିକିିତ୍ସିତ ହେଲେ। ପୀଡ଼ିତ ଲୋକମାନେ ଏହି ମଦ ବଣ୍ଟାଯିବା ପାଇଁ ସ୍ଥାନୀୟ ବିଧାୟକ ବ୍ୟୋମକେଶ ରାୟ(ବାପି)ଙ୍କୁ ସିଧାସଳଖ ଦାୟୀ କଲେ। କିନ୍ତୁ ଏବେ ଏହି ଘଟଣାକୁ ଆରଡିସି ତଦନ୍ତ ଆଳରେ ଚପାଇ ଦେବାକୁ ଉଦ୍ୟମ ଚାଲିଛି। ଆଉ ବିଷାକ୍ତ ମଦ ବଣ୍ଟାରେ ସିଧାସଳଖ ସମ୍ପୃକ୍ତିର ଅଭିଯୋଗ ଥିବା ବିଧାୟକ ଶ୍ରୀ ରାୟଙ୍କୁ ଏବେ ଯୁବ ବିଜେଡି ସଭାପତି ପଦରେ ଅବସ୍ଥାପିତ କରାଇ ତୃତୀୟ ମହଲା ତାଙ୍କୁ ପୁରସ୍କୃତ କରିବାକୁ ଯାଉଥିବା ଜଣାପଡ଼ିଛି। ଏପରିକି ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର ନିଜେ ଗତ ସପ୍ତାହରେ ଶ୍ରୀ ରାୟଙ୍କୁ ଡାକି ଯୁବ ବିଜେଡି ସଭାପତି ପଦରେ ଥଇଥାନ କରାଯିବ ବୋଲି ଆଶ୍ୱସ୍ତ କରିଛନ୍ତି।

ତେଣୁ ‘ଆଇନ ତା’ ବାଟରେ ଯିବ’ ବୋଲି ସ୍ଲୋଗାନ ଦେଉଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ମହିଳା ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ଉପରେ ନିଜ ଦଳର ବିଧାୟକମାନଙ୍କ ଅତ୍ୟାଚାର ପ୍ରତି ମଧ୍ୟ ଆଖିବୁଜି ଦେଇଛନ୍ତି। ଆଉ ମଦମୃତ୍ୟୁ ପାଇଁ ବିବାଦୀୟ ବିଧାୟକଙ୍କ ବିରୁଦ୍ଧରେ ତଦନ୍ତ ପରିବର୍ତ୍ତେ ତାଙ୍କୁ ପୁରସ୍କୃତ କରିବାର ମାର୍ଗକୁ ମଧ୍ୟ ପ୍ରଶସ୍ତ କରୁଛନ୍ତି। ଯାହାକି ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଏବେ ସାଧାରଣରେ ନିନ୍ଦିତ କରିବାରେ ଲାଗିଛି।

Related story