ଛୁଇଁ ପାରିଲାନି ଲୋଭ, କୁଲି ଖୋଲିଦେଲେ ବିଶାଳ ହୃଦୟ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସମଜ ନଜରରେ ସେ ଛୋଟ ସିନା। କିନ୍ତୁ ହୃଦୟ ତାଙ୍କର ବିଶାଳ। କୁଲି ହେଲେ ବି ଲୋଭରେ ବଶବର୍ତ୍ତୀ ହୋଇନାହାନ୍ତି। ହଜିଲା ଜିନିଷକୁ ଯତ୍ନର ସହକାରେ ଥାନାରେ ଫେରାଇ ଦେଇ ମହାନତାର ପ୍ରମାଣ ଦେଇଛନ୍ତି ରବୀନ୍ଦ୍ର କୁମ୍ଭାର। ସବୁଦିନ ପରି ମଙ୍ଗଳବାର ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡରେ କୁଲି କାମ କରୁଥିଲେ ସୋନପୁରର ରବୀନ୍ଦ୍ର କୁମ୍ଭାର। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କ ଆଖି ପଡ଼ିଲା ଏକ ବ୍ୟାଗ୍‌ ଉପରେ। ସଙ୍ଗେ ସଙ୍ଗେ ସେ ବ୍ୟାଗକୁ ଉଠାଇ […]

Sonepur

Manoranjan Sial
  • Published: Wednesday, 29 December 2021
  • , Updated: 29 December 2021, 07:18 PM IST

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ସମଜ ନଜରରେ ସେ ଛୋଟ ସିନା। କିନ୍ତୁ ହୃଦୟ ତାଙ୍କର ବିଶାଳ। କୁଲି ହେଲେ ବି ଲୋଭରେ ବଶବର୍ତ୍ତୀ ହୋଇନାହାନ୍ତି। ହଜିଲା ଜିନିଷକୁ ଯତ୍ନର ସହକାରେ ଥାନାରେ ଫେରାଇ ଦେଇ ମହାନତାର ପ୍ରମାଣ ଦେଇଛନ୍ତି ରବୀନ୍ଦ୍ର କୁମ୍ଭାର।

ସବୁଦିନ ପରି ମଙ୍ଗଳବାର ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡରେ କୁଲି କାମ କରୁଥିଲେ ସୋନପୁରର ରବୀନ୍ଦ୍ର କୁମ୍ଭାର। ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ତାଙ୍କ ଆଖି ପଡ଼ିଲା ଏକ ବ୍ୟାଗ୍‌ ଉପରେ। ସଙ୍ଗେ ସଙ୍ଗେ ସେ ବ୍ୟାଗକୁ ଉଠାଇ ଆଣିଥିଲେ। ଅତି ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରେ ରଖି କାମରେ ଲାଗି ଗଲେ ରବୀନ୍ଦ୍ର। ଭାବିଥିଲେ ହଜାଇଥିବା ବ୍ୟକ୍ତି ଫେରି ଆସି ତା’ ବ୍ୟାଗ ନେଇଯିବ। ହେଲେ କେହି ଆସିଲେ ନାହିଁ।

ଶୀତୁଆ ମଧ୍ୟାହ୍ନ ଯାଇ ସଞ୍ଜ ହେଲା। ହେଲେ ବ୍ୟାଗ ନେବା ପାଇଁ କୌଣସି ବ୍ୟକ୍ତି ଆସିଲେ ନାହିଁ। ସେପଟେ କାମ ସରିବା ପରେ ରବୀନ୍ଦ୍ର ବ୍ୟାଗକୁ ନେଇ ଚିନ୍ତିତ ଥିଲେ। କଣ କରିବେ? ହଜିଲା ବ୍ୟାଗକୁ କାହାକୁ ଦେବେ? ଏହି କଥା ଭାବି ଭାବି ରବୀନ୍ଦ୍ର ବ୍ୟାଗକୁ ଧରି ସନ୍ଧ୍ୟାରେ ସୋନପୁର ଥାନାରେ ପହଞ୍ଚିଲେ। ଆଉ ଥାନା ବାବୁଙ୍କୁ ବ୍ୟାଗ ଧରାଇ ଦେଇ ପୂରା କାହାଣୀ ବଖାଣି ଥିଲେ। ଥାନାବାବୁ ସବୁ କଥା ଶୁଣିବା ପରେ ବ୍ୟାଗଟିକୁ ରଖିଥିଲେ। ଯେଉଁ ବ୍ୟାଗରେ ଦାମୀ ଲାପ୍‌ଟପ୍‌ ଓ ଅନ୍ୟାନ୍ୟ ବହୁ ମୂଲ୍ୟବାନ କାଗଜପତ୍ର ଥିଲା।

ସେପଟେ ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡରେ ବ୍ୟାଗ ଛାଡ଼ିବା ପରେ ବିଚଳିତ ହୋଇପଡ଼ିଥିଲେ ବୌଦ୍ଧ ଜିଲ୍ଲା ଦପଲା ଗାଁର ଶଙ୍କର ମେହେର। ତର ତର ହୋଇ ଘରକୁ ଫେରୁଥିବା ସମୟରେ ଭୁଲ୍‌ରେ ବ୍ୟାଗଟିକୁ ବସଷ୍ଟାଣ୍ଡରେ ଛାଡିଯାଇଥିବାରୁ ବ୍ୟତିବ୍ରସ୍ତ ହୋଇପଡ଼ିଥିଲେ ଶଙ୍କର। ବ୍ୟାଗ ନେବା ପାଇଁ ସୁବର୍ଣ୍ଣପୁର ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ମାତ୍ର ବସ୍‌ଷ୍ଟାଣ୍ଡରେ ବ୍ୟାଗ୍‌କୁ ପାଇନଥିଲେ। ଶେଷରେ କିଛି ଉପାୟ ନପାଇ ସେ ଏନେଇ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ଯାଇଥିଲେ।

ଶଙ୍କରଙ୍କଠାରୁ ସବୁ କଥା ଶୁଣିବା ପରେ ରବୀନ୍ଦ୍ରଙ୍କ ଉପସ୍ଥିତିରେ ପୁଲିସ ବ୍ୟାଗ ଫେରାଇଛି। ରବୀନ୍ଦ୍ରଙ୍କ ଏଭଳି କାର୍ଯ୍ୟପାଇଁ ଶଙ୍କର ଖୁସି ପ୍ରକଟ କରିଛନ୍ତି। ଏଥିପାଇଁ ସେ ତାଙ୍କୁ କିଛି ଟଙ୍କା ମଧ୍ୟ ଯାଚିଥିଲେ। ମାତ୍ର ମହାନତା ଦେଖାଇଥିବା ରବୀନ୍ଦ୍ର ଟଙ୍କା ଗ୍ରହଣ କରିନଥିଲେ। ଗରିବ ହେଲେ କଣ ହେଲା, ମନ ତାଙ୍କର ପବିତ୍ର ବୋଲି ଲୋଭରେ ବଶବର୍ତ୍ତି ନହୋଇ ହଜିଲା ବ୍ୟାଗକୁ ଫେରାଇଛନ୍ତି। ଆଜି ଦିନ ତମାମ ଏହି ଖବର ସୋନପୁର ସହରରେ ଆଲୋଚନା ହେଉଛି।

Related story