ପୁରୀ(ଓଡ଼ିଶା ରିପୋର୍ଟର): ବିଶ୍ୱ ହସ୍ତଶିଳ୍ପ ମାନଚିତ୍ରରେ ପ୍ରସିଦ୍ଧିଲାଭ କରିଥିବା ଐତିହ୍ୟ ଗାଁ ହେଉଛି ରଘୁରାଜପୁର। ବିଶ୍ୱ ମାନଚିତ୍ରରେ ଏହି ଗାଁର ସ୍ୱତନ୍ତ୍ର ପରିଚୟ ରହିଛି। ଏଠାରେ ଶିଳ୍ପୀମାନେ ପଟ୍ଟଚିତ୍ର, କାଗଜରେ ବାଘମୁଖା, ସିଂହମୁଖା ସହ ପଇଡ଼ରେ ଜଗନ୍ନାଥଙ୍କ ଚିତ୍ର ଓ ବିଭିନ୍ନ ପ୍ରକାରର ଡ଼ବାରେ ଚିତ୍ର କରିଥାଆନ୍ତି। ଯାହାର ଚାହିଦା ବେଶ ରହିଛି। ସେଥିପାଇଁ ପ୍ରତିବର୍ଷ ଏହି ଗାଁକୁ ହଜାର ହଜର ଦେଶୀ ବିଦେଶୀ ପର୍ଯ୍ୟଟକ ଆସିଥାଆନ୍ତି। ହେଲେ ମହାମାରୀ କରୋନା ପାଇଁ ଆଜି ରଘୁରାଜପୁର ଶୂନ ଶୂନା ହୋଇଯାଇଛି। ଯେଉଁ ଗାଁରେ ସବୁବେଳେ ଦେଶୀ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଜମୁଥିଲା। ଆଜି ସେହି ଗାଁ ଖାଁ ଖାଁ ଲାଗୁଛି। ପର୍ଯ୍ୟଟକ ଆସୁନାହାନ୍ତି। ଫଳରେ ପଟ୍ଟଚିତ୍ର ଶିଳ୍ପୀମାନେ ଏବେ ଚିନ୍ତାରେ। ଯାହା କିଛି ସଞ୍ଚୟ କରି ରଖିଥିଲେ, ତାହା ସରିଗଲାଣି। ସରକାର ଯେଉଁ ଚାଉଳ ଓ ରାସନ ଦେଇଥିଲେ ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ।
ଘର କିଭଳି ଚଳିବ? ପରିବାର ଗୁଜୁରାଣ କେମିତି ମେଣ୍ଟିବ? ଦେହ ଖରାପ ହେଲେ କିଭଳି ଚିକିତ୍ସା କରାଇବେ? ତାକୁ ନେଇ ଚିନ୍ତାରେ ପଟ୍ଟଚିତ୍ର ଶିଳ୍ପୀ। ପର୍ଯ୍ୟଟକମାନେ ଆସୁନଥିଲେ ମଧ୍ୟ ଶିଳ୍ପୀମାନେ ପଟ୍ଟଚିତ୍ର କାମ ଛାଡ଼ି ନାହାନ୍ତି। ପେଟର ଜ୍ୱାଳାକୁ ମନରେ ଚାପି ରଖି ତିଆରି କରୁଛନ୍ତି ଚିତ୍ର। ପ୍ରଭାକାର ମହାରଣା ଶ୍ରୀଜଗନ୍ନାଥ ପରମ୍ପରାର ଯାତ୍ରୀ ପଟି କରୁଛନ୍ତି । କିନ୍ତୁ ଏବେ ସେ ଚିନ୍ତାରେ ପଡିଛନ୍ତି । ୬ମାସ ବିତିଗଲାଣି କିଛି ବିକ୍ରି ହେଉନାହିଁ।
ତେଣୁ ଆଗକୁ ଏଭଳି ସ୍ଥିତି ରହିଲେ ସେମାନେ ମୂଲ ଲାଗିବାକୁ ବାଧ୍ୟ ହେବେ। କେବଳ ପ୍ରଭାକର ନୁହଁନ୍ତି ନାରାୟଣ ସାହୁ ପଟଚିତ୍ର ଶିଳ୍ପ ଛାଡି ଏବେ ଗାଁ ଗାଁ ବୁଲି ପରିବା ବିକ୍ରି କରୁଛନ୍ତି। ଯେଉଁ ଗ୍ରାମକୁ ୨୦୧୭ ମସିହାରେ ଡିଜିଟାଲ ଗ୍ରାମ ଭାବରେ ଘୋଷଣା କରାଯାଇଥିଲା ସେହି ଗ୍ରାମ ଏବେ ସାମାଜିକ ଏବଂ ଆର୍ଥିକସ୍ତରରେ ପୁରା ପୁରି ଦୁର୍ବଳ ହୋଇଯାଇଛି । ତଥାପି ପଟଚିତ୍ର ଶିଳ୍ପୀ ମାନେ ଆଜି ବି ଆଶା ଛାଡିାନାହାନ୍ତି ।
ନିଶ୍ଚିତ ଦିନେନା ଦିନେ କରୋନା ହଟିବ ଏବଂ ସେମାନଙ୍କର ପଟଚିତ୍ର ଶିଳ୍ପ ବିକ୍ରି ହେବ । କିନ୍ତୁ ଏବେ ପର୍ଯ୍ୟଟକ ଆସୁନଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ଶିଳ୍ପୀ। ସେପଟେ ଡି.ଆଇ.ସି ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ପଟଚିତ୍ର ଗ୍ରାମ ରଘୁରାଜପୁରର ବିକାଶ ଏବଂ ଉନ୍ନତି ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି । ବିଶେଷ କରି ସେମାନଙ୍କର ପଟଚିତ୍ର ଗୁଡିକ କିଭଳି ବିକ୍ରି କରାଯିବ ତାହା ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ଆମାଜନ୍ ଏବଂ ଫ୍ଳିପକାଟକୁ ଫଟୋଚିତ୍ର ପଠାଇବେ ଏବଂ ସେହି ଫଟୋଚିତ୍ରକୁ ନେଇ ମାର୍କେଟିଂ କରାଯିବ । ଫଳରେ ସେମାନଙ୍କ ପଟଚିତ୍ରଗୁଡିକ ବିକ୍ରି ହୋଇପାରିବ ବୋଲି ଡି.ଆଇ.ସିର ପରିଚାଳନା ଅଧିକାରୀ କହିଛନ୍ତି।