ଦେଶ ସାରା ଚାଲିଛି ‘ଫିଟ୍‌ନେସ୍‌ ଚ୍ୟାଲେଞ୍ଜ’; ମୋଦିଙ୍କୁ ରାହୁଲ ଦେଲେ ‘ଫୁଏଲ୍ ଚ୍ୟାଲେଞ୍ଜ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଦେଶରେ ଚାଲିଛି ‘ହମ୍‌ ଫିଟ୍ ତୋ ଇଣ୍ଡିଆ ଫିଟ୍‌’ ଅଭିଯାନ। ଏହି ଅଭିଯାନକୁ ଆରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର। ଏହି ଅଭିଯାନ ଟିକେ ଭିନ୍ନ ପ୍ରକାରେ ଚାଲିଛି। ପ୍ରଥମେ ରାଜ୍ୟବର୍ଦ୍ଧନ ଡିପ୍ସ ମାରି ଏକ ଭିଡିଓ ନିଜ ଟ୍ୱିଟ୍‌ର ପେଜ୍‌ରେ ପୋଷ୍ଟ କରିଥିଲେ ଏବଂ ଅଭିନେତା ହ୍ରିତିକ ରୋଶନ, କ୍ରିକେଟର ବିରାଟ କୋହଲି ଓ ବ୍ୟାଡମିଣ୍ଟନ ତାରକା […]

modigandhi

Rakesh Mallick
  • Published: Thursday, 24 May 2018
  • , Updated: 24 May 2018, 04:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ଦେଶରେ ଚାଲିଛି ‘ହମ୍‌ ଫିଟ୍ ତୋ ଇଣ୍ଡିଆ ଫିଟ୍‌’ ଅଭିଯାନ। ଏହି ଅଭିଯାନକୁ ଆରମ୍ଭ କରିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର। ଏହି ଅଭିଯାନ ଟିକେ ଭିନ୍ନ ପ୍ରକାରେ ଚାଲିଛି। ପ୍ରଥମେ ରାଜ୍ୟବର୍ଦ୍ଧନ ଡିପ୍ସ ମାରି ଏକ ଭିଡିଓ ନିଜ ଟ୍ୱିଟ୍‌ର ପେଜ୍‌ରେ ପୋଷ୍ଟ କରିଥିଲେ ଏବଂ ଅଭିନେତା ହ୍ରିତିକ ରୋଶନ, କ୍ରିକେଟର ବିରାଟ କୋହଲି ଓ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲଙ୍କୁ ଚ୍ୟାଲେଞ୍ଜ କରିଥିଲେ। ଏହା ସହିତ ସେ ଦେଶର ସମସ୍ତ ନାଗରିକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଯେ ଆପଣମାନେ କିପରି ଫିଟ୍ ରହୁଛ ତା’ର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଆପଣମାନଙ୍କ ବନ୍ଧୁମାନଙ୍କୁ ଚ୍ୟାଲେଞ୍ଜ ଦିଅନ୍ତୁ। ଏହି ଚ୍ୟାଲେଞ୍ଜକୁ ‘ଫିଟ୍‌ନେସ୍‌ ଚ୍ୟାଲେଞ୍ଜ’ କୁହାଯାଉଛି।


ରାଜ୍ୟବର୍ଦ୍ଧନଙ୍କ ଚ୍ୟାଲେଞ୍ଜକୁ କ୍ରିକେଟର ବିରାଟ କୋହଲି ଗ୍ରହଣ କରିଥିଲେ। ତା’ପରେ ସେ ନିଜର ଏକ ବ୍ୟାୟାମ ସମ୍ବଳିତ ଛୋଟ ଭିଡିଓ ନିଜ ଟ୍ୱିଟ୍‌ର ପେଜ୍‌ରେ ପୋଷ୍ଟ କରିବା ସହିତ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମହେନ୍ଦ୍ର ସିଂହ ଧୋନୀଙ୍କୁ ଚ୍ୟାଲେଞ୍ଜ କରିଥିଲେ।


ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ବିରାଟଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିବା ପରେ ଖୁସି ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେ ଏନେଇ ଏକ ଟ୍ୱିଟ୍ କରିଛନ୍ତି। ଏଥିରେ ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଏକ ଚ୍ୟାଲେଞ୍ଜ ଦେଇଛନ୍ତି। ତେବେ ସେ ତାଙ୍କୁ ଫିଟ୍‌ନେସ୍ ଚ୍ୟାଲେଞ୍ଜ ଦେଇ ନାହାନ୍ତି। ରାହୁଲ ତାଙ୍କୁ ‘ଫୁଏଲ୍ ଚ୍ୟାଲେଞ୍ଜ’ ଦେଇଛନ୍ତି। ସେଥିରେ ସେ ଲେଖିଛନ୍ତି,“ତୈଳ ଦର ହ୍ରାସ କରନ୍ତୁ, ନହେଲେ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ କରିବ ଏବଂ ତୈଳ ଦର କମାଇବାକୁ ଆପଣଙ୍କୁ ବାଧ୍ୟ କରିବ। ଆପଣଙ୍କ ଉତ୍ତର ଅପେକ୍ଷାରେ ରହିଲି।”

ଦେଖିବାକୁ ବାକି ରହିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିବେ ନା ନାହିଁ। ଆମେ ଆଶା କରୁଛୁ ଏହାର ଜବାବ ମୋଦି ନିଶ୍ଚିତ ଦେବେ!

ଏବେ ଟିକେ ଫୁଏଲ୍‌ ଅର୍ଥାତ ତୈଳ ପ୍ରସଙ୍ଗକୁ ଆସିବା। ତୈଳ ଦର ହୁ ହୁ କି ବଢୁଛି। ଗତକାଲି ସୁଦ୍ଧା ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୮୫ ଟଙ୍କାରେ ପହଞ୍ଚି ଥିବା ବେଳେ ଚେନ୍ନାଇରେ ୮୦ ଟଙ୍କା ଅତିକ୍ରମ କରି ସାରିଥିଲା। ଦିଲ୍ଲୀରେ ପେଟ୍ରୋଲ ଲିଟର ଗତକାଲି ୭୭.୧୩ ଟଙ୍କା ଥିବା ବେଳେ ଭୁବନେଶ୍ୱରରେ ୭୬ଟଙ୍କା ୨୮ ପଇସା ଥିଲା। ଡିଜେଲ ଦର ବି ବଢୁଛି। ଡିଜେଲ ଲିଟର ପିଛା ଭୁବନେଶ୍ୱରରେ ଗତକାଲି ୭୩ ଟଙ୍କା ୪୬ ପଇସା ରହିଥିଲା। ତୈଳ ଦର ବୃଦ୍ଧିକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖାଯାଇଥିବା ବେଳେ ରାହୁଲଙ୍କ ‘ଫୁଏଲ୍ ଚ୍ୟାଲେଞ୍ଜ’କୁ ମୋଦି ଓ ତାଙ୍କ ସରକାର କିଭଳି ଭାବେ ପ୍ରତିହତ କରିବେ ତାହା ଦେଖିବା ବାକି ରହିଲା। ଅନ୍ୟପକ୍ଷରେ ‘ଫିଟ୍‌ନେସ୍ ଚ୍ୟାଲେଞ୍ଜ’ ଭଳି ‘ଫୁଏଲ୍ ଚ୍ୟାଲେଞ୍ଜ’ ଜୋର ଧରିଲେ ସରକାର ଆହୁରି ଅକଳ ସ୍ଥିତିରେ ପଡ଼ିପାରନ୍ତି।

Related story