ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଥର ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଥରେ ଆସି ନିର୍ବାଚନ ପ୍ରଚାର କରି ଫେରି ଯାଇଥିବା ବେଳେ ଏପ୍ରିଲ୍ ୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଆସିବେ। ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ତେବେ ରାହୁଲ କେଉଁ ଜାଗାରେ ନିର୍ବାଚନୀ ସଭା କରିବେ, ତାହା ସ୍ଥିର ହୋଇନି।
ଦଳରେ ଟିକେଟ୍ ବଣ୍ଟନ ନେଇ ଦେଖା ଦେଇଥିବା ଅସନ୍ତୋଷ ସଂପର୍କରେ ପ୍ରତିକ୍ରିୟା ରଖି ନିରଞ୍ଜନ କହିଛନ୍ତି, ଟିକେଟ୍ ନ ମିଳିଲେ ଯେ କେହି ଅସନ୍ତୁଷ୍ଟ ହେବା ସ୍ୱାଭାବିକ କଥା। କଂଗ୍ରେସ ଏକ ପୁରୁଣା ଦଳ। ଏଥିରେ ଆଶାୟୀଙ୍କ ସଂଖ୍ୟା ଅଧିକ। ତେଣୁ ଅସନ୍ତୋଷ ଦେଖାଯିବା ସ୍ୱାଭାବିକ। ତେବେ କଂଗ୍ରେସ ଅପେକ୍ଷା ଅନ୍ୟ ଦଳରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ଅଧିକ।
ସେହିପରି ଅନ୍ୟ ଦଳର ରାଜ୍ୟ ବାହାର ନେତା ଆସି ପ୍ରଚାର ଆରମ୍ଭ କରିସାରିଥିବା ବେଳେ କଂଗ୍ରେସ କାହିଁକି ପଛରେ ପଡ଼ି ଯାଇଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କହିଥିଲେ,“ଯେଉଁମାନଙ୍କର ନିଜ ଉପରେ ବିଶ୍ୱାସ ନାହିଁ ସେମାନେ ବାହାରୁ ନେତା ଆଣି ପ୍ରଚାର କରୁଛନ୍ତି। ଆମର ନିଜ ଉପରେ ଦୃଢ଼ ବିଶ୍ୱାସ ରହିଛି।”
ସୂଚନାଯୋଗ୍ୟ, ମାର୍ଚ୍ଚ ୨୯ ତାରିଖରେ ଓ ଏପ୍ରିଲ୍ ୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଯଥାକ୍ରମେ କୋରାପୁଟର ଜୟପୁର ଓ କଳାହାଣ୍ଡିର ଜୟପୁରରେ ନିର୍ବାଚନୀ ସଭା କରିଥିଲେ। ସେହିପରି ଅମିତ ଶାହ ଏପ୍ରିଲ ୧ ତାରିଖରେ ପାରଳାଖେମୁଣ୍ଡି ଆସି ସଭା କରିଥିଲେ। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ସେ ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନୀ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୭ ତାରିଖରେ ଅମିତ ଶାହ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।