ବଲାଙ୍ଗିରରେ ବର୍ଷା ହେଉନି, ମରୁଡ଼ି ଆଶଙ୍କାରେ ଚାଷୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଷାଢ ଆସିଲା, ହେଲେ ବର୍ଷା ହେଉନି। ଏମିତି ଅଭିଯୋଗ କରିଛନ୍ତି ବଲାଙ୍ଗିରର ଚାଷୀ। ଜୁନ୍‌ ଯାଇ ଜୁଲାଇ ଚାଲିଥିଲେ ବି ବର୍ଷା ଆସୁନି । ପୁଣି ଲେଉଟି ଆସିଛି ଖରା । ମଳମୁଣ୍ଡା ପଞ୍ଚାୟତରେ ଅଧିକାଂଶ ଗ୍ରାମର ଲୋକଙ୍କ ମୁଖ୍ୟ ବେଉସା ହେଉଛି ଚାଷ। ତେଣୁ ଏଥର ଆଗୁଆ ବର୍ଷା ଦେଖି ଚାଷ ଆରମ୍ଭ କରିଥିବା ଚାଷୀ ଏବେ ଚିନ୍ତାରେ। ଚାଷ ପାଇଁ ଆବଶ୍ୟକ ପରିମାଣର ବର୍ଷା ହୋଇଥିଲେ ବି ପରେ ମୌସୁମୀ ଲୁଚକାଳି […]

34

Rakesh Mallick
  • Published: Sunday, 08 July 2018
  • , Updated: 08 July 2018, 10:15 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଷାଢ ଆସିଲା, ହେଲେ ବର୍ଷା ହେଉନି। ଏମିତି ଅଭିଯୋଗ କରିଛନ୍ତି ବଲାଙ୍ଗିରର ଚାଷୀ। ଜୁନ୍‌ ଯାଇ ଜୁଲାଇ ଚାଲିଥିଲେ ବି ବର୍ଷା ଆସୁନି । ପୁଣି ଲେଉଟି ଆସିଛି ଖରା । ମଳମୁଣ୍ଡା ପଞ୍ଚାୟତରେ ଅଧିକାଂଶ ଗ୍ରାମର ଲୋକଙ୍କ ମୁଖ୍ୟ ବେଉସା ହେଉଛି ଚାଷ। ତେଣୁ ଏଥର ଆଗୁଆ ବର୍ଷା ଦେଖି ଚାଷ ଆରମ୍ଭ କରିଥିବା ଚାଷୀ ଏବେ ଚିନ୍ତାରେ।

ଚାଷ ପାଇଁ ଆବଶ୍ୟକ ପରିମାଣର ବର୍ଷା ହୋଇଥିଲେ ବି ପରେ ମୌସୁମୀ ଲୁଚକାଳି ଖେଳ ଖେଳିଥିଲା। ଫଳରେ ଏବେ ବିଲରେ ମାଟି ଶୁଖିଗଲାଣି। ଯେଉଁଠି ବେଉଷଣ ହେବା କଥା, ଏବେ ସେଠି ଗାଈ ଚରୁଛନ୍ତି। ଏଣିକି ବର୍ଷା ହେଲେ ବି କିଛି ଫଳ ଦେବନି । ଆଉ ଯେଉଁଠି ଧାନ ଗଜା ହୋଇଥିଲା, ଅସହ୍ୟ ଖରା ଯୋଗୁଁ ତଳି ପାଚି ନାଲି ପଡିଗଲାଣି ।

ଏଣୁ ଗତବର୍ଷର ମରୁଡି ପରେ, ପୁଣିଥରେ ଚାଷ ପାଇଁ ଅଣ୍ଟା ଭିଡିଥିବା ଚାଷୀ ଏବେ ଗଜା ମରୁଡି ଆଶଙ୍କାରେ ରହିଛନ୍ତି। ବଲାଙ୍ଗିର ଜିଲ୍ଳାର ମୁଖ୍ୟ ବେଉସା ଚାଷ । କିନ୍ତୁ ଆଶ୍ଚର୍ଯ୍ୟର କଥା, ଏଠି ଜଳସେଚନର ପ୍ରର୍ଯ୍ୟାପ୍ତ ସୁବିଧା ନାହିଁ । ମାତ୍ର ତିନି ପ୍ରତିଶତ ଜମି ଜଳସେଚିତ । ତେଣୁ ବର୍ଷାଜଳ ଉପରେ ନିର୍ଭର କରନ୍ତି ଚାଷୀ । କୃଷି ବିଭାଗର ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଳାରେ ୧ ଲକ୍ଷ ୮୫ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ । ବର୍ତ୍ତମାନ ସୁଦ୍ଧା ୪୫ ହଜାର ହେକ୍ଟର ଜମିରେ ଚାଷ କାମ ଆରମ୍ଭ ହୋଇଥିଲା । ତେଣୁ ବର୍ଷା ଅଭାବରୁ ବିଗିଡି ଯାଇଛି ଚାଷ । ଆଗକୁ ବର୍ଷା ହେଲେ ବି, ଗତ ଥରର ମରୁଡି ଯୋଗୁଁ ଚାଷୀ ପାଖରେ ବିହନ ନାହିଁ, କି ସମ୍ବଳ ବି ନାହିଁ । ତେଣୁ ଏଥର ଚାଷ କାମ ଆରମ୍ଭରୁ ଅଭାବୀ ବର୍ଷା ଯୋଗୁଁ, ଦାଦନ ଯିବାକୁ ପ୍ରସ୍ତୁତ ହେଲାଣି ଚାଷୀ । କିନ୍ତୁ ସେପଟେ ବିଭାଗୀୟ ଅଧିକାରୀଙ୍କ ସୂଚନା, ଜୁନ୍‌ ମାସରେ ବଲାଙ୍ଗିର ଜିଲ୍ଳାରେ ୨୦୩ ମିଲିମିଟର ବର୍ଷା ହେବା କଥା, କିନ୍ତୁ ବର୍ଷା ହୋଇଛି ମାତ୍ର ୯୮ ମିଲିମିଟର। ୫୨ ପ୍ରତିଶତ କମ୍‌ ବର୍ଷା । ଏବେ ଜୁଲାଇ ପ୍ରଥମ ସପ୍ତାହରେ ବି, ବର୍ଷାର ଦେଖାନାହିଁ । କିନ୍ତୁ ଆଗକୁ ବର୍ଷା ହେଲେ, ଚାଷ ସୁଧୁରିଯିବ ବୋଲି କହିଛନ୍ତି ଜିଲ୍ଳା କୃଷି ଉପନିର୍ଦ୍ଦେଶକ।

 

Related story