ରାଜରାସ୍ତାରେ ୩ଟି ମହାସଂଘର ହଜାର ହଜାର ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହୋଇଯାଇଛି ସ୍କୁଲ ଶିକ୍ଷା। ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ବୁଧବାରରୁ ୩ଟି ମହାସଂଘର ହଜାର ହଜାର ଶିକ୍ଷକ ସ୍କୁଲରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ବର୍ଗର ହଜାର ହଜାର ସଂଖ୍ୟାରେ ଶିକ୍ଷକ ବିଧାନସଭା ଆଗରେ ରୁଣ୍ଡ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି। ଭୁବନେଶ୍ୱର ପିଏମଜିରେ ପୋଲିସ୍ ସହ ଗଣଶିକ୍ଷକଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଛି। ନିଯୁକ୍ତିର ୬ ବର୍ଷ ପୂରଣ କରିଥିବା ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଦାବିରେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ୨୨ […]

teacher strike

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 03:10 PM IST

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହୋଇଯାଇଛି ସ୍କୁଲ ଶିକ୍ଷା। ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବିରେ ବୁଧବାରରୁ ୩ଟି ମହାସଂଘର ହଜାର ହଜାର ଶିକ୍ଷକ ସ୍କୁଲରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବିଭିନ୍ନ ବର୍ଗର ହଜାର ହଜାର ସଂଖ୍ୟାରେ ଶିକ୍ଷକ ବିଧାନସଭା ଆଗରେ ରୁଣ୍ଡ ହୋଇ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ୍ ହୋଇଛନ୍ତି। ଭୁବନେଶ୍ୱର ପିଏମଜିରେ ପୋଲିସ୍ ସହ ଗଣଶିକ୍ଷକଙ୍କ ଧସ୍ତାଧସ୍ତି ମଧ୍ୟ ହୋଇଛି। ନିଯୁକ୍ତିର ୬ ବର୍ଷ ପୂରଣ କରିଥିବା ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ କରାଯିବା ଦାବିରେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ୨୨ ହଜାର ଗଣଶିକ୍ଷକ। ଦାବି ପୂରଣ ନ ହେବା ଯାଏଁ ବିଧାନସଭା ଆଗରେ ସଂଘ ଅହୋରାତ୍ର ଧାରଣା ଚଲାଇବ ବୋଲି ରାଜ୍ୟ ଗଣଶିକ୍ଷକ ମହାସଂଘର ମହାସଚିବ ଉମାକାନ୍ତ ନାୟକ କହିଛନ୍ତି। ସେହିପରି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ହଜାର ହଜାର ଶିକ୍ଷକ ମଧ୍ୟ ଆଜିଠୁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ବ୍ଲକଗ୍ରାଣ୍ଟ ବ୍ୟବସ୍ଥା ହଟାଇ ୧୯୯୪ର ଅନୁଦାନ ବ୍ୟବସ୍ଥା ଲାଗୁ ଓ ଯୋଗ୍ୟ ବିଦ୍ୟାଳୟକୁ ପୂର୍ଣ୍ଣ ଅନୁଦାନ ଦିଆଯିବାକୁ ଦାବି କରାଯାଉଛି। ପ୍ରାୟ ୪ ହଜାର ସ୍କୁଲର ହଜାର ହଜାର ଶିକ୍ଷକ ଗତ ୧୧ ଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି ବୋଲି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘର ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।
ଅନ୍ୟପକ୍ଷରେ ଆଜିଠାରୁ ବିଧାନସଭା ସାମ୍ନାରେ ଧାରଣା ଆରମ୍ଭ କରିଛି ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ। ସାମିଲ୍ ହୋଇଛନ୍ତି ୨ ହଜାର ୨୧୦ଟି ନୂତନ ଅନୁଦାନ ପ୍ରାପ୍ତ ଓ ୪୨୩ଟି ଅନୁଦାନ ଯୋଗ୍ୟ ସ୍କୁଲର ଶିକ୍ଷକ। ସ୍କୁଲକୁ ପୂର୍ଣ୍ଣ ଅନୁଦାନ ଓ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ନିୟମରେ ଦରମା ପ୍ରଦାନ କରାଯାଉ ବୋଲି ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ପତି ଦାବି କରିଛନ୍ତି।  ବିଭିନ୍ନ ବର୍ଗ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁ ଏବେ ରାଜ୍ୟର ଅଧିକାଂଶ ସରକାରୀ ବିଦ୍ୟାଳୟରେ ତାଲା ଝୁଲୁଛି ଓ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପାଠପଢ଼ାରୁ ବଂଚିତ ହେଉଛନ୍ତି ।

Related story