ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କୁ ରାଜାଙ୍କ ‘କରୋନା ବାଣ’
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିହାରରେ ବିଜେପି କ୍ଷମତାକୁ ଆସିଲେ ଲୋକଙ୍କୁ ମାଗଣାରେ କରୋନା ଟିକା ଦେବ ବୋଲି ନିର୍ବାଚନ ଇସ୍ତାହାରରେ ଘୋଷଣା କରିଛି। ଆଜି ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ଓରଫ ରାଜା ସ୍ୱାଇଁ। ଯଦି ବିହାରରେ ମାଗଣା ଟିକା ନେଇ ବିଜେପି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛି, ତେବେ ଓଡ଼ିଶା ଲୋକଙ୍କୁ ମାଗଣା ଟିକା ପାଇଁ କଥାଦେବାକୁ ପଛଘୁଞ୍ଚା କାହିଁକି? ନା ଏହା ଆଉ ଏକ ନିର୍ବାଚନୀ ଜୁମ୍ଲା ବୋଲି ମନ୍ତ୍ରୀ ରାଜା ସ୍ୱାଇଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ? (୧/୪)
— Ranendra Pratap Swain (@rajaaswain) October 25, 2020
ସେ ଟ୍ୱିଟ୍ କରି ଲେଖିଛନ୍ତି-“ଓଡ଼ିଶାରେ କରୋନା ଟିକାକରଣ ଉପରେ ବିଜେପିର କଣ ରହିଛି ଆଭିମୁଖ୍ୟ, ତାହା ଦୁଇ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟ କରନ୍ତୁ। ଓଡ଼ିଶାବାସୀଙ୍କ ପାଇଁ ରାଜ୍ୟ ପାଣ୍ଠିରୁ ଟିକା ଲାଗି ୫ କୋଟିର ଚୁକ୍ତି ହୋଇଛି। ରାଜ୍ୟ ସରକାର ସବୁ ଓଡ଼ିଶାବାସୀଙ୍କୁ ଟିକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।”
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟୀକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡିଶାବାସୀଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶୃତିବଦ୍ଧ I (୩/୪)
— Ranendra Pratap Swain (@rajaaswain) October 25, 2020
ରାଜା ସ୍ୱାଇଁଙ୍କ ମନ୍ତବ୍ୟର ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଏହାର ଜବାବ ରଖିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ।
ସେ କହିଛନ୍ତି-“ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତଖୋଲି ଓଡ଼ିଶାକୁ ସହଯୋଗ କରିଛନ୍ତି। ଓଡ଼ିଶାକୁ ୨୨ ହଜାର କୋଟି ଟଙ୍କା ଦେଇଛନ୍ତି। ତା’ ଭିତରୁ କେବଳ ବାଲେଶ୍ୱରକୁ ୯୨୨ କୋଟି ଟଙ୍କା ମିଳିଛି। ଏତେ ଟଙ୍କା ଆସିବା ସତ୍ତ୍ୱେ ପ୍ରତିଦିନ ରାଜ୍ୟରେ କୋଭିଡ୍ ପରିଚାଳନାରେ ତ୍ରୁଟି ଦେଖାଦେଉଛି। ସାରା ଦେଶବାସୀଙ୍କ ଟିକାକରଣ ପାଇଁ ମୋଦି ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି। ମୋଦିଙ୍କ ଯୋଜନାରେ ଓଡ଼ିଶାବାସୀ ସେମାନଙ୍କ ହକ୍ର ଭାଗ ନିଶ୍ଚିତ ପାଇବେ। ମନ୍ତ୍ରୀ ରାଜା ସ୍ୱାଇଁ ବିଧାୟକଙ୍କ ମୃତ୍ୟୁ ସୁଯୋଗ ଆଣିଛି ମନ୍ତବ୍ୟ ଦେଇ ନିନ୍ଦିତ। ନିଜ ନିନ୍ଦନୀୟ ବକ୍ତବ୍ୟରୁ ଦୃଷ୍ଟି ହଟାଇବା ପାଇଁ ସେ ବିଳି ବିଳଉଛନ୍ତି। ନିଜସ୍ୱ ଅର୍ଥରେ ଟିକା ପାଇଁ ରାଜ୍ୟ ସରକାର ଏମଓୟୁ କରିଥିବା କହିଛନ୍ତି। ଟିକା ଯୋଗାଣକାରୀ ସଂସ୍ଥା ସହ ହୋଇଥିବା ଏମଓୟୁ ସାର୍ବଜନୀନ କରନ୍ତୁ। ଏହା ପ୍ରକାଶ କଲେ ରାଜ୍ୟ ସମେତ ବାଲେଶ୍ୱରବାସୀ ଖୁସି ହେବେ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।