ପୁଣି ଖାକିରେ ଲାଗିଲା ଦାଗ; ଯୁବତୀ ଆଣିଲେ ସଙ୍ଗୀନ ଅଭିଯୋଗ

ସୋନପୁର(ରବୀନ୍ଦ୍ର ହୋତା): ଖାକି ବର୍ଦ୍ଦିରେ ପୁଣି ଲାଗିଲା ଦାଗ । ଦୁଷ୍କର୍ମ ଅଭିଯୋଗରେ ଜେଲ୍‌ ଗଲେ ପୁଲିସ୍‌ ଡ୍ରାଇଭର । ସୁବର୍ଣ୍ଣପୁର ଜିଲ୍ଲା ପୁଲିସରେ କାର୍ଯ୍ୟରତ ପିଏମଟି ଡ୍ରାଇଭର ରଞ୍ଜିତ ପଧାନଙ୍କ ନାଁରେ ଏପରି ଅଭିଯୋଗ ହେବା ପରେ ପୁଲିସ୍‌ ତୁରନ୍ତ ତାଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି ।

ଗତକାଲି ଜିଲ୍ଲାର ସୁବଳୟା ଥାନାରେ ଜୈନିକା ଯୁବତୀ ରଞ୍ଜିତଙ୍କ ବିରୋଧରେ ଦୁଷ୍ମର୍ମ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆଧାରରେ ସୁବଳୟା ପୁଲିସ୍‌ ରଞ୍ଜିତଙ୍କୁ ସୋନପୁରରୁ ଉଠାଇ ଆଣି କୋର୍ଟଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ପୂର୍ବରୁ ନବରଙ୍ଗପୁରରେ ଚାକିରି କରୁଥିବା ସମୟରେ  ସେଠାକାର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଅଭିଯୋଗ କରିଥିଲେ । ଏହାପରେ  ମାଲକାନଗିରି ଜିଲ୍ଲାକୁ ତାଙ୍କ ବଦଳି ହୋଇ ଯାଇଥିଲା।  କିଛିମାସ ପୂର୍ବେ ରଞ୍ଜିତଙ୍କର ସୁବର୍ଣ୍ଣପୁର ଜିଲ୍ଲାକୁ ବଦଳି ହୋଇଥିଲା ।  ଏବେ ପୁଣି ସୁବଳୟା ଥାନା ଅଞ୍ଚଳର ଜଣେ ଯୁବତୀ ରଞ୍ଜିତଙ୍କ ନାଁରେ ଦୁଷ୍କର୍ମ ଭଳି ଅଭିଯୋଗ ଆଣିବା ପରେ ପୁଲିସ୍‌ ଘଟଣାକୁ ଗୁରୁତର ସହ ନେଇଛି। ଏଥର  ତାଙ୍କୁ ଗିରଫ କରି ଜେଲ୍‌ ହାଜତକୁ ପଠାଇ ଦେଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।