୧୬ମାସ ପରେ ମନେପଡ଼ିଲେ: ଥଇଥାନ ନେତାଙ୍କୁ ମନାଇବାକୁ ଥୋପ

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୧୯ ସାଧାରଣ ନିର୍ବାଚନ ପରେ ମନ୍ତ୍ରୀ ପଦ ଆଶାୟୀ ଏକାଧିକ ନେତାଙ୍କୁ ‘ମନ୍ତ୍ରୀ ପାହ୍ୟା’ରେ ଥଇଥାନ କରି ଭୁଲି ଯାଇଥିବା ବିଜେଡି ସରକାର ଏବେ ସେମାନଙ୍କ ଉପରେ ଥୋପ ପକାଇଛନ୍ତି।  ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଓ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରାୟ ୧୬ମାସ ତଳେ ‘ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ’ ପଦରେ ଥଇଥାନ କରିଥିବା ଦଳର ୧୨ଜଣ ମନ୍ତ୍ରୀ ଆଶାୟୀ ନେତାଙ୍କୁ ଏବେ ଆର୍ଥିକ ସୁବିଧା ଦେଇ ମନାଇବାକୁ […]

Naveen Patnaik

Naveen Patnaik

Tapas Behera
  • Published: Saturday, 30 January 2021
  • Updated: 30 January 2021, 10:42 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ୨୦୧୯ ସାଧାରଣ ନିର୍ବାଚନ ପରେ ମନ୍ତ୍ରୀ ପଦ ଆଶାୟୀ ଏକାଧିକ ନେତାଙ୍କୁ ‘ମନ୍ତ୍ରୀ ପାହ୍ୟା’ରେ ଥଇଥାନ କରି ଭୁଲି ଯାଇଥିବା ବିଜେଡି ସରକାର ଏବେ ସେମାନଙ୍କ ଉପରେ ଥୋପ ପକାଇଛନ୍ତି।  ପଂଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଓ ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରାୟ ୧୬ମାସ ତଳେ ‘ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ’ ପଦରେ ଥଇଥାନ କରିଥିବା ଦଳର ୧୨ଜଣ ମନ୍ତ୍ରୀ ଆଶାୟୀ ନେତାଙ୍କୁ ଏବେ ଆର୍ଥିକ ସୁବିଧା ଦେଇ ମନାଇବାକୁ ଉଦ୍ୟମ ଆରମ୍ଭ ହୋଇଛି। ୨୦୧୯ ଅଗଷ୍ଟ ମାସରୁ ବିଜେଡିର ଏହି ୧୨ଜଣ ନେତାଙ୍କୁ ‘ରାଷ୍ଟ୍ରମନ୍ତ୍ରୀ’ ପାହ୍ୟା ମିଳିଥିଲେ ମଧ୍ୟ କୌଣସି ସୁବିଧାସୁଯୋଗ ମିଳୁନଥିଲା।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଏପ୍ରିଲ-ମଇ ମାସରେ ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ଯୋଜନା କରିଥିବା ବିଜେଡି ଏବେ ଦଳର ଅସନ୍ତୁଷ୍ଟ ନେତାମାନଙ୍କୁ ମନାଇବାରେ ପ୍ରୟାସ କରିଛି। କରୋନା ମହାମାରୀ କଟକଣା ଯୋଗୁ ବିଧାୟକ ଓ ବିଭିନ୍ନ ନିଗମ ମୁଖିଆ ଥିବା ଦଳୀୟ ନେତାଙ୍କ ୭୦ ପ୍ରତିଶତ ଦରମା ବନ୍ଦ କରିଥିବା ବିଜେଡି ସରକାର ଗତ ଏକମାସ ହେଲା ସେହି ବକେୟା ଦରମା ସବୁ ପ୍ରଦାନ କରିସାରିଛନ୍ତି। ତେବେ ମନ୍ତ୍ରୀ ଆଶାୟୀ ଥିବା ଦଳର ୧୨ ନେତାଙ୍କୁ ୧୨ଟି ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରି ରାଷ୍ଟ୍ରମନ୍ତ୍ରୀ ପାହ୍ୟା ଦେଇଥିଲେ ମଧ୍ୟ ସେମାନଙ୍କୁ ଏବାବଦ କୌଣସି ଆର୍ଥିକ ସୁବିଧାସୁଯୋଗ ଦେଇନଥିଲେ। ଗତକାଲି ରାଜ୍ୟ ସରକାର ଏନେଇ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କୁ ଚିଠି ଲେଖି ୨୦୧୯ ଅଗଷ୍ଟ ୯ତାରିଖରୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଥିବା ଏହି ୧୨ଜଣ ବିଧାୟକଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସୁବିଧା ଦେବାକୁ ସରକାର ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ବିଧାୟକମାନେ ପିଛିଲା ଭାବେ ଯେଉଁଦିନଠୁ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ ନେଲେ ସେହିଦିନଠୁ ଏସବୁ ଆର୍ଥିକ ସୁବିଧାସୁଯୋଗ ପାଇବେ। ଓଡ଼ିଶା ମନ୍ତ୍ରୀ ଦରମା ଓ ଭତ୍ତା(ସଂଶୋଧନ) ଆଇନ-୨୦୧୭ ଅନୁସାରେ ଏହି ବିଧାୟକମାନେ ‘ରାଷ୍ଟ୍ରମନ୍ତ୍ରୀ’ ଭାବେ ପାରିଶ୍ରମିକ, ଟିଏ ଓ ଡିଏ ସୁବିଧା ପାଇବେ। ଏହି ଭତ୍ତା ସୁବିଧା କେବଳ ଓଡ଼ିଶା ଭିତରେ ମିଳିବ।

ସେହିପରି ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ହୋଇଥିବାରୁ ସେମାନଙ୍କୁ ଗୋଟିଏ ଭଡ଼ା ଗାଡ଼ି ନେବାର ସୁବିଧା ଦିଆଯିବ। ସେମାନଙ୍କୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ) କାର୍ଯ୍ୟାଳୟ ପରିସରରେ ଗୋଟିଏ ସୁନ୍ଦର ଅଫିସ ମିଳିବ। ଯେଉଁଠି କମ୍ପ୍ୟୁଟର, ପ୍ରିଣ୍ଟର, ଇଣ୍ଟରନେଟ ସଂଯୋଗ, ଜେରସ୍କ ମେସିନ୍ ଓ ଫ୍ୟାକ୍ସ ସୁବିଧା ରହିଥିବ । ଅଫିସ ଖର୍ଚ୍ଚ ପାଇଁ ମଧ୍ୟ ଆବଶ୍ୟକ ଅର୍ଥ ମିଳିବ। ଡିଆରଡିଏ ପକ୍ଷରୁ ତାଙ୍କୁ ଜଣେ ବ୍ୟକ୍ତିଗତ ସହାୟକ (ବରିଷ୍ଠ ଷ୍ଟେନୋଗ୍ରାଫର) ଓ ଜଣେ ବରିଷ୍ଠ କିରାଣୀଙ୍କୁ ତାଙ୍କ ଅଫିସରେ କାର୍ଯ୍ୟ କରିବା ନିମନ୍ତେ ଡେପୁଟେସନରେ ପଠାଯିବ।
ଏସବୁ ବ୍ୟତୀତ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ହୋଇଥିବାରୁ ସେମାନଙ୍କର ବ୍ୟକ୍ତିଗତ ସଚିବଙ୍କୁ ୩୫୪୦୦ଟଙ୍କା ଦରମା ଓ ପିଅନଙ୍କୁ ୧୬୬୦୦ଟଙ୍କାର ଦରମା ମିଳିବ। ଏହି ଦୁଇଟି ପଦବୀରେ ସେମାନେ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିଯୁକ୍ତି ଦେବେ, ସେମାନଙ୍କର ଚାକିରି କାଳ ମଧ୍ୟ ସମ୍ପୃକ୍ତ ଜିଲ୍ଲା ଯୋଜନାକମିଟି ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସମାପ୍ତି ସହ ଶେଷ ହେବ।
ଉଲ୍ଲେଖଯୋଗ୍ୟ, ବିଜେଡି ବିଧାୟକ ଅନନ୍ତ ଦାସ, ପ୍ରଶାନ୍ତ ମୁଦୁଲି, ଶାରଦା ନାୟକ, ରାଜେନ୍ଦ୍ର ଢୋଲକିଆ, ସତ୍ୟନାରାୟଣ ପ୍ରଧାନ, ଦେବେଶ ଆଚାର୍ଯ୍ୟ, ବ୍ୟୋମକେଶ ରାୟ,ମହୀଧର ରଣା, ଶ୍ରୀକାନ୍ତ ସାହୁ,ରଘୁରାମ ପୋଡ଼ାଲ, ପ୍ରଶାନ୍ତ ଜଗଦେବ ଓ ପ୍ରମୋଦ କୁମାର ମଲ୍ଲିକଙ୍କୁ ସେମାନଙ୍କ ଜିଲ୍ଲାର ଯୋଜନାକମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା।
ଚର୍ଚ୍ଚା ହେଉଛି, ଏହି ବିଧାୟକମାନଙ୍କୁ କେବଳ ପଦବୀ ଦିଆଯାଇଥିଲେ ମଧ୍ୟ କୌଣସି ପ୍ରକାରର ସୁବିଧାସୁଯୋଗ ମିଳୁନଥିବାରୁ ସେମାନେ ବିଭିନ୍ନ ସମୟରେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରିକି ବିଧାନସଭାର ବଜେଟ୍ ଅଧିବେଶନ ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର ସମ୍ଭାବନା ଥିବାବେଳେ କରୋନା କଟକଣା ସତ୍ତ୍ୱେ ଏହି ବିଧାୟକମାନଙ୍କୁ ସେମାନଙ୍କ ବକେୟା ଅର୍ଥ ଦେଇ ମନାଇବାକୁ ପ୍ରୟାସ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos