କହିଥିଲେ ଦାଶିଆ ଅଜା, ଯେତେ ପାରୁଛ ମଣିଷ ଧର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଦାସିଧା, ପତଳା ଓ ଡେଙ୍ଗା ମଣିଷଟିଏ, ବସ୍ତ୍ର କହିଲେ ଖଣ୍ଡେ ଆଣ୍ଠୁଲୁଚା ଗେରୁଆ ଧୋତି ଆଉ ମୁଣ୍ଡରେ ଖଣ୍ଡେ ନାଲି ଗାମୁଛା। ହାତରେ ଠେଙ୍ଗା, ମୁହଁରେ ମେଞ୍ଚାଏ ଦାଢ଼ି ଏବଂ ପୁଳେ ହସ। ଆଉ ଆଖିରେ ଅସରନ୍ତି ସ୍ୱପ୍ନ, ନିଜେ ପଢ଼ିବେ ଆଉ ଅନ୍ୟମାନଙ୍କୁ ପଢ଼ାଇବେ। ସେଥିରୁ ଜନ୍ମ ନେଇଥିଲା, ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ। ଆଉ ସେ ହେଉଛନ୍ତି ଘରେ ଘରେ ପରିଚିତ ପିଲାଙ୍କଠୁ […]

dashia-aja

Subrat Kumar Nayak
  • Published: Friday, 12 July 2019
  • , Updated: 12 July 2019, 05:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଦାସିଧା, ପତଳା ଓ ଡେଙ୍ଗା ମଣିଷଟିଏ, ବସ୍ତ୍ର କହିଲେ ଖଣ୍ଡେ ଆଣ୍ଠୁଲୁଚା ଗେରୁଆ ଧୋତି ଆଉ ମୁଣ୍ଡରେ ଖଣ୍ଡେ ନାଲି ଗାମୁଛା। ହାତରେ ଠେଙ୍ଗା, ମୁହଁରେ ମେଞ୍ଚାଏ ଦାଢ଼ି ଏବଂ ପୁଳେ ହସ। ଆଉ ଆଖିରେ ଅସରନ୍ତି ସ୍ୱପ୍ନ, ନିଜେ ପଢ଼ିବେ ଆଉ ଅନ୍ୟମାନଙ୍କୁ ପଢ଼ାଇବେ। ସେଥିରୁ ଜନ୍ମ ନେଇଥିଲା, ବାଞ୍ଛାନିଧି ପାଠାଗାର, ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ଯଦୁମଣି ସାହିତ୍ୟ ସଂସଦ। ଆଉ ସେ ହେଉଛନ୍ତି ଘରେ ଘରେ ପରିଚିତ ପିଲାଙ୍କଠୁ ବୁଢ଼ା ସଭିଙ୍କ ଅଜା, ଦାଶିଆ ଅଜା ଓରଫ ଦାଶରଥୀ ପଟ୍ଟନାୟକ।

ସେ ରାଜପରିବାରରୁ ଆସି ନଥିଲେ। କିନ୍ତୁ ତାଙ୍କୁ ଖୁଣ୍ଟା ତଡ଼ା ରଜା କୁହାଯାଏ। ଏହାର କାହାଣୀ ଅତ୍ୟନ୍ତ ରୋଚକ। ୧୯୦୭ ମସିହା ଜୁଲାଇ ୧୨ରେ ଅର୍ଥାତ ଆଜିର ଦିନରେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ର ନିପଟ ମଫସଲ ଅଞ୍ଚଳ ଉଦୟପୁରରେ ଜନ୍ମିତ ଦାଶିଆ ଅଜା ପିଲା ଦିନେ ଅଳ୍ପ କିଛି ପାଠ ପଢ଼ିଥିଲେ ହେଁ ସେସବୁ ଥିଲା ନାମକୁ ମାତ୍ର। ପେଟ ପୋଷିବା ପାଇଁ ସେ ଚାଷ ଉପରେ ନିର୍ଭର କରୁଥିଲେ। ଏଥିପାଇଁ ଜଙ୍ଗଲ ଜମିକୁ ତାଡ଼ି ତାକୁ ଚାଷ ଜମିରେ ପରିଣତ କରୁଥିଲେ। ଖୁଣ୍ଟା ସବୁ ତାଡ଼ୁଥିବାରୁ ସେ ଖୁଣ୍ଟା ତଡ଼ା ରାଜା ଭାବେ ପରିଚୟ ପାଇଥିଲେ।

ତାଙ୍କର ବହି ପଢ଼ିବାର ଝୁଙ୍କ୍‌ ତାଙ୍କୁ ବହି ପାଗଳ କରିବା ଆରମ୍ଭ କରିଦେଇଥିଲା। ଅଜା ଠାଏ ସେ ବିଷୟରେ ଲେଖିଛନ୍ତି, "୧୯୫୯ ଯାଏଁ ସକାଳୁ ଉଠି ଖୁଣ୍ଟା ତାଡେ଼ ଓ ଦ୍ୱିପ୍ରହରରେ ଶୁଏ। ମୋର ଗୋଟିଏ ଅଭ୍ୟାସ ଧାଡ଼ିଏ ନ ପଢ଼ିଲେ ଜମା ନିଦ ହୁଏନି କିମ୍ବା ଉପରବେଳା କାମ କରିପାରେନି। ସେତେବେଳେ ଆମ ଘରେ କି ଗାଁରେ ସେମିତି ବହି ନଥିଲା। ଘରେ ଯାହା ବି ଥିଲା ସବୁ ପଢ଼ି ସାରିଥିଲି। ଗାଁରେ ଯାହା ପାଖରେ ଯାହା ଥିଲା, ସେସବୁ ମଧ୍ୟ ସରିଲା। ଗାଁ ଆଖପାଖରୁ ତାଳପତ୍ର ପୋଥି ମାଗି ଆଣି ପଢ଼ିଲି, ସେ ବି ସରିଲା। ନୂଆଗାଁ ଅପର ପ୍ରାଇମେରି ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ତ୍ରିପାଠୀଙ୍କ ପାଖକୁ ଗଲି ବହି ମାଗିବାକୁ। ସେ କହିଲେ, ‘ପଟ୍ଟନାୟକେ ଆଉ ତ ବହି ମିଳିବନି। କ’ଣ କରିବା?’ ମୁଁ ନିରବ ରହିଲି । ସେ ପୁଣି କହିଲେ, ‘ଏଠି ଲାଇବ୍ରେରୀଟାଏ କରିବା।’

ଏହାର କିଛି ଦିନ ପରେ ପ୍ରଧାନ ଶିକ୍ଷକ ଲୋକନାଥ ତ୍ରିପାଠୀ ଖଣ୍ଡେ ପୂରୁଣା ଟ୍ରଙ୍କ ଏବଂ ୫ ଖଣ୍ଡ ବହି ଦେଇଥିଲେ। ଏଇଥିରୁ ହିଁ ଆରମ୍ଭ ହେଲା ବହି ସଂଗ୍ରହ, ଆଉ ୧୯୫୯ ମସିହାରେ ହିଁ ଗଢ଼ାହେଲା ବାଞ୍ଛାନିଧି ପାଠାଗାର। ରାଜ୍ୟସାରା ବୁଲି ବୁଲି ସେ ବହି ସଂଗ୍ରହ କରିବାକୁ ଲାଗିଲେ। ଏହି ସମୟରେ ସେ ଓଡ଼ିଶାର ଜଣାଶୁଣା ଲେଖକମାନଙ୍କୁ ନିୟମିତ ଚିଠି ପଠାଇବାରେ ମଧ୍ୟ ସମୟ ଦେଉଥିଲେ। ଏତଦ୍‌ବ୍ୟତୀତ ପାଠାଗାରକୁ ଚଳାଇବା ପାଇଁ ଯାହାକୁ ଭେଟୁଥିଲେ ତାକୁ ଦଶ ପଇସା ମାଗୁଥିଲେ। ଏହା ହିଁ ପରବର୍ତ୍ତୀ ସମୟରେ ତାଙ୍କୁ ‘ଦଶ ପଇସାର ରାଜା’ର ପରିଚୟ ଦେଇଥିଲା।

୧୯୯୭ ମସିହା ସେପ୍ଟେମ୍ବର ମାସ ୧୨ ତାରିଖରେ ତାଙ୍କର ପରଲୋକ ହେଲା ସିନା ତାଙ୍କ ହାତଗଢ଼ା ଅନୁଷ୍ଠାନ ତାଙ୍କୁ ଅମର କରି ରଖିଛି। ତାଙ୍କ ନାମରେ ଏହିସବୁ ଅନୁଷ୍ଠାନର ପରିଚାଳନା ପାଇଁ ଦାଶରଥୀ ପଟ୍ଟନାୟକ ଫାଉଣ୍ଡେସନ୍‍ ଟ୍ରଷ୍ଟ ଗଠନ କରାଯାଇଛି। ବର୍ତ୍ତମାନ ତାଙ୍କ ନାତି ଦୀପକ ପଟ୍ଟନାୟକ ଏହାର ପରିଚାଳନା କରୁଛନ୍ତି ଏବଂ ଏହି ଅନୁଷ୍ଠାନକୁ ବିଭିନ୍ନ ସମୟରେ ଗବେଷକମାନେ ମଧ୍ୟ ଆସୁଛନ୍ତି।

ପାଦରେ ଚାଲି ଚାଲି ସାରା ଓଡ଼ିଶା ବୁଲି ସମ୍ପର୍କର ସୌଧ ତିଆରି କରିଥିବା ଦାଶିଆ ଅଜାଙ୍କ ଉକ୍ତିଟି ଆଜିବି ମନେ ପଡ଼େ। ସେ କହିଥିଲେ, ମଣିଷ ଆପଣା ଧନ ପର, ଯେତେ ପାରୁଛ ମଣିଷ ଧର।

Related story