ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ କରୋନା ମୃତକଙ୍କ ସଂପର୍କରେ ଏସ୍ସିବିର ଭେସଜ ବିଷେଶଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସଂପୃକ୍ତ ୭୭ ବର୍ଷୀୟ ବ୍ୟକ୍ତି ଅନ୍ୟ ସାଂଘାତିକ ରୋଗରେ ପୀଡ଼ିତ ଥିଲେ। ସେ ଉଚ୍ଚ ରକ୍ତଚାପ, ମଧୁମେହ ସହ କିଡନୀ ରୋଗରେ ପୀଡ଼ିତ ଥିଲେ। ଅନ୍ୟ ଜଣଙ୍କ ଦ୍ୱାରା ସଂକ୍ରମିତ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଡମିଶନର ଦିନକ ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅଧିକ ଗୁରୁତର ହେବାରୁ ତାଙ୍କୁ ଏପ୍ରିଲ ୩୦ରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ପରେ ତାଙ୍କର ରକ୍ତଚାପ ସମସ୍ୟା ବଢ଼ିଥିଲା, ପରିସ୍ରା କମିଯାଇଥିଲା। ସଂପୃକ୍ତ ଆକ୍ରାନ୍ତଙ୍କର ଥରେ ଡାଏଲିସିସ୍ ମଧ୍ୟ କରାଯାଇଥିଲା। ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ସକଳ ଚେଷ୍ଟା ସତ୍ତ୍ୱେ ସୁସ୍ଥ ହୋଇନଥିଲେ।
ଏହି ମୃତ୍ୟୁରୁ ଆମେ ସମସ୍ତେ ଗୋଟିଏ ଶିକ୍ଷା ଲାଭ କଲୁ ବୋଲି ଡାକ୍ତର ପଣ୍ଡା କହିଛନ୍ତି। ଘରେ କେହି ବୟସ୍କ ଲୋକ ଥିଲେ, ଏ ସମୟରେ ତାଙ୍କ ପ୍ରତି ବିପଦ ରହିଛି। ଘରେ ଥିବା ବୟସ୍କ ବ୍ୟକ୍ତି, ରୋଗାକ୍ରାନ୍ତଙ୍କ ବିଶେଷ ଯତ୍ନ ନିଅନ୍ତୁ ବୋଲି କହିଛନ୍ତି।
ସୂଚନା ଅନୁଯାୟୀ ଦ୍ୱିତୀୟ କରୋନା ମୃତକ ଜଣକ ହେଉଛନ୍ତି ୭୭ ବର୍ଷୀୟ ବୃଦ୍ଧ। ସେ ଭୁବନେଶ୍ୱରର ମଧୁସୂଦନ ନଗରର ବାସିନ୍ଦା । ଗତକାଲି କିମ୍ସରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ୍ନୀ ରୋଗରେ ମଧ୍ୟ ପୀଡ଼ିତ ଥିଲେ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ୍ସାଇଟ୍ରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣଙ୍କ ତାଙ୍କର ନିକଟ ସଂପର୍କୀୟ ତଥା ୪୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ୍ ୭ ତାରିଖରେ ୪୧ ନମ୍ବର ଆକ୍ରାନ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଏପ୍ରିଲ୍ ୯ ତାରିଖରେ ଏହି ବ୍ୟକ୍ତିଙ୍କର ମଧ୍ୟ ସାମ୍ପଲ ଟେଷ୍ଟ କରାଯାଇଥିଲା।
ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେ ଏପ୍ରିଲ୍ ୧୧ରୁ ୨୦ ପର୍ଯ୍ୟନ୍ତ ପୁଣି ସରକାରୀ କ୍ୱାରେଣ୍ଟାଇନ୍ରେ ରହିଥିଲେ। ତା’ପରେ ୨୦ରୁ ୨୭ ରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ରେ ରହିଥିଲେ। ଏପ୍ରିଲ୍ ୨୮ ତାରିଖରେ ପୁଣି ତାଙ୍କର ସାମ୍ପଲ ଟେଷ୍ଟ କରାଯାଇଥିଲା ଓ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ସେହିଦିନ ତାଙ୍କୁ କିମ୍ସ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।