ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନା। ଗତକାଲି ଅଭୟ ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ୪.୩୭ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କଟକ ତୁଳସୀପୁରସ୍ଥିତ ମହୁମାଛି ଗଳିରେ ଥିବା ଅବସରପ୍ରାପ୍ତ ରେଞ୍ଜର ଅଭୟଙ୍କ ବାସଭବନରେ ଗତକାଲି ରାଜ୍ୟ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଚଢ଼ାଉ ହୋଇଥିଲା। ଭିଜିଲାନ୍ସର ୫ ଟି ଟିମ୍ ଅଭୟଙ୍କ କଟକ ଘର ସମେତ ଭୁବନେଶ୍ୱରରେ ଥିବା ୩ ମହଲା ବିଲ୍ଡିଂ, ବାଲୁଗାଁସ୍ଥିତ କାର୍ଯ୍ୟାଳୟ, ବଙ୍ଗଳପୁରସ୍ଥିତ ନିଜ ଘର, ଶ୍ୱଶୁର ଘରେ ରେଡ୍ କରିଥିଲେ ।
କଟକସ୍ଥିତ ବାସଭବନରୁ ରେଡ୍ ସମୟରେ ଅନେକ ଆସବାପତ୍ର, ଟଙ୍କା,ସୁନା,ଜମି ଓ ୨ଟି ବନ୍ଧୁକ ଠାବ ହୋଇଥିଲା। ଠାବ ହୋଇଥିବା ସମସ୍ତ ସମ୍ପତ୍ତିର ଯାଞ୍ଚ୍ ପ୍ରକ୍ରିୟା ଜାରି ରହିଥିବା ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନର ଆଡିସନାଲ ଏସ୍ପି ଗଣମାଧ୍ୟମକୁ କହିଥିଲେ। ଏହା ପୂର୍ବରୁ ମଧ୍ୟ ଭିଜିଲାନ୍ସ ରେଡ୍ର ସାମ୍ନା କରିଥିବା ଅଭୟ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।