ଚିତା କାଟିଦେଲା ପୁଅର ସାଙ୍ଗ, ଆଧାର କାର୍ଡ ନେଇ କରିଦେଲେ ଖେଳ

ଜଳେଶ୍ୱର (ଅଜିତ କୁମାର ଦାସ): ଚିତା କାଟିଦେଲା ପୁଅର ସାଙ୍ଗ! କାଳିଆ ଯୋଜନା କରାଇଦେବାକୁ କହି ଆଧାରକାର୍ଡ ନେଇ ଖେଳ କରିଦେଲେ। ଧାନରୁଆ ମେସିନ୍‌ କିଣି ମିଳିଥିବା ଦେଢ଼ ଲକ୍ଷ ସବ୍‌ସିଡ଼ି ଟଙ୍କା ନେଇଗଲା। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଆଉ ଠକାମୀରେ ଶିକାର ହୋଇଥିବା ଚାଷୀ ହେଉଛନ୍ତି ସାର୍ଥକ ଜେନା। ଜଲେଶ୍ୱର ବ୍ଲକ୍‌ ବାଘମାରି ଗାଁର ସର୍ଥକ ଜେନା। ଜମି କହିଲେ ମାତ୍ର ୮ ଡିସିମିଲ୍‌। ତାହା ପୁଣି ଚାଷୋପଯୋଗୀ ନୁହେଁ। ଦିନ ମଜୁରିଆ […]

Rice Planting Machine

Rice Planting Machine

Manoranjan Sial
  • Published: Wednesday, 14 September 2022
  • Updated: 14 September 2022, 05:01 PM IST

Sports

Latest News

ଜଳେଶ୍ୱର (ଅଜିତ କୁମାର ଦାସ): ଚିତା କାଟିଦେଲା ପୁଅର ସାଙ୍ଗ! କାଳିଆ ଯୋଜନା କରାଇଦେବାକୁ କହି ଆଧାରକାର୍ଡ ନେଇ ଖେଳ କରିଦେଲେ। ଧାନରୁଆ ମେସିନ୍‌ କିଣି ମିଳିଥିବା ଦେଢ଼ ଲକ୍ଷ ସବ୍‌ସିଡ଼ି ଟଙ୍କା ନେଇଗଲା। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାରେ। ଆଉ ଠକାମୀରେ ଶିକାର ହୋଇଥିବା ଚାଷୀ ହେଉଛନ୍ତି ସାର୍ଥକ ଜେନା।

ଜଲେଶ୍ୱର ବ୍ଲକ୍‌ ବାଘମାରି ଗାଁର ସର୍ଥକ ଜେନା। ଜମି କହିଲେ ମାତ୍ର ୮ ଡିସିମିଲ୍‌। ତାହା ପୁଣି ଚାଷୋପଯୋଗୀ ନୁହେଁ। ଦିନ ମଜୁରିଆ ଭାବେ କାମ କରୁଥିବା ସାର୍ଥକ ଗତ ୪ ମାସ ତଳେ ଜାଣିବାକୁ ପାଇଲେ ଯେ ତାଙ୍କ ନାଁରେ ୨୦୧୮-୧୯ ଆର୍ଥିକ ବର୍ଷରେ ଏକ ଧାନରୁଆ ମେସିନ କିଣାଯାଇଛି। ଆଉ ମେସିନ କିଣା ବାବଦକୁ କୃଷି ବିଭାଗ ପକ୍ଷରୁ ତାଙ୍କୁ ଦେଢ ଲକ୍ଷ ଟଙ୍କା ସବ୍‌ସିଡି ମିଳିଛି। ହେଲେ ଆଦୌ ମେସିନ କିଣି ନଥିବା ସାର୍ଥକ ରିହାତି ଟଙ୍କା ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେବଡ଼ ଜାଲିଆତିରେ ଫସିଲେ କେମିତି ସାର୍ଥକ? ଏ ସମ୍ପର୍କରେ ଜାଣିବାକୁ ହେଲେ କିଛି ଦିନ ପୂର୍ବକୁ ଯିବାକୁ ପଡ଼ିବ। ସାର୍ଥକଙ୍କ କହିବା ଅନୁସାରେ ତାଙ୍କ ପୁଅର ସାଙ୍ଗ ହେଉଛନ୍ତି ଏକତାଳି ଗାଁର ରବୀନ୍ଦ୍ର ଜେନା। ସେ ତାରିଣୀ ଏଜେନ୍ସି କର୍ମଚାରୀ ଭାବେ କାମ କରନ୍ତି। ପୁଅର ସାଙ୍ଗ ହିସାବରେ ରବୀନ୍ଦ୍ର ସବୁବେଳେ ସାର୍ଥକଙ୍କ ଘରକୁ ଯିବାଆସିବା କରିଥାଆନ୍ତି। ଘରେ ପୁଅ ନଥିବାରୁ ବାପା ସାର୍ଥକଙ୍କ ସହିତ କଥା ହୋଇ ଯାଇଥାଆନ୍ତି।

ଦିନେ ସାର୍ଥକଙ୍କ ଘରକୁ ଆସିଥିଲେ ରବୀନ୍ଦ୍ର। ଆଉ ସାର୍ଥକଙ୍କୁ ତାଙ୍କ ଆଧାର କାର୍ଡ ମାଗିଥିଲେ। କାଳିଆ ଯୋଜନାରେ ହତିଧିକାରୀ କରାଇଦେବା ବାହାନା କରି ସେ ଆଧାରକାର୍ଡ଼ ମାଗିଥିଲେ। ସାର୍ଥକ କିଛି ନବୁଝି ଭରସାରେ ଆଧାର କାର୍ଡ଼ ରବୀନ୍ଦ୍ରଙ୍କୁ ଦେଇଥିଲେ। ଏହା ପରେ ରବୀନ୍ଦ୍ର ଆଧାର କାର୍ଡ଼ ଧରି ଚାଲିଗଲେ। କିଛି ଦିନ ପରେ ଆଧାର କାର୍ଡ଼ ଫେରାଇ ଦେଇଗଲେ।

ଆଧାର କାର୍ଡ଼ ଫେରାଇବାର କିଛି ଦିନ ପରେ ହଠାତ୍‌ ଦିନେ ସାର୍ଥକଙ୍କ ଘରକୁ ଆଉଥରେ ଆସିଥିଲେ ରବୀନ୍ଦ୍ର। ଆଉ କହିଥିଲେ, ଘର କାମ ପାଇଁ ଟଙ୍କା ଦରକାର ଅଛି। ବାପା ଟଙ୍କା ଦେଉନାହାନ୍ତି। ଭାଇ ରାଜ୍ୟ ବାହାରେ କାମ କରୁଛନ୍ତି। ମଉସା(ସାର୍ଥକ) ଭାଇ ଆପଣଙ୍କ ବ୍ୟାଙ୍କ ଜମା ଖାତାକୁ ଟଙ୍କା ପଠାଇବେ। ଆପଣ ମୋତେ ଟଙ୍କା ଉଠାଇ ଦେଲେ ମୁଁ ଘର କାମ କରିବି। ରବୀନ୍ଦ୍ରଠାରୁ ସବୁ କଥା ଶୁଣିବା ପରେ ସାର୍ଥକ ବ୍ୟାଙ୍କ ଯାଇ ଜମା ଖାତାକୁ ଆସିଥିବା ଟଙ୍କା ଦେଢ଼ ଲକ୍ଷ ୩ଟି କିସ୍ତିରେ ଉଠାଇ ଦେଇଥିଲେ।

ତେବେ ଗତ ୪ ତାରିଖରେ ହଠାତ୍‌ ଜଣେ ବ୍ୟକ୍ତି ସାର୍ଥକଙ୍କ ଘରେ ପହଞ୍ଚିଲେ। ନିଜକୁ ଧାନ ରୁଆ ମେସିନ୍‌ କମ୍ପାନୀ କର୍ମଚାରୀ ବୋଲି ପରିଚୟ ଦେଇଥିଲେ। ଆଉ କହିଲେ, ଧାନ ରୁଆ ମେସିନ୍‌ କେମିତି ଅଛି? କିଛି ସମସ୍ୟା ହେଉନାହିଁ ତ? ଏକଥା ଶୁଣିବା ପରେ ସାର୍ଥକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ମୋର ଧାନ ରୁଆ ମେସିନ୍‌ କାହିଁ? ମୁଁ କାହିଁକି ଧାନ ରୁଆ ମେସିନ୍‌ କିଣିବି? ସାର୍ଥକଙ୍କ କଥାରେ କମ୍ପାନୀ କର୍ମଚାରୀ ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ବିରକ୍ତି ପ୍ରକାଶ କରି କହିଲେ, ଆପଣଙ୍କ ଆକାଉଣ୍ଟକୁ ସବ୍‌ସିଡି ବାବଦକୁ ଦେଢ଼ ଲକ୍ଷ ଟଙ୍କା ଆସିଲା, ଅଥଚ ମେସିନ୍‌ କିଣିନ ବୋଲି କହୁଛନ୍ତି। ଶେଷରେ ବାବୁ ଜଣକ ଫେରିଗଲେ।

ଦିନ ମଜୁରିଆ ଭାବେ କାମ କରୁଥିବା ସାର୍ଥକ ଏହାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ। ଦିନେ ଗାଁ ଜଣେ ଶିକ୍ଷିତ ଯୁବକଙ୍କ ସହାୟତା ନେଇ ପୂରା ଘଟଣା ଜାଣିବାକୁ ଚାହିଁଥିଲେ। ଯୁବକ ଜଣକ ଅନ୍‌ଲାଇନ୍‌ରେ ସାର୍ଥକଙ୍କ ପୂରା ରିପୋର୍ଟ ବାହାର କରିଦେଲେ। ସେହି ରିପୋର୍ଟ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ସାର୍ଥକ।

ରିପୋର୍ଟରେ ସାର୍ଥକ ଏକ ଧାନରୁଆ ମେସିନ୍‌ କିଣିଥିବା ଦର୍ଶାଯାଇଛି। ମେସିନର ମୂଲ୍ୟ ୨ ଲକ୍ଷ ୩୩ ହଜାର ଟଙ୍କା ହୋଇଥିବା ବେଳେ ଦେଢ଼ ଲକ୍ଷ ଟଙ୍କାର ରିହାତି ବ୍ୟାଙ୍କ ଜମା ଖାତାରେ ପ୍ରଦାନ କରାଯାଇଛି। ମେସିନଟି ସେ ତାରିଣୀ ଅଟୋ ଏଜେନ୍ସି ଶ୍ରୀମଥ ରଣାଙ୍କଠାରୁ କିଣିଥିବା କାଗଜପତ୍ରରେ ଦର୍ଶାଯାଇଛି। ସାର୍ଥକଙ୍କୁ ୨୦୧୯ ଜାନୁଆରୀ ୨୧ ତାରିଖରେ ରୁଆ ମେସିନ ପ୍ରଦାନ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲେ ମଧ୍ୟ ସାର୍ଥକ ଏହା ଜାଣି ନଥିଲେ ବୋଲି କହିଛନ୍ତି।

ଘୋଟାଲା ସମ୍ପର୍କରେ ଜାଣିପାରି ସାର୍ଥକ ପୁଅର ସାଙ୍ଗ ରବୀନ୍ଦ୍ରଙ୍କ ସହିତ ଯୋଗାଯୋଗ କରିଥିଲେ। ଘଟଣାକୁ ନେଇ ଗାଁରେ ସଭା ବସିଲା। ମାତ୍ର ସେଥିରେ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ପରେ ସାର୍ଥକ ଗାଁ ଲୋକଙ୍କ ସହ ଯାଇ ବାଲେଶ୍ୱର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଇତି ମଧ୍ୟରେ ମାସେ ବିତି ଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏ ସମ୍ପର୍କରେ ରବୀନ୍ଦ୍ର ଜେନାଙ୍କୁ ଫୋନ୍‌ ଯୋଗାଯୋଗ କରିବାରୁ ସେ ଫୋନ୍‌ ରିସିଭ କରି ନଥିଲେ।

ତେବେ ଜଳେଶ୍ୱର କୃଷି ଅଧିକାରୀ ସଞ୍ଜୟ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଚାଷୀ ଅନ୍‌ଲାଇନ୍‌ରେ କୃଷି ଯନ୍ତ୍ରପାତି ଆବେଦନ କରନ୍ତି। ଡିଲର୍‌ ଚାଷୀଙ୍କୁ କୃଷି ସାରଞ୍ଜାମ ଯୋଗାଇ ଦିଅନ୍ତି। ଚାଷୀଙ୍କୁ ସିଧା ସଳଖ ରିହାତି ଟଙ୍କା ଜମା ଖାତାରେ ପହଞ୍ଚିଥାଏ। ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ କୃଷି ବିଭାଗ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବ ବୋଲି କୃଷି ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos